ବର୍ଷ ଆରମ୍ଭରୁ ସବୁଜ ସଂକଳ୍ପ : ସଜନା ପତ୍ରରେ ୨୦୨୨କୁ ସ୍ୱାଗତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପୁରୁଣା ବର୍ଷକୁ ବିଦାୟ । ଇଂରାଜୀ ନବବର୍ଷକୁ ସ୍ୱାଗତ । ଭୋଜିଭାତ, କେକ୍ କଟା, ଫୁଲ, ଉପହାର, ନାଚ, ଗୀତ ଓ ଶୁଭେଚ୍ଛା ଦିଆନିଆ ଭିତରେ ନବବର୍ଷକୁ ଲୋକେ ସ୍ୱାଗତ କରୁଥିବା ସମୟରେ ରାଜଧାନୀ ଭୁବନେଶ୍ୱରର ଜଣାଶୁଣା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ନୂଆ ବରଷକୁ ଏକ ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି । ଶ୍ରୀ ସାହୁ ସଜନା ଗଛର ପତ୍ରକୁ ସଜାଇ ସେଥିରେ ୨୦୨୨ ଲେଖି ନୂଆବର୍ଷକୁ ସବୁଜିମା ପାଇଁ ସଂକଳ୍ପ ନେଇ ଜନସଚେତନତା ଉଦ୍ଦେଶ୍ୟରେ ଏକ ନୂତନ ବାର୍ତ୍ତା ଦେବା ପାଇଁ ପ୍ରୟାସ କରିଛନ୍ତି । ନୂଆବର୍ଷ କ୍ଷେତ, ଜଙ୍ଗଲ ଓ ପରିବେଶକୁ ସବୁଜିମା କରାଉ ଓ ବିଶ୍ୱବାସୀଙ୍କ ମୁଣ୍ଡ ଉପରୁ ଜଳବାୟୁର ଜ୍ୱାଳା ହ୍ରାସ ପାଉ ଏବଂ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ସେ ଆଶାପ୍ରକଟ କରିଛନ୍ତି । ସୁଶାନ୍ତ ଏ ସମ୍ପର୍କରେ କୁହନ୍ତି ନୂଆବର୍ଷରେ ପ୍ରତ୍ୟେକ ମଣିଷ ନିଜ ବାଡି, ବଗିଚାରେ ଅନ୍ତତଃ ଗୋଟିଏ ସଜନା ଗଛଟିଏ ନିଶ୍ଚିତ ଲଗାନ୍ତୁ, ଅନ୍ୟମାନଙ୍କୁ ବି ପ୍ରୋତ୍ସାହନ ଦିଅନ୍ତୁ । ମନେ ରଖିବା ଉଚିତ୍ ଏଥିରେ କ୍ଷୀର ଠାରୁ ୪ଗୁଣା ଅଧିକ କ୍ୟାଲସିୟମ୍, ୨ଗୁଣା ଅଧିକ ପ୍ରୋଟିନ୍ ରହିଛି । ଏତଦ୍ସହ ଭିଟାମିନ୍-ଏ, ଭିଟାମିନ୍-ବି, ଫସ୍ଫରସ୍, ଭିଟାମିନ୍ ବି୩, ଭିଟାମିନ୍-ଇ, ଆଇରନ୍ କରି ଅନେକ ଭିଟାମିନ୍ ମହଜୁଦ ଥାଏ । ସଜନାପତ୍ର ହେମୋଗ୍ଲୋବିନ୍ର ମାତ୍ରା ବଢାଇବା ସହ, ରକ୍ତହୀନତା ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ । ଏତଦ୍ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଜୀବିକାକୁ ସଶକ୍ତ କରିବାରେ ବେଶ୍ ସହାୟକ ହୋଇଥାଏ । ନୂଆବର୍ଷରୁ ଏହାକୁ ବ୍ୟାପକ କରିବା ପାଇଁ ସୁଶାନ୍ତ ଓ ତାଙ୍କ ସହଯୋଗୀମାନେ ସଂକଳ୍ପ ନେଇଛନ୍ତି ।