ବଲିଉଡ୍‌ର ଆଉ ଜଣେ କରୋନା ଆକ୍ରାନ୍ତ

ମୁମ୍ବାଇ : ସାରା ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବଲିଉଡ୍‌ ଗାୟିକା କନିକା କପୁର ସୁସ୍ଥ ହୋଇ ଘରକୁ ଫେରିବା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଆଉ ଜଣେ ମହିଳା ସେଲିବ୍ରିଟି କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେ ବି ଗାୟିକା କନିକା କପୁରଙ୍କ ସାଙ୍ଗ ବୋଲି ଜଣାଯାଇଛି। ଏହି ମହିଳାଜଣକ ହେଲେ ଚେନ୍ନାଇ ଏକ୍ସପ୍ରେସ, ଦିଲୱାଲେ, ହାପି ନ୍ୟୁ ଇୟର୍ ଏବଂ ରା ଓ୍ବାନ୍ ଭଳି ପିଲ୍ମର ନିର୍ମାତା ପ୍ରଯୋଜକ କରୀମ ମୋରାନିଙ୍କ ଝିଅ ଶଜା ମୋରାନି। ସେ କୋରୋନା ଭାଇରସ ପାଇଁ ପରୀକ୍ଷା କରିଥିଲେ। ଶଜାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ବର୍ତ୍ତମାନ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ସେମାନଙ୍କର ବି ଖୁବ୍ ଶୀଘ୍ର କୋରୋନା ଭାଇରସ୍ ପାଇଁ ପରୀକ୍ଷା କରାଯିବ।
ଏହାପରେ କରୀମଙ୍କ ଦ୍ୱିତୀୟ ଝିଅ ଜୋଆ ମୋରାନିଙ୍କଠାରେ କୋରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୋଆଙ୍କ ପରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରକ୍ତ ନମୂନା ଯାଞ୍ଚ କରାଯାଇଛି। ଜୋଆ ଡାକ୍ତରଙ୍କ ତଦାରଖରେ ଥିବା ବେଳେ ଶଜାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ମୋରାନି ପରିବାର ଯେଉଁ ଆପାର୍ଟମେଣ୍ଟରେ ରହୁଛନ୍ତି, ତାକୁ ସିଲ୍‌ କରିଦିଆଯାଇଛି। ଶଜା କରୋନାରେ ସଂକ୍ରମିତ ହେବା ପରେ ମୁମ୍ବାଇର ଜୁହୁରେ ଭୟର ବାତାବରଣ ଖେଳିଯାଇଛି। କାରଣ ଜୁହୁରେ କରୋନା ସଂକ୍ରମଣର ଏହା ପ୍ରଥମ ମାମଲା। ଜୁହୁରେ ଅଭିନେତା ଅମିତାଭ ବଚ୍ଚନ, ହ୍ରିତିକ ରୋଶନଙ୍କ ଭଳି ବହୁ ନାମୀଦାମୀ ସେଲିବ୍ରିଟି ରହୁଥିବା ବେଳେ ଏବେ ସେଠାରେ କୋରୋନାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।
ଏହାକୁ ନେଇ ଶାହରୁଖ ଖାନଙ୍କ ଘନିଷ୍ଠ ବନ୍ଧୁ କରିମ ମୋରାନି ଏକ ନ୍ୟୁଜ ପୋର୍ଟାଲକୁ କହିଛନ୍ତି ଯେ ଏହା ସତ, କିନ୍ତୁ ଶଜାଙ୍କର କୌଣସି ଲକ୍ଷଣ ନାହିଁ। ଏଥିସହ ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶଜା ଅଲଓ୍ବେଜ୍ କଭି କଭି ଏବଂ ହାପି ନ୍ୟୁ ଇୟର୍ ଭଳି ଚଳଚ୍ଚିତ୍ରରେ ସହକାରୀ ନିର୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ୟାପକ କୋରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱକୁ ସାମାଜିକ ଦୂରତା ବଜାୟ ରଖିବାକୁ ଏବଂ ଆତ୍ମନିର୍ଭରଶୀଳ କରିବାକୁ ବାଧ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭୟଙ୍କର ରୋଗର ପ୍ରସାରକୁ ରୋକିବା ପାଇଁ୨୧ ଦିନିଆ ଲକଡାଉନ୍ ଘୋଷଣା କରିବା ପରେ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ଘରକୁ ଫେରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