ବସୁଷେଣ
ମହାଭାରତରେ ଵସୁଷେଣ ଚରିତ୍ରଟିକୁ କିଏ କେଉଁ ଦୃଷ୍ଟିରେ ଅନୁଧ୍ୟାନ କରିଛି ଜଣାନାହିଁ, ହେଲେ ସେହି ଚରିତ୍ର ପ୍ରତି ସମ୍ମାନ, ସଂଭ୍ରମ, ଶହନଶୀଳତା, କାରୁଣ୍ୟତା ଆଜି ଭାରତୀଙ୍କ ମନରେ ଏଭଳି କାୟା ବିସ୍ତାର କରିଛି ଯେ ନିଜକୁ ସେହିସମୟର ଚରିତ୍ରରେ ଉପସ୍ଥାପନା କରି ତାଙ୍କ ପ୍ରେମିକାଟିଏ ହେବାର ଲୋଭ ଅସମ୍ଭବ ହେଲେ ବି ଅତି ପିଲାଦିନୁ ସେହି ଚରିତ୍ରପ୍ରତି ତାଙ୍କର ଅହେତୁକ ଦୁର୍ବଳତା ପରବର୍ତ୍ତୀ ସମୟରେ ସେ ନିଜକୁ ସେହି ମହିମାମୟ ସୁପୁରୁଷ ତଥା ପୁରୁଷଶ୍ରେଷ୍ଠ ବ୍ୟକ୍ତିଙ୍କ ପ୍ରେମିକା ଭାବି ହୋଇଛନ୍ତି ଆହ୍ଲାଦିତା ଓ କେବେ ମନ୍ତ୍ରମୁଗ୍ଧା ଓ ହୃଦୟ ଶାଶ୍ୱତ.
ପିଲାଦିନରୁ ମାଆର ମମତା ପାଇନଥିବା, ଏକ ବିଡ଼ମ୍ବିତ ଭାଗ୍ୟନେଇ ଜନ୍ମିଥିବା, ଅହରହ ଆତ୍ମଗ୍ଲାନି ରେ ଜର୍ଜ୍ଜରିତ ହୋଇଥିବା ସୁତ ପୁତ୍ରଙ୍କୁ ମୋର ଏହି ଗଳ୍ପ ମାଧ୍ୟମରେ ଭୂମିଷ୍ଠ ପ୍ରଣାମ, ସେହି ପ୍ରଣାମ ପହଞ୍ଚିପାରେ ନପାରେ ହେଲେ ଆନ୍ତରିକତା, ସ୍ୱାଭିମାନ, ନୈସର୍ଗିକ, ଆଧ୍ୟାତ୍ମିକଭରା ପ୍ରଣାମ ମୂଲ୍ୟର କଳନା ବା ତୁଳନା ନାହିଁ ଭାରତୀଙ୍କ ପାଖରେ, ସେଥିପାଇଁ ତ ବିବାହର ବହୁ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି କୋଳେଇ ନେଇଛନ୍ତି ଅନାଥ ପିଲାଟିକୁ ପୋଷ୍ୟ ପୁତ୍ର ଭାବରେ.
ସେଦିନ କଲେଜ ଜୀବନରେ ଦୀପକର ଚାଲିଚଳନ, ଢଂଗଢାଂଗ,, ବ୍ୟବହାର ନିଆରା ଲାଗୁଥିଲା, ସବୁ ବୁଝିବି ନ ବୁଝି ପାରିବାର ଛଳନା କରି ଅନ୍ୟମନସ୍କ ହୋଇ କରିଡର ରେ ଠିଆ ହୋଇଥିଲେ ତ ତଡ଼ିତ ବେଗରେ ଶିଡ଼ିଟପି ଦୀପକ ଆସିଥିଲା ତାଙ୍କ ସାମ୍ନା କୁ ଆଉ ଆଙ୍ଗୁଳି ନିର୍ଦେଶ କରି ଧମକ ଦେଉଥିଲା ତାଙ୍କୁ, “ଏ ଝିଅ ତୁ ମତେ କାହିଁ ଚାଂହିଥିଲୁ “, ତ ନିର୍ବାକ ତଥା ନିର୍ଭୀକ ଭାରତୀ ଦୀପକର ମନଗହନରେ ଦେଖିଥିଲେ, ପ୍ରେମର ପ୍ରତିଶୋଧ ପରାୟଣ ନିଆଁ, ସେ ଖାଲି ହସିଦେଇଥିଲେ, ଆଉ ସାଙ୍ଗଟି ତାଙ୍କପାଇଁ ପ୍ରତିକ୍ରିୟା ପ୍ରକାଶ କରୁଥିଲା ଏମିତି ଯେ, ଭାରତୀ ତତେ ଚାଂହିଥିଲା ତୁ ଜାଣିଲୁ କେମିତି? ତୁ ନିଶ୍ଚୟ ତାକୁ ଚାଂହିଥିଲୁ ନା? ତାର ଏପରି ଯୁକ୍ତିରେ ଭାରତୀ ହସିଦେଇ ମନେପକାଉଥିଲେ ସେହି ଦାମ୍ଭିକ, ପୁରୁଷଶ୍ରେଷ୍ଠ ଵାସୁଷେଣଙ୍କୁ, କାହିଁ ଏ ଛାର ଦୀପକ, କାହିଁ ସେ ବୀରପୁଙ୍ଗବ??? ସତରେ ତୁଳନା ନାହିଁ.
