ବସଷ୍ଟାଣ୍ଡ ଜମି ବିକ୍ରି ଉଦ୍ୟମ ବିରୋଧରେ ଧାରଣା ଆଜି
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାବାସୀଙ୍କ ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ରେମୁଣା ଜାନୁଗଞ୍ଚ ମୌଜାର ପ୍ରସ୍ତାବିତ ବସଷ୍ଟାଣ୍ଡ ଜମିରେ ପ୍ରଶାସନ ତଥା ବ୍ରିଟ କର୍ତ୍ତୃପକ୍ଷ ବହୁତଳ ପ୍ରାସାଦ ଓ ବ୍ୟବସାୟ କେନ୍ଦ୍ର ନିର୍ମାଣ ସହ କରୁଥିବା ବିକ୍ରି ଉଦ୍ୟମକୁ ନେଇ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି । ତେଣୁ ବାଲେଶ୍ୱର ସିଭିଲ୍ ସୋସାଇଟି ସମେତ ବହୁ ସାମାଜିକ ସଂଗଠନ ପ୍ରଶାସନର ଜିଲା ବିରୋଧୀ ଆଭିମୁଖ୍ୟ ବିରୋଧରେ ମିଳିତ ଭାବେ ଆସନ୍ତାକାଲି ଅର୍ଥାତ ଶନିବାର୧୦ଟାରୁ ଜିଲାପାଳଙ୍କ ଫାଟକ ସମ୍ମୁଖରେ ଗଣଧାରଣା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳ କରିବା ଆଜି ମାଇକ ପ୍ରଚାର ସାଙ୍ଗକୁ ସନ୍ଧ୍ୟାରେ ବିଚାରଗଂଜ ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ମନୋଜ ନାୟକ ଓ ଉପଦେଷ୍ଠା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସୀତାରାମ ପ୍ରଧାନ, ସନ୍ତୋଷ ସାହୁ, ଆଇନଜୀବୀ ଅବଦୁଲ ରଫିକ୍, ପରମାନନ୍ଦ ପଣ୍ଡା, ସଞ୍ଜିବ ପତି, ରବୀନ୍ଦ୍ରନାଥ ଅଣ୍ଡିଆ, କାର୍ତ୍ତିକ ଘୋଷ, ସରୋଜ ପଣ୍ଡା, ମହମ୍ମଦ ଇକବାଲ୍ ଓ ଦାମୋଦର ନାୟକ ପ୍ରମୁଖ ଯୋଗଦେଇ ପ୍ରଶାସନର ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଥିଲେ ।