ବଳରାମଗଡ଼ି ଗଙ୍ଗାସାଗର ମେଳା ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ମକର ସଂକ୍ରାନ୍ତିଠାରୁ ବୁଢ଼ାବଳଙ୍ଗ ନଦୀମୁହାଣ ବଳରାମଗଡ଼ି ଠାରେ ଆରମ୍ଭ ହୋଇଥିବା ୭ ଦିନିଆ ଗଙ୍ଗାସାଗର ମେଳା ଉଦଯାପିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ନିରାଡ଼ମ୍ବର ଭାବେ ଏହି ମେଳା ଆୟୋଜିତ ହୋଇଥିଲା । ପୂଜା ମଣ୍ଡପରେ ଗଙ୍ଗା, ଯମୁନା, ସରସ୍ୱତୀ ଓ ଭଗୀରଥଙ୍କ ମୃଣ୍ମୟ ମୂର୍ତ୍ତି ଶୋଭା ପାଉଥିଲେ ବି ମେଳାରେ ଲୋକଭହଳି ଦେଖିବାକୁ ମିଳି ନଥିଲା । ପ୍ରତିବର୍ଷ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏହି ମେଳାରେ ଲୋକେ ରୁଣ୍ଡ ହୋଇଥା’ନ୍ତି । ସେହିଭଳି ଜିଲ୍ଲା ତଥା ଜିଲା ବାହାରୁ ଏମିତିକି କୋଲକାତାରୁ ବଡ଼ ବଡ଼ ବ୍ୟବସାୟୀମାନେ ଏହି ମେଳାକୁ ଆସି ବିଭିନ୍ନ ପ୍ରକାରର ଦୋକାନ ଖୋଲିଥା’ନ୍ତି । ମେଳାକୁ ଆସୁଥିବା ଲୋକେ ନିଜ ଘର ପାଇଁ ଆବଶ୍ୟକୀୟ ସାମଗ୍ରୀ ଏଠାରୁ ପ୍ରତିବର୍ଷ କିଣି ନେଉଥିଲେ । ମାତ୍ର ଚଳିତବର୍ଷ ସେଭଳି ଦୋକାନ ନାହିଁ କିମ୍ବା ଲୋକଙ୍କ ଗହଳି ବି ନାହିଁ । କାଁ ଭାଁ ଆଖପାଖ ଅଞ୍ଚଳର ଉଠା ଦୋକାନୀ ମେଳାରେ ଷ୍ଟଲ ଖୋଲିଥିଲେ ମଧ୍ୟ ସେଭଳି ବେପାର ହୋଇନଥିବା ସେମାନେ କହିଛନ୍ତି । ପୂର୍ବରୁ ସଂଧ୍ୟାରେ ମେଲୋଡ଼ି କାର୍ଯ୍ୟକ୍ରମ ଓ ଭଜନ ସଂଧ୍ୟା ସାଙ୍ଗକୁ ରାତସାରା ହେଉଥିବା ଅପେରା ନାଚ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତବର୍ଷ ବାତିଲ କରାଯାଇଥିବା ଗଙ୍ଗା ମନ୍ଦିର ପରିଚାଳନା କମିଟି ଓ ଗଙ୍ଗାସାଗର ମେଳା ଆୟୋଜନ କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏମିତିକି ପୂର୍ବରୁ ଶ୍ରଦ୍ଧାଳୁଙ୍କ ପାଇଁ ୭ ଦିନ ଧରି ଚାଲୁଥିବା ପ୍ରସାଦ ସେବନ ବ୍ୟବସ୍ଥାକୁ ମଧ୍ୟ ବନ୍ଦ ରଖାଯାଇଥିବା ସେମାନେ କହିଛନ୍ତି । ବଳରାମଗଡ଼ି ଘାଟରୁ ମାଛ ମାରିବାକୁ ସମୁଦ୍ରକୁ ଯାଉଥିବା ହଜାରେରୁ ଉର୍ଦ୍ଧ୍ୱ ଟ୍ରଲର, ଗିଲ୍ନେଟିଂ, ଭୁଟୁଭୁଟି ପ୍ରଭୃତି ବନ୍ଦ ରହିବା ସହ ମାଲିକ ଓ କର୍ମଚାରୀ ଉଭୟ ଏହି ମେଳାରେ ଗଙ୍ଗାମାତାଙ୍କଠାରେ ପୂଜାର୍ଚ୍ଚନା କରିଥିଲେ । ପ୍ରାୟ୬୦ ବର୍ଷ ଧରି ଏହି ମେଳା ଆୟୋଜିତ ହୋଇ ଆସୁଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ସଭାପତି ନରେନ୍ଦ୍ର ବିହାରୀ ଦାସ, ସମ୍ପାଦକ ତ୍ରିଲୋଚନ ବସ୍ତିଆ, କୋଷାଧ୍ୟକ୍ଷ ଉପେନ୍ଦ୍ର ବେହେରା, ଆନନ୍ଦ ତ୍ରିପାଠୀ, ବିନୋଦ ତ୍ରିପାଠୀ, ପ୍ରଭାଂଶୁ ଶେଖର ସିଂହ, ପୁରୁଷୋତ୍ତମ ମାଝୀ, ଶ୍ରୀଧର ମାଝୀ, ହରେକୃଷ୍ଣ ବାରିକ, ଗଜେନ୍ଦ୍ର ବାରିକ, ସଞ୍ଜୟ କୁମାର ଜେନା, ପରିମଳ ମାଇତି, ରଞ୍ଜିତ ମହାପାତ୍ର ପ୍ରମୁଖ କମିଟିର କର୍ମକର୍ତ୍ତାମାନେ ଏହି ମେଳା ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।