ବସୁମତୀ ସ୍ନାନ ରେ ଶେଷ ହେଲା ରଜ ପର୍ବ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ହେଉଛି ରଜ ଉତ୍ସବ ର ଶେଷ ଦିବସ।ପରମ୍ପରା ଅନୁସାରେ ଘରେ ଘରେ ହୋଇଛି ବସୁମତୀ ସ୍ନାନ। ଏହା ଧରା ସ୍ନାନ, ମହାଲକ୍ଷ୍ମୀ ସ୍ନାନ, ଶୁଦ୍ଧ ସ୍ନାନ ଭାବେ ପରିଚିତ। ପ୍ରାତଃ ରେ ଘରେ ଥିବା ଶିଳପୁଆ କୁ ହଳଦୀକନା ଗୁଡ଼ାଇ, ସେଥିରେ ସିନ୍ଦୂର, କଜଳ ଲଗାଇ ଧରଣୀ ମାତା ସ୍ୱରୂପ ରେ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ, ଆମ୍ବ ଡାଳ ରଖି କ୍ଷୀର ଦେଇ ସ୍ନାନ କରାଯାଇଥିଲା। ବସୁମତୀ ମାତା ଙ୍କ ନିକଟରେ ଫଳ ମୂଳ ଭୋଗ ଲାଗି କରାଯାଇଥିଲା। ମାସିକ ଧର୍ମ ର ବିଧି ଅନୁଯାୟୀ ଧରଣୀ ମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି। ରଜସ୍ୱଳା ନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ରହିବା ପରେ ଚତୁର୍ଥ ଦିନ ପ୍ରାତଃ ରେ ଘରେ ଘରେ ହୁଏ ଏହି ଶୁଦ୍ଧ ସ୍ନାନ। ଏହି ଦିନ ରଜପର୍ବ ର ଆନନ୍ଦ ଉଲ୍ଲାସ ମଉଳିଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ। ଏହି ବସୁମତୀ ସ୍ନାନ ଦିବସ ରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ। ଧରଣୀ ମାତା କୁ ମହିଳା ଙ୍କ ସହିତ ତୁଳନା କରାଯାଏ। ବସୁମାତା ରଜସ୍ଵଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶିଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି। ଯୁବତୀ ଓ କିଶୋରୀ ମାନେ ଏହି ପର୍ବ ରୁ ନିଜ ଜୀବନ ଶୈଳୀ ର ଶିକ୍ଷା ଗ୍ରହଣ କରିଥାଆନ୍ତି। ବସୁମତୀ ସ୍ନାନ ପରେ ଶେଷହୋଇଛି ରଜପର୍ବ। ରଜ ଉତ୍ସବ ଅବସର ରେ ତିନି ଦିନ ଧରି ବିଭିନ୍ନ ସ୍ଥାନ ରେ ସାହିତ୍ୟ ଆସର, ବନ୍ଧୁମିଳନ, ପିଠା ପ୍ରସ୍ତୁତି, ପୁଚି ଖେଳ ଆଦି ଅନୁଷ୍ଠିତ ହୋଇଥିଲା। ରଜ ଉତ୍ସବ ପାଇଁ ପୁର ଠାରୁ ପଲ୍ଲୀ ଉତ୍ସବ ମୁଖର ହୋଇ ପଡ଼ିଥିଲା।