ସମେସ୍ତେ କହନ୍ତି ସେ କୁଆଡେ କଲେଜ ଜୀବନରେ ବହୁତ ସୁନ୍ଦରଥିଲେ ତ ସାରମାନେ ଲେକଚର ଦେଉ ଦେଉ ଯଦି କେବେ ଭାରତୀଙ୍କୁ ଭିର୍ଣ୍ଣ ଦୃଷ୍ଟିରେ ଅବଲୋକନ କରୁଥିଲେ ତ ଭାରତୀ କେବଳ ନିଜପାଖରେ ସେହି ନାଟକ, ଡ୍ରାମା, ଥିଏଟର ଓ ସିସିରିଏଲରେ ଦେଖିଥିବା ବସୁଷେଣଙ୍କ ଉପସ୍ଥିତି ହିଁ ପାଖରେ ଅନୁଭବ କରିଥିଲେ ଓ ଚାହାଣୀରେ ଜଣେଇ ଦେଉଥିଲେ ସେ ଆଉ କାହାର ପତ୍ନୀ ରୂପରେ, ପ୍ରେମିକା ରୂପରେ, ଆଉ କାହାର ପୃଷ୍ଠପୋଷକତାରେ ସମୃଦ୍ଧା, ସେ ନୁହନ୍ତି ନିଶିଗନ୍ଧା, ତାଙ୍କ ଗର୍ବ, ଦମ୍ଭ, ଦାମ୍ଭିକତା ଦେଖିଲେ କେହି ପାଖ ମାଡ଼ନ୍ତି ନାହିଁ ତାଙ୍କୁ ଦୃଷ୍ଟି ତୋଳି ଚାହିଁବାକୁ.
ଘରେ ମାଆ ବହୁ ଅନୁନୟ ବିନୟ କରିଥିଲେ, ତାଙ୍କୁ ବାହାହେବାକୁ, ହେଲେ ତାଙ୍କର ଏକାଯିଦ, ମୁଁ ବିବାହ କରିପାରିବିନି ମାଆ, ମୁଁ ବିବାହିତା, ମାଆ କାବା ହୋଇ ପଚାରନ୍ତି କେବେ, କେଉଁଠି, କେମିତି କାହାକୁ କୋର୍ଟ ବିବାହ କଲୁକି ର ଉତ୍ତରରେ ସେ ହସିଦେଇ କୋଳରେ ଲୋଟିପଡି ଗଡିଯାନ୍ତି ତ ମାଆ ଉଠୁମ ତୋ ରଙ୍ଗଢଙ୍ଗ ମତେ କିଛି ଭଲ ଲାଗୁନି କହି କାନ୍ଦିପକାନ୍ତି, ତୁ କଣ ମୀରା, ତୁ କଣ ରାଧା, ତୁ କଣ ବୋଲି ନିଜକୁ ଭାବିଛୁ????
ବାପା କେତେ କେଉଁଠୁ ପ୍ରସ୍ତାବ ଆଣନ୍ତି ତାଙ୍କପାଇଁ, ହେଲେ ସେ ନିରୁତ୍ତର, ବାପା କେବଳ ଅପ୍ରସ୍ତୁତ ହୁଅନ୍ତିନାହିଁ ଆସ୍ତେ ଆସ୍ତେ କ୍ଷୀଣ ହୋଇଯାନ୍ତି ହେଲେ ଭାରତୀଙ୍କ ଭିତରେ ଚମକୁଥାନ୍ତି କେହିଜଣେ ରାଜକୀୟ ଠାଣିରେ, ଦମ୍ଭ ଆଉ ଦାମ୍ଭିକତା ରେ.
ନିରୋଳାରେ ଭାରତୀ ପ୍ରଶ୍ନ ପଚାରନ୍ତି ବସୁଷେଣଙ୍କୁ କଣ ପାଇଲେ ଆର୍ଯ୍ୟପୁତ୍ର? କଣ ପାଇଲ ଦାନୀ ହୋଇ? କଣ ରହିଲା ତୁମ ଦାନର ମୂଲ୍ୟ? ସେଦିନ ତୁମକୁ ସ୍ୱପ୍ନରେ ସୂର୍ଯ୍ୟ ଦେବତା ଚେତେଇ ଦେଲାପରେ ବି ତୁମେ କାହିଁକି ଶୁଣିଲନି ତାଙ୍କ କଥା? କାହିଁକି ସମସ୍ତଙ୍କ ସ୍ୱାର୍ଥରେ ତମେ ପଡିଲ ବଳି? ତମେ କଣ ଜାଣିନଥିଲ, ସବୁ ଯୁଗରେ ବି ସ୍ୱାର୍ଥୀ ଭିକାରୀ ଥାଆନ୍ତି ବୋଲି?
ବସୁଷେଣ ସତେ ଯେମିତି କହୁଥାନ୍ତି କଣ ପାଇଁ ବଂଚିବାର ମୋହ ରଖିଥାନ୍ତି କୁହ? ମାଆ ଯେଉଁଠି ମୋ ପରିଚୟ ଦେବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି, ଭାଇମାନେ ଯେଉଁଠି ମତେ ଥଟା ପରିହାସ କରନ୍ତି, ମୁଁ କାହା ପାଇଁ ବଞ୍ଚିଥାନ୍ତି? କିଏ ମତେ ଭଲପାଏ? କାହାର ଥିଲା ମୋ ପ୍ରତି ଆସକ୍ତି? ତ ଭାରତୀଙ୍କ ଆଖିରୁ ଝରିଯାଏ କେତେ ଯେ ତତଲା ଲୁହ ତାର ହିସାବ ନାହିଁ !ଭାରତୀ କାନ୍ଦିବାର ଦେଖିଲେ ବାପା ମାଆ ବିଚଳିତ ହୋଇପଡନ୍ତି, କଣ ସମସ୍ୟା କହ ? କେମିତି ବା କିପରି ବର ତୋର ପସନ୍ଦ କହ?, ତ ନିରୁତ୍ତର ଭାରତୀ ଙ୍କୁ ବୁଝାଇପାରନ୍ତି ନାହିଁ ବାପା ମାଆ ଅବା ନିକଟ ସମ୍ପର୍କୀୟ ମାମୁଁ ମାଇଁ ଅଜା ଆଇ ନା ପାଖରେ ରହୁଥିବା ଜେଜେ, ଜେଜେମାଆ ଦାଦା ବଡବାପା ବଡ଼ମା ଖୁଡୀ, ଶେଷ କୁ ଭାରତୀ ବାଛିନେଲେ ଚାକିରୀ ଜୀବନ.
ଆଜିକାଲିର ଏକତରଫା ପ୍ରେମ ରେ ଅଧିକାଂଶ କହିଲେ ଭୁଲ ହେବନି. ସ୍ଥାନୀୟ ଯୁବକ ପ୍ରାୟେ ଶହେରୁ ଅନେଶତ ଭାଗ ଚାଁହୁଥିଲେ ତାଙ୍କ ସହ ବିବାହ ବନ୍ଧନ, କଣ ବୋଲି ଭାବନ୍ତି କେଜାଣି ଯୁବ ସମାଜ ନିଜକୁ?? ଅନ୍ୟର ଯେ ମନ ଅଛି ଏକଥା ଭୁଲିଯାଇ କେବଳ ସେ ସୁନ୍ଦରୀ, ଶିକ୍ଷିତା ସର୍ବୋପରି ରୋଜଗାରକ୍ଷମ ହୋଇଥିବାରୁ ପ୍ରସ୍ତାବ ପରେ ପ୍ରସ୍ତାବ ପିତାମାତା ଙ୍କ ନିକଟରେ ତ ଅଜସ୍ର ଚିଠି, ଭେଟି, ଗ୍ରୀଟିଙ୍ଗସ ଠୁ ଆରମ୍ଭ କରି ପ୍ରେମପତ୍ର ଏବଂ ଟେଲିଫୋନ ରେ ବାର୍ତ୍ତା ଓ ମେସେଜ !କଣ କରିବେ ଭାରତୀ, ଜଗିରଖି ନଚାଲିଲେ ଜୀବନ ପ୍ରତି ବି ବିପଦ ଅଛି ତଥାପି ତାଙ୍କୁ ଲାଗେ ଯୋଦ୍ଧା ବସୁଷେଣ ତାଙ୍କ ପାଖେ ପାଖେ, ସେହି ଆସ୍ପର୍ଦ୍ଧା ଓ ଦିବ୍ୟକାନ୍ତି ଚେହେରାରୁ ଦୀପ୍ତି ଆଉ ଆଭା ଜ୍ୱାଜ୍ଜୁଲ୍ୟମାନ, ହେଉ ପଛେ କଳ୍ପନା ତାରି ଭିତରେ ସେ ସାଉଁଟାନ୍ତି ବାସ୍ତବତା, ପଚାରନ୍ତି ପୁଣି, କାହିଁକି ଆର୍ଯ୍ୟ କାହିଁକି ତୁମର ଏ ଭାଗ୍ୟ, ତୁମ ପ୍ରତି ସମସ୍ତଙ୍କର ଏତାଦୃଶ କପଟ, କାହିଁକି ତମର ଏ ଭାଗ୍ୟ, କାହିଁକି ତମେ ଅଭିଶପ୍ତ? ଉତ୍ତରରେ ପ୍ରତିଥର ପରି ଛାୟାଟି ହସୁଥାଏ ଆବେଗର ଆସ୍ପର୍ଦ୍ଧା ରେ କୋମଳ ନୟନ ମେଲି ତ ହଲଚଲ ହୋଇଯାନ୍ତି ଭାରତୀ, ମୁଖନତ କରି ଭୂମିପରେ ସାଉଁଟାଉଥାନ୍ତି ନଖ.
ଦୃଷ୍ଟି ଗୋଚର ହୁଏ ଅନ୍ୟମାନଙ୍କର, କିଏ କଣ ଭାବେ ତାଙ୍କ ବିଷୟରେ, ସହକର୍ମୀ ଙ୍କ ପ୍ରଶ୍ନିଳ ଆଖି, ସାଙ୍ଗସାଥିଙ୍କର ଆଙ୍ଗୁଳି ନିର୍ଦେଶ ତାଙ୍କ ଆଡକୁ, କିଏ କହେ ଘନିଷ୍ଠ ହୋଇ, ଖୋଲି କହୁନୁ କାହିଁକି କାହାକୁ ଭଲପାଉ ଭାରତୀ? କିଏ ସେ, ଜାତିଗୋତ୍ର ସମାନ ନୁହେଁ କି? ତଥାପି ସେ ନିରୁତ୍ତର, ତାଙ୍କ ପାଇଁ ମାଆ ରୋଗ ଶଯ୍ୟା ରେ, ବାପା ଆଶଙ୍କାଗ୍ରସ୍ତ.
ଭାରତୀ ଶୁଣନ୍ତି ସେହି ଭୀରୁ କାପୁରୁଷମାନଙ୍କ କଥା ଓ କାହାଣୀ, ଝିଅଟିଏ ଆଜି ଏସିଡ ମାଡ ରୁ ରକ୍ଷା ପାଉନି, ବିଚ ରାସ୍ତାରେ ମାନମହତ ରକ୍ଷାକରିପାରୁନି, ନିରୋଳା ରାସ୍ତାରେ ଶକ୍ତ ପ୍ରହାରରେ ଜୀବନହାରିଛି ତ କେବେ ଗଣଦୁଷ୍କର୍ମର ଶିକାର ହେଉଛି, ଆଉ ଏସବୁ ପ୍ରାୟ ଅବିବାହିତା ଝିଅଟି କ୍ଷେତ୍ର ରେ ଘଟୁଛି ତ ବଦଳିଗଲା ଭାରତୀଙ୍କ ପରିଚୟ, ସେ ପିନ୍ଧିଲେ ବସୁଷେଣଙ୍କ ନାମରେ ସିନ୍ଦୁର, ତାଙ୍କରି ନାମରେ ଆଖିରେ ମାଖିଲେ କଜ୍ଜ୍ୱଳ, ପାଦରେ ଦେଲେ ଅଳତାର ଗାର,, ହାତରେ ଚୁଡ଼ି, ଜଗତ ସ୍ତଂଵିଭୂତ, ଆବାକ, ସାଙ୍ଗସାଥିଙ୍କର ଜିଜ୍ଞାସା ସବୁକୁ ବେଖାତିର କରି ସେ ହେଲେ ବଧୂବେଶ ହେଲେ ଭାବିଥିଲେ ଯାହା ଫଳ ହେଲା ଓଲଟା, ମାଆ ଚାଲିଗଲେ ପରପାରିକୁ ବାପା ହେଲେ ଶଯ୍ୟାଶାୟୀ, ବନ୍ଧୁବାନ୍ଧବଙ୍କ ତୀର୍ଯ୍ୟକ ଦୃଷ୍ଟି, ରେ ଅସହିଷ୍ଣୁ ଭାବରେ. ସେ ଦେଖନ୍ତି ବସୁଷେଣଙ୍କୁ, ସେହି ଦିପ୍ତିମୟ କାନ୍ତି, ଉଚ୍ଚାଶୀର, ଅତ୍ୟନ୍ତଯୋଦ୍ଧା ଓ ସାହାସୀ ବସୁଷେଣଙ୍କୁ, ରାତିରେ ସୂର୍ଯ୍ୟଦେବ କହିଗଲେ ନା ତୁମକୁ ଦାନୀ ନହେବା ପାଇଁ, ତୁମ ଦାନ ତୁମର ଶେଷ ପରିଣତି ଡାକି ଆଣିବ ବୋଲି ତୁମକୁ ସତର୍କ କରିଦେଇ ଗଲେ ନା ତଥାପି ତମେ ଇନ୍ଦ୍ରଙ୍କ ମାୟାବୀ ରୂପରେ କାହିଁକି ଭୁଲିଗଲ ଜୀବନ ଧାରଣର ମୂଲ୍ୟବୋଧ, ଆଉ ଜଣେ ପିତାଙ୍କର ଆକୁଳ ବିକଳ କାତରତା ପୂର୍ଣ୍ଣ ଲୋତକ ଭରା ଆଖି.
ବସୁଷେଣ ହସୁଥିଲେ ଆତ୍ମତୃପ୍ତିର ହସ, ସେ ସମସ୍ତଙ୍କ ଠାରୁ ଊର୍ଧ୍ୱରେ, ଜୀବନସାରା ପିତାଙ୍କ ସ୍ନେହ ନପାଇଥିବା ପୁତ୍ରର ମୃତ୍ୟୁ ପାଇଁ କାହିଁକି ଏତେ ସ୍ନେହ? ଜୀବନସାରା ମାଆ ବୋଲି ସମ୍ବୋଧନ କରିବାକୁ ପାଇନଥିବା ତାଙ୍କ ମୃତ୍ୟୁରେ କିବା ଦୁଃଖ !ଭାରତୀଙ୍କ ଆଖିରେ ଲୁହ, ତାଙ୍କୁ ଜଳଜଳ ଦିଶୁଥାଏ ବସୁଷେଣଙ୍କ କର୍ଣ୍ଣରୁ ରକ୍ତ ଧାରଧାର ଓ ରକ୍ତ ରଂଜିତ ଛାତି, ବୁଝାନ୍ତି ଭାରତୀ, ଦେବେକୀ ଯଶୋଦା ଭିତରୁ କିଏ କୃଷ୍ଣ ଙ୍କ ପ୍ରିୟ?, ତୁମେ କାହିଁକି ଶିଖି ପାରିଲନି ସେକଥା, ଅଟ୍ଟହାସ୍ୟ କରିଉଠନ୍ତି ବସୁଷେଣ, ଜୀବନ ରକ୍ଷା କରିବାକୁ ଯାଇ ଦେବକୀ ଟେକିଦେଲେ ଯଶୋଦାଙ୍କ ହାତରେ ହେଲେ କୁନ୍ତିଦେବୀ ମୋ ଜୀବନ ଚାଲିଯିବା ପାଇଁ ଭସାଇଦେଇଥିଲେ ନା ମତେ ନଈ ରେ? କାନରେ ହାତଦିଅନ୍ତି ଭାରତୀ ତଥାପି ମାର ସ୍ନେହ ମମତାର ଅନେକ ଉଦାହରଣରେ ବୁଝାଉଥାନ୍ତି, ହେଲେ ନିଜ ମାଆ ର ମୃତ୍ୟୁ ଓ ପରେ ପରେ ପିତାଙ୍କ ମୃତ୍ୟୁର ଶେଷ ବାକ୍ୟ, ଭାରତୀ ତୁ ମୋ କଥା ରଖିଲୁନି, ଅବସାଦ ଅବଶୋସ ରେ ତୋ ମାଆ ର ସହଯାତ୍ରୀ ହେବାକୁ ଆଉ କେତେ କ୍ଷଣ?? ବାକ୍ୟ ଟି ତାଙ୍କ କର୍ଣ୍ଣ ପଟଳ ରେ ଗୁଂଜରିତ ହେଉଥାଏ. ଭାରତୀଙ୍କ ପିତା ଚାଲିଗଲେ ଆଉ ସେ ଅନାଥ ହେବା ପୁର୍ବରୁ ଅରଫାନ ପିଲାଟିଏ କୂ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କରି ଆଉ ନିଜକୁ ଅନାଥ ମନେ କରୁନଥିଲେ, ଆଉ ତାହା ଦ୍ୱାରା ଅନେକଙ୍କ ମୁଁହ ବନ୍ଦ କରିବାକୁ ଚେଷ୍ଟା କରି ବାକୁ ଯାଇ ବି ତଥାପି ନିର୍ଯାତିତା, ସମ୍ନାନହୀନା ରୂପେ ପରିଗଣିତା ହେବାକୁ ପଡୁଥିଲା ସେମିତି କିଛି ସ୍ୱାର୍ଥୀ ଭିକ୍ଷୁକ ମାନଙ୍କ ଦ୍ୱାରା. ଧନରେ ଲୋଭ, ଧନରେ ସ୍ୱାର୍ଥ ରଖୁଥିବା ଲୋକମାନେ ଅପସରି ଯାଉଥିଲେ ଜୀବନର ଚଲାପଥରୁ ଜଣଙ୍କ ପରେ ଜଣେ କାରଣ ବସୁଷେଣଙ୍କ ଆଦର୍ଶରେ ସେ ସମସ୍ତ ପୈତୃକ ସମ୍ପତ୍ତି କରିଦେଇଥିଲେ ବଡବାପା ଦାଦା ଙ୍କ ନାମରେ, ମାସକୁ ମାସ ମୋଟା ଅଙ୍କର ସାହାଯ୍ୟ ଯୋଗାଇଦେଉଥିଲେ ଜେଜେମାଆ ଜେଜେଙ୍କ ପାଳନ ପାଇଁ, ସବୁ ବନ୍ଧୁ ବାନ୍ଧବଙ୍କ ମୁଁହ ପାଟି ଚୁପ ସିନା ହେଲେ ବି ଏ ବୟସରେ ତାଙ୍କ ସାନିଧ୍ୟ ପାଇବାକୁ ଅନେକ ଆଗେଇ ଆସୁଥିଲେ.
ବନ୍ଧୁତାର ଖାତିରିରେ, ପାରିପାର୍ଶିକ ସହନଶୀଳତା ରେ କେହି ଥରେ ତାଙ୍କୁ, ନିଜକୁ ସୁନ୍ଦରୀ ବୋଲି ଟିକେ ଭାବ କହିବାରେ, ସେ ଅନୂଢ଼ା କିଶୋରୀ ସଦୃଶ ଗର୍ବ ଗୌରବ ଲାଭ କରି ନିଜକୁ ଧନ୍ୟ ମନେକରି କହୁଥିଲେ ଦେଖତ ବସୁଷେଣ, ତୁମ ପ୍ରେମିକା, ପ୍ରାଣପ୍ରିୟାର ସୌନ୍ଦର୍ଯ୍ୟରେ ଆଜି ବି ଜଗତ ମୁଗ୍ଧ, ତମେ ନିଷ୍ପତ୍ତି ବଦଳେଇ ନିଅ, ଡେରିକରନା, ହେଲେ ନେଡି ଗୁଡ଼ କହୁଣିକୁ ବୋହିସାରିଥିଲା.
ସମ୍ମୁଖଭାଗେ ଯୁଦ୍ଧରେ ଅର୍ଜ୍ଜୁନ ଙ୍କ ରଥରେ ସାରଥୀ ନିଜେ ଶ୍ରୀକୃଷ୍ଣ, କପଟପାଶାରେ କବଳିତ ବସୁଷେଣ, ଭଗ୍ନ ମନୋବଳ, ସୂର୍ଯ୍ୟପୁତ୍ରଙ୍କ କର୍ଣ୍ଣ ଓ ବକ୍ଷ ଆଜି ରକ୍ତ ଜର୍ଜ୍ଜରିତ, ସମସ୍ତ ସମ୍ଭାବନା ଆଜି ତାଙ୍କ ପାଖରେ ପରାହାତ, ଆଉ ଶେଷକୁ ସାରଥୀ ବସୁଷେଣ ଚିତ୍କାର କରୁଥିଲେ, ଅଟହାସ୍ୟ କରି କହୁଥିଲେ ଇନ୍ଦ୍ରଙ୍କୁ, ତାତ୍ସଲ୍ୟ କରୁଥିଲେ, ହେ ଇନ୍ଦ୍ର, ଦେଖିଯାଅ ଦାନନେଇ ତୁମେ ମହାନ ନା ଦାନଦେଇ ମୁଁ କୀର୍ତ୍ତିମାନ???? ସ୍ୱର୍ଗରୁ ସୂର୍ଯ୍ୟଦେବ ବି ମାଥାନୁଆଇଁ ବସୁଷେଣ ଙ୍କ ସୂର୍ଯ୍ୟାସ୍ତ ସହିନପାରି ପୁତ୍ରଶୋକରେ ଅଭିଭୂତ ହେଉ ହେଉ ବି ପରମ ଶାନ୍ତି ଲଭୁଥିଲେ ପିତୃତ୍ୱର ସାର୍ଥକତା, ବୀରତ୍ୱର ପରାକାଷ୍ଠା ଆଗରେ ମୁଣ୍ଡ ନଇଁଯାଉଥିଲା ସଗର୍ଵରେ ସୂର୍ଯ୍ୟଦେବଙ୍କର.
