ବଳାତ୍କାରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦକ ସମ୍ମିନଳୀରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ବିଶ୍ୱଭୂଷଣ ଦାସ ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବଳାତ୍କାରୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମନ୍ତ୍ରୀ ନିଜ ପଦର ଦୂରୂପଯୋଗ କରି ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ତେଣୁ ମନ୍ତ୍ରୀପଦରେ ରହିବାର ତାଙ୍କର ନୈତିକ ଅଧିକାର ନାହିଁ । ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ଶ୍ରୀ ଦାସ । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନିଜ ବ୍ଲକରେ ଜଣେ ଦଳିତ, ଦୃଷ୍ଟିହୀନ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଖୋଦ୍ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି । କାରଣ ଅଭିଯୁକ୍ତ ଶିବ ପ୍ରସାଦ ମଲ୍ଲିକ ହେଉଛନ୍ତି ଅସ୍ତରଙ୍ଗ ବ୍ଲକ ବିଜେଡ଼ି ମିଡ଼ିଆ ସେଲ୍ର ସଭାପତି । ଅନ୍ୟ ଅଭିଯୁକ୍ତ ରାମଚନ୍ଦ୍ର ମଲ୍ଲିକ ଓ ମିଲନ ମଲ୍ଲିକ ମଧ୍ୟ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ । ଏହି ଅଭିଯୁକ୍ତମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହିତ ଏକାଠି ଫଟୋ ଉଠାଇଥିବାର ପ୍ରମାଣ ମଧ୍ୟ ରହିଛି । ତେଣୁ ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ମନ୍ତ୍ରୀଙ୍କ ଚାପରେ ପୋଲିସ୍ ପ୍ରଶାସନ ନୀରବତା ଅବଲମ୍ବନ କରୁଛି । ମନ୍ତ୍ରୀଙ୍କ ଘନିଷ୍ଠତା କାରଣରୁ ଅଭିଯୁକ୍ତମାନେ ଗିରଫ ହେଉନାହାଁନ୍ତି, ଫଳରେ ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିପାରୁ ନାହିଁ ବୋଲି ପିସିସି ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ ଅଭିଯୋଗ କରିଛନ୍ତି ।
ପୂର୍ବତନ ଆଇଜି ତଥା କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ପୋଲିସ୍ର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ନାବାଳିକ ପୀଡ଼ିତା ସ୍ପଷ୍ଟ ଭାବେ ବୟାନ ଦେବା ସତ୍ତ୍ୱେ ପୋଲିସ୍ର ନୀରବତା ରାଜନୈତିକ ଚାପର ପ୍ରତିଫଳନ । ପ୍ରଥମେ ପୀଡ଼ିତା ପରିବାରକୁ ଚାପ ପ୍ରୟୋଗ କରିବା, ଧମକ ଚମକ ଦେଇ ଘଟଣାକୁ ରଫାଦଫା କରିବା ପାଇଁ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀମାନେ ଚେଷ୍ଟା କଲେ । ଏଥିରେ ସଫଳ ନହେବାରୁ ମନ୍ତ୍ରୀ ନିଜେ ତାଙ୍କ ଗୃହ ବିଭାଗ ଅଧିନସ୍ଥ ପୋଲିସ୍ ବିଭାଗର ଅଧିକାରୀମାନଙ୍କୁ ଚାପ ପ୍ରୟୋଗ କରି ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛନ୍ତି । ଗତ ଜାନୁୟାରୀ ୨୮ ତାରିଖରେ ପିସିସିର ଏକ ତଥ୍ୟ ଅନୁଧ୍ୟାନକାରୀ ୭ଜଣିଆ କମିଟି ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଏହାପରେ ସ୍ଥାନୀୟ ଅସ୍ତରଙ୍ଗ ଥାନା ଅଧିକାରୀଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗାମୀ ଦିନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାରୀ ବେହେରା ଯଦି ଏହି ପରି ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଇ ତଦନ୍ତ ପ୍ର୍ରକ୍ରିୟାକୁ ପ୍ରଭାବିତ କରନ୍ତି, ତେବେ ତାଙ୍କୁ ରାଜରାସ୍ତାରେ ବିରୋଧ କରାଯିବ ଏବଂ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଶ୍ରୀ ବିଶ୍ୱଭୂଷଣ ଦାସ ଚେତାବନୀ ଦେଇଛନ୍ତି । ଆଜି ଏହି ସାମ୍ବାଦିକ ସମ୍ମଳନୀରେ ପିସିସି କିଷାନ ସେଲ୍ର ସଭାପତି ଅମିୟ ପଟ୍ଟନାୟକ, ଏସ୍ସି ସେଲ୍ ଅଧ୍ୟକ୍ଷ ବାଙ୍କନିଧି ବେହେରା, ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଜିଆଉଲ୍ ହକ୍, ନିରୂପମା ପାତ୍ର, ପ୍ରଭାବତୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


