ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କର ଆତ୍ମହତ୍ୟାକୁ ନେଇ ସାରା ବଲିଉଡ୍ ଜଗତ ସ୍ତବ୍ଧ ହୋଇଯାଇଛି। ତାଙ୍କ ଫ୍ୟାନମାନଙ୍କ ହୃଦୟକୁ ପ୍ରଚଣ୍ଡ ଆଘାତ ଦେବା ସହ ଆଶ୍ଚର୍ଯ୍ୟଚକିତ କରିଦେଇଛି। ଆତ୍ମହତ୍ୟା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ମୁମ୍ବାଇ ପୁଲିସ ତାଙ୍କ ଘରେ ତଦନ୍ତ ପାଇଁ ପହଁଚିଥିବା ଜଣା ପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୪ବର୍ଷ ହୋଇଥିଲା । ମିଳିଥିବା ସୂଚନା ମୁତାବକ, ତାଙ୍କ ଘରେ କାମ କରୁଥିବା ଗୃହ ସହାୟକ ପ୍ରଥମେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସେ ଜଣେ ଟିଭି ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପ୍ରଥମେ ‘କିସ୍ ଦେଶ ମେଁ ହେ ମେରା ଦିଲ୍’ ନାମକ ଧାରାବାହିକରୁ କାମ ଆରମ୍ଭ କରିଥିଲେ ମଧ୍ୟ ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ରେ ତାଙ୍କୁ ଲୋକ ଜାଣିବା ଆରମ୍ଭ କରିଥିଲେ । ‘ପବିତ୍ର ରିସ୍ତା’ ପରେ ପରେ ତାଙ୍କୁ ବଲିଉଡରୁ ଅଫର ମିଳିବା ଆରମ୍ଭ ହୋଇଥିଲା ।| ସେ ପ୍ରଥମେ ‘କାଇ ପୋ ଚେ’ ବଲିଉଡ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଥିବା ବେଳେ ଗୋଟେ ପରେ ଗୋଟେ ସଫଳତାର ସିଢି ସେ ଚଢିବା ଆରମ୍ଭ କରିଥିଲେ । ସବୁ କିଛି ଠିକ ଚାଲିଥିବା ବେଳେ ହଠାତ ସୁଶାନ୍ତ କାହିଁକି ଏଭଳି ପଦକ୍ଷେପ ନେଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତାଙ୍କୁ ଶେଷ ଥର ପାଇଁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା | ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । ‘ଛିଛୋରେ’ ବ୍ୟତୀତ ସେ, ‘ଏମଏସ ଧୋନି: ଦ ଅନ ଟୋଲଡ଼ ଷ୍ଟୋରୀ’, ‘ରାବତା’, ‘କେଦାରନାଥ’, ‘ପିକେ’, ‘ଡ୍ରାଇଭ’, ‘ସୁଧ ଦେଶୀ ରୋମାନ୍ସ’ ଭଳି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ।