ବସଷ୍ଟାଣ୍ଡ ଜମି ବିକ୍ରି ଉଦ୍ୟମର ପ୍ରତିବାଦ ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ବସଷ୍ଟାଣ୍ଡ ଜମିକୁ ବ୍ୟକ୍ତି ବିଶେଷଙ୍କୁ ବିକ୍ରି ପାଇଁ ସରକାରୀ ସ୍ତରରେ ହେଉଥିବା ଉଦ୍ୟମର ପ୍ରତିବାଦ କରି ଚଳିତମାସ ଶେଷ ସପ୍ତାହରେ ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ନିମନ୍ତେ ସିଭିଲ୍ ସୋସାଇଟି ନିଷ୍ପତ୍ତି ଗ୍ରହଣ କରିଛି । ବାଲେଶ୍ୱରର ବିଭିନ୍ନ ଗଣସଂଗଠନ ଓ ସାମାଜିକ ଅନୁଷ୍ଠାନଙ୍କୁ ନେଇ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଜରୁରୀ ବୈଠକରେ ଏହି ସିଦ୍ଧାନ୍ତ ନିଆଯାଇଛି । ସେହିଭଳି ପ୍ରବଳ ଗ୍ରୀଷ୍ମପ୍ରବାହରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା କମ୍ପାନୀର ଅଘୋଷିତ ବିଜୁଳି କାଟ୍କୁ ନେଇ ଏହି ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଚଳିତବର୍ଷ ବିଜୁଳିକାଟ ହେବନାହିଁ ବୋଲି ରାଜ୍ୟ ଶକ୍ତିମନ୍ତ୍ରୀ ବାରମ୍ବାର କହୁଥିବା ବେଳେ ପ୍ରତିଦିନ ଅଘୋଷିତ ବିଜୁଳିକାଟ ଜାରି ରହିବା ଦୁର୍ଭାଗ୍ୟର ବିଷୟ ବୋଲି ଉପସ୍ଥିତ ସଭ୍ୟମାନେ କହିଥିଲେ । ଅନୁରୂପ ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ୯ ମିନିଟ ବିଜୁଳି କଟିଯିବା ଘଟଣା ରାଜ୍ୟବାସୀଙ୍କୁ ନିନ୍ଦିତ କରିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏଭଳି ଅକ୍ଷମଣୀୟ ଅବହେଳା ତଥା ଦାୟିତ୍ୱହୀନତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସିଭିଲ୍ ସୋସାଇଟି ବୈଠକରେ ଦାବି କରାଯାଇଛି । ‘ବିଜୁ ଶ୍ରମିକ ବନ୍ଧୁୁୁୁୁୁୁୁୁୁୁୁ’ ସମ୍ମାନପ୍ରାପ୍ତ ସୋସାଇଟିର ଅନ୍ୟତମ ଉପଦେଷ୍ଟା ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କୁ ଏହି ଅବସରରେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୋସାଇଟିର ସମ୍ପାଦକ ଆଇନଜୀବୀ ମନୋଜ କୁମାର ନାୟକ, ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ମଞ୍ଚର ଜିଲା ସଂପାଦକ ଲକ୍ଷ୍ମୀଧର ବେହେରା, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଦାମୋଦର ନାୟକ, ଶ୍ୟାମସୁନ୍ଦର ଜେନା, ସୀତାରାମ ପ୍ରଧାନ, ସୁଦର୍ଶନ ଜେନା, ବେଣୁଧର ସାହୁ, ବେଣୁଧର ବାରିକ, ସୋମନାଥ ନାୟକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


