ବର୍ଷ ଶେଷର ଖୁସି
ଦିପ୍ତିମୟୀ ନାୟକ
ଯେତେବେଳେ ବର୍ଷ ସରି ସରି ଆସେ ସେତେବେଳେ ଅନେକ କଥା ମନକୁ ମନ ଆପେ ଆପେ ଚାଲିଆସେ | କାରଣ କିଛି ଜଣ ଏହି ବର୍ଷଟିକୁ ଖରାପ କହୁଥିବାବେଳେ ଆଉ କିଛି ଜଣ ଭଲ କହିଥାନ୍ତି | ସତ କହିବାକୁ ଗଲେ ୨0୨୩କୁ ଯିଏ ଯେମିତି ଅନୁଭବ କରିଥାନ୍ତି ସେମିତି କହିଥାନ୍ତି | ଏହି ୨0୨୩ କେବେ କାହାକୁ ସଫଳତା ଦିଗକୁ ଟାଣି ନେଇଛି ତ ପୁଣି ଆଉ କେବେ କାହାକୁ ଅଶାନ୍ତ ଦୁଃଖର ସାଗର ଭିତରକୁ ଠେଲି ଦେଇଛି | ତେବେ ସୁଖ ଦୁଃଖ ସଂସାର ଭିତରେ ଏସବୁ ଗୋଟେ ଗୋଟେ ସାଧାରଣ କଥା | କାରଣ ଆଜିର ମଣିଷ ବୁଝିଯାଇଛି ଦୁଃଖରେ ରହି କେମିତି ହସିବାକୁ ପଡେ | ହୁଏତ କିଛି ଲୋକ ନିଜକୁ ଦୁର୍ବଳ ଭାବନ୍ତି ହେଲେ ସେହି ଦୁର୍ବଳତା ହିଁ ସେମାନଙ୍କୁ ଅନେକ ସମୟରେ ଅନେକ କଷ୍ଟ ଦେଇଥାଏ |ତେବେ ସମୟର ତାଳେ ତାଳେ ଅଭୁଲା ଦିନ ସବୁ ମନେ ରୁହେ | ଦୁଃଖ ଭିତରେ ଅନେକ ଯନ୍ତ୍ରଣା ଲୁଚି ରହିଥାଏ | କେବେ ସେ ନିଜ ଆତ୍ମୀୟଙ୍କୁ ହରାଇ ବିକଳ ହୋଇ ଚିତ୍କାର କରୁଥାଏ ତ ଆଉ କେତେବେଳେ କେଇ ମୁହୂର୍ତ୍ତର ସୁଖକୁ ଅନୁଭବ କରି ସବୁ ଦୁଃଖ ଦୂର ହୋଇଗଲା କହି ଖୁସିରେ ହସିଦେଉଥାଏ | କିନ୍ତୁ କଷ୍ଟ ସରିନଥାଏ ହେଲେ ପୁଣି ନୂଆବର୍ଷକୁ ଅପେକ୍ଷା ଥାଏ | କାଳେ କିଛି ଭାଗ୍ୟର ପରିବର୍ତ୍ତନ ହୋଇଯିବକି | ଯଦିଓ ଆଉ କେଇଟା ଦିନରେ ବର୍ଷ ଶେଷ ହୋଇଯିବ କିନ୍ତୁ ଏହି ମଣିଷର କିଛି ନୂଆ ଆଶାକୁ ନେଇ ଅପେକ୍ଷା ରହିଯିବ | କାରଣ ପ୍ରତ୍ୟେକ ମଣିଷ ଚାହାଁନ୍ତି ନିଜର ସଫଳତା | ଆଉ ଏହି ସଫଳତା ସେତେବେଳେ ମିଳିବ ଯେତେବେଳେ ଏହି ଦୁଃଖ ହିଁ ମଣିଷକୁ ଜୀବନ ଜିଇଁବା ଶିଖେଇଦେବ | ତେବେ ଆପଣ ଭାବୁଥିବେ ଦୁଃଖ କିଭଳି ଜୀବନ ଜିଇଁବା ଶିଖେଇବ କାରଣ ସଫଳତା ପାଇବାକୁ ହେଲେ ମଣିଷକୁ ସର୍ବପ୍ରଥମେ କଷ୍ଟ କରିବାକୁ ପଡିବ | ତେବେ କଷ୍ଟ କରିଦେଲେ କେବଳ ହେବନି କାହିଁକି ନା ଅନେକ ସମୟରେ ନିଜ ପରିଶ୍ରମ ମଧ୍ୟ ନିଜ ସାଥ ଦିଏନି ଯେତେବେଳେ ନିଜ ମାନସିକ ସ୍ଥିତି ଠିକ ରୁହେନି | ଏହି ମଣିଷର ମାନସିକ ସ୍ଥିତି ସେତେବେଳେ ଠିକ ରହିବ ଯେତେବେଳେ ଏହି ମଣିଷ ମାନସିକ ଚିନ୍ତାରୁ ମୁକ୍ତି ପାଇବ | ଯେଉଁଠି ମାନସିକ ଚିନ୍ତାରୁ ମୁକ୍ତି ନଥାଏ ସେଠି ସଫଳତା ନଥାଏ |ତେବେ ବର୍ଷ ଶେଷର ଖୁସି ମନାନ୍ତୁ | ନିଜ ଆତ୍ମୀୟ ମାନଙ୍କ ସହ ସମୟ ବିତାନ୍ତୁ | ସବୁବେଳେ ନିଜ ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ | ନୂଆ ଆଶା, ନୂଆ ଅପେକ୍ଷା, ନୂଆ ସୁଯୋଗ, ନୂଆ ଚିନ୍ତାଧାରାକୁ ନେଇ ସବୁବେଳେ ନିଜ ଦିନ ଆରମ୍ଭ କରନ୍ତୁ | ହୁଏତ ସମୟର ପରିବର୍ତ୍ତନ ହେବ କିନ୍ତୁ ସ୍ମୃତି ସବୁବେଳେ ନୂଆ ରହିବ | ଆମେମାନେ ଏବେ ଏୟା ଭାବିବା ଉଚିତ ଯେ, ହୁଏତ ବର୍ଷ ସରୁଛି କିନ୍ତୁ ଖୁସି ସରୁନି |