ଭାରତୀଙ୍କୁ ଯେବେ ତା ପରଦିନ ସମେସ୍ତେ ଦେଖିଲେ ପାଟିଖୋଲି କେହିକିଛି କହିପାରୁନଥିଲେ, କାରଣ ବିବର୍ଣ୍ଣା ଭାରତୀଙ୍କ ହାତରେ ନଥିଲା ଚୁଡ଼ି, କପାଳରେ ନଥିଲା ସିନ୍ଦୁର କି ଗଳାରେ ନଥିଲା ମଙ୍ଗଳସୂତ୍ର, ହେଲେ କାହାପାଇଁ ତାଙ୍କର ବିଧବା ବେଶ କେହି ଜାଣିପାରୁନଥିଲେ.
ଭାରତୀ ପଢ଼ୁଥିବା ସେଇ କଲେଜ ଜୀବନର ଦୀପକ ଯେବେ ସେହି ବ୍ୟାଚ ବନ୍ଧୁମିଳନରେ ଦେଖାହେଲା, ତ, ସେ ବି ଚମକି ପଡିଥିଲା ଭାରତୀଙ୍କୁ ଦେଖି କିନ୍ତୁ ପଚାରିପାରୁନଥିଲା ଆରେ ତୁ କେବେ କୋଉଠି କୋଉଦିନ ବାହାହେଲୁ ପୁଣି ଏଵେ କଣ କେମିତି…….???? ଇତ୍ୟାଦି କିଛିବି ପଚାରିପାରୁନଥିଲା ଦୀପକ ତଥାପି ଶିଡ଼ି ପରେ ଶିଡ଼ି ଦେଇ ଭାରତୀ ସହ ତଳକୁ ଆସିଥିଲା ତ ଭାରତୀ ସାଥିରେ ଛୋଟ ତିନି କି ଚାରି ବର୍ଷର ପୁଅକୁ ଦେଖି ଅଭିଭୂତ ହୋଇ ନିର୍ବାକ ଆଖିରେ ଚାଂହିଥିଲା ଖାଲି, ଭାରତୀର ଅବୟବ ବହୁଦୂର ପର୍ଯ୍ୟନ୍ତ ଦେଖାଯିବା ଯାଏଁ.
ଭାରତୀକିନ୍ତୁ ମଜ୍ଜିଯାଇଥିଲେ ସେଇ ବସୁଷେଣଙ୍କ ଭାବନାରେ, କଣ କଲ ସୂର୍ଯ୍ୟପୁତ୍ର? କାହିଁକି କରିଦେଲ ଦାନ? ଥରେ ବି ଭାବିଲନି ତୁମ ପିତା ସୂର୍ଯ୍ୟଦେବ ମାତା କୁନ୍ତିଦେବୀ ତଥା ଧୀବର ଜନକଜନନୀଙ୍କ କଥା ବା ଥରେ ଚାଂହିଲନି ମୋ ଆଡ଼େ? ଉତ୍ତରରେ ସଗର୍ଵରେ ବସୁଷେଣ ସତେ ଯେମିତି ତାଙ୍କର ବୀରତ୍ୱ, ସାହାସିକତା, ନିର୍ଭିକତା, ଦାନୀକର୍ଣ୍ଣର ବିଶେଷ ଗୁଣଗୁଡିକୂ ବିଶେଷଣ କରିଚାଲିଥିଲେ. ସେଦିନ ବାମନ ରୂପୀ ଭଗବାନ ଙ୍କ ଦ୍ୱାରା ରାଜା ବଳିଙ୍କୁ ପାତାଳେ ଚାପିବା କଥା ଆଲୋଚିତ ହେଉଥାଏ, ଅତି ରୁ ଇତି କଥାର ମହତ୍ୱ ପ୍ରତିପାଦନ କରିବାକୁ ବଳିଙ୍କର ପାତାଳ ଗମନରେ ସମେସ୍ତେ ଦୋଷ ଦେଇ ଦାନଵରାଜା ବଳୀଙ୍କୁ ଛି ଛାକର କରୁଥିଲେତ ହଠାତ ଉତକ୍ଷିପ୍ତ ହୋଇ ପାଟି କରି ଚିତ୍କାର କରିଉଠିଲେ ଭାରତୀ “କଣ ଜାଣିଛ ତୁମେ ମାନେ ଦାନ ର ମହତ୍ୱ କଣ ବୁଝିଛ ତୁମେ ମାନେ ଦାନୀ ର ମହତ୍ୱ, କଣ ବା ଭାବିଛ ଦାନମାନୀ ଙ୍କ ବିଷୟରେ? “, କହୁକହୁ ଚେତା ହରାଇ ତଳେ ପଡ଼ିଯାଇଥିବା ଭାରତୀଙ୍କୁ ପ୍ରକୃଷ୍ଠ କରିବାରେ ପାଞ୍ଚ କି ଛ ଘଣ୍ଟା ତ ଅତି କମରେ ଲାଗିଥିଲା କିନ୍ତୁ କେହି କିଛି ବୁଝିପାରୁନଥିଲେ, କଲବଲ କରି ଚାଁହୁଥିଲେ ଭାରତୀ ମୁଁହକୁ କେବଳ.
