‘ବସୁଧୈବ କୁଟୁମ୍ବକମ୍‌’ ଆମ ସଂସ୍କୃତି ଓ ସଭ୍ୟତାର ମୂଳମନ୍ତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ସଂସ୍କୃତି ଓ ସଭ୍ୟତାର ମୂଳମନ୍ତ୍ର ହେଉଛି ‘ବସୁଧୈବ କୁଟୁମ୍ବକମ୍‌’ । ସାରା ବିଶ୍ୱର ଭରସା ଆମ ଉପରେ ରହିଛି । ଆମେ ନିଜ ପାଇଁ କାମ କରୁନୁ । ସାରା ବିଶ୍ୱ ହେଉଛି ଆମ ପରିବାର । ଆମର ମୂଳ ଲକ୍ଷ୍ୟ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ । ‘ବସୁଧୈବ କୁଟୁମ୍ବକମ୍‌’ ବିଷୟବସ୍ତୁ ଉପରେ ଆଧାରିତ ଭାରତର ଜି-୨୦ ଅଧ୍ୟକ୍ଷତା ସଫଳ କରିବା ପାଇଁ ଅତିଥି ଦେବୋ ଭବ ପରମ୍ପରାରେ ଅନୁପ୍ରାଣୀତ ହୋଇ ଯୁବକମାନେ ଆଗେଇ ଆସିବା ଦରକାର ବୋଲି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ଭୁବନେଶ୍ୱର ସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡ୍‌ମିନିଷ୍ଟ୍ରେସନ୍ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ଏନ୍‌.ସି.ଏସ୍‌.ସି.ଡ଼ି.ଏର ପୂର୍ବତନ ଉପନିର୍ଦ୍ଦେଶକ ରାମ କିଶୋର ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ, ବିଶେଷ କରି ସାମୂହିକ ଆର୍ଥିକ ସ୍ଥିରତା, ଅନ୍ତଃରାଷ୍ଟ୍ରୀୟ ଟିକସ ବ୍ୟବସ୍ଥାର ସୁସଂଗତୀକରଣ, ରାଷ୍ଟ୍ରମାନଙ୍କ ଋଣଭାର ଉପଶମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ଜି-୨୦ରେ ରହିଛି । ବିଶ୍ୱର ମୋଟ ଘରୋଇ ଉତ୍ପାଦର ୮୦% ରୁ ଉର୍ଦ୍ଧ୍ୱ ଜି-୨୦ରୁ ଆସିଥାଏ । ସେହିପରି ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଏହି ରାଷ୍ଟ୍ର ଗୋଷ୍ଠୀର ୭୫ ପ୍ରତିଶତ ଅବଦାନ ରହିଛି । ବିଶ୍ୱ ଜନସଂଖ୍ୟାର ୬୦% ହେଉଛି ଜି-୨୦ ରାଷ୍ଟ୍ର ସମୂହର । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁସୂଦନ ଦାସ, ଓଡ଼ିଶା ମିଲେଟ୍ ମିଶନର ଆଞ୍ଚଳିକ ସଂଯୋଜକ ରମାମଣି ରଞ୍ଜନ ନାୟକ, ନିସ୍‌ର ଚେୟାରମ୍ୟାନ ଡ. ସୁବାସ ଚନ୍ଦ୍ର ନାୟକ, ଯୁବ ଅଧିକାରୀ ବିପିନ୍ କୁମାର ପ୍ରମୁଖ ଯୋଗଦେଇ ପରିବେଶ ଓ ଜୀବନଶୈଳୀ, ଅନ୍ତର୍ଜାତୀୟ ମିଲେଟ୍ ବର୍ଷ-୨୦୨୩ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୮୫୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ କୁଳମଣି ମଲ୍ଲିକ, ଶୁଭେନ୍ଦ୍ରନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