ଭାରତୀଙ୍କୁ କିନ୍ତୁ ଜଳଜଳ ଦିଶୁଥିଲା ଦୁର୍ଯ୍ୟୋଧନ ଙ୍କ ରଥର ସାରଥୀ, ସ୍ୱାର୍ଥୀ ଇନ୍ଦ୍ରଙ୍କୁ ସବୁକିଛି ଦାନ କାରିସାରିବା ପରେ ବି କେତେ ଜାଜ୍ଜୁଲ୍ୟମାନ ପ୍ରତୀୟ ହେଉଥିଲେ, ଗାରିମାର ଗୌରବାନ୍ବିତ ହୋଇ କିଏ କହିଲା ଦାନ କରି ଦାନୀ ହୋଇ ତାଙ୍କର ହାନି ହେଲା ବୋଲି,??? ବରଂ ସେ ତ କାଳଜୟୀ, ଯୁଗାନ୍ତରୀ ହୋଇଗଲେ.
ଛୋଟ ପିଲାଙ୍କ ସ୍କୁଲ ରେ ପଢୁଥାଏ ପୁଅ, ସେଦିନ ସ୍କୁଲରେ ବାର୍ଷିକ ଉତ୍ସବ ଥାଏ ଭାରତୀଙ୍କୁ ସମୟ ନଥିଲା ପୁଅ ସହ ସ୍କୁଲ ଯିବାକୁ ତ ପୁଅ ଅଭିମାନ କରିଥିଲା, ସମସ୍ତଙ୍କ ଅଭିଭାବକ ମାନେ ଆସିଥିବେ, ତାକୁ ବୁଝାଇ ସୁଝାଇ ସ୍କୁଲ ବସ ରେ ଛାଡି ପୁଣି ପ୍ରତ୍ୟାବର୍ତ୍ତନ କୁ ଅପେକ୍ଷା କରିଥିଲେ, ତ ବସ ରୁ ଓଲ୍ହେଇ ଫ୍ୟାନସି ଡ୍ରେସସ ରେ ମୁଁ କର୍ଣ୍ଣ ମୁଁ କର୍ଣ୍ଣ, ମୁଁ ଦାନବୀର ହରିଶ୍ଚନ୍ଦ୍ର ଙ୍କପରି ଦାନୀକର୍ଣ୍ଣ , ମୁଁ ମାଆ, ମୁଁ ସୁତ ପୁତ୍ର କର୍ଣ୍ଣ କହି ଦଉଡି ଆସୁଥିଲା.
ବେହୋସ ହୋଇଗଲେ ଭାରତୀ ଚେତା ଫେରିଲା ପରେ ଠାଏ କରି ଚାପୁଡ଼ାଟିଏ କଷି ଦେଇ ପୁଅ ଗାଲରେ କହୁଥିଲେ ତୁ କର୍ଣ୍ଣ ହୋଇପାରିବୁନି ତୁ କର୍ଣ୍ଣ ହୋଇ ପାରିବୁନି, ଛୋଟ ପିଲାଟି କିଛି ବୁଝି ନପାରି ଫୁଲି ଫୁଲି କାନ୍ଦୁଥିଲା କିଛି ସମୟ ତ, ହୋସ ଆସିଥିଲା ଭାରତୀଙ୍କୁ, ପିଲାଟିକୁ କୋଳକୁ ନେଇ ସେଦିନ ସେ ଏତେ କାନ୍ଦିଥିଲେ ବୋଧହୁଏ ଜୀବନ ରେ ଆଗରୁ ଏମିତି କେବେ କାଂଦିନଥିଲେ, ତଥାପି ମନହୃଦୟ ଭିତରେ ବସିଥିବା ସେହି ଚରିତ୍ର ବସୁଷେଣ ଙ୍କ ପ୍ରତିମୂର୍ତ୍ତି ଯିଏ ହୃଦୟ ସିଂହାସନ ରେ ବସି ମୁରୁକି ମୁରୁକି ହସୁଥିଲେ ତ, ଭାରତୀ ଆଜି ପ୍ରଥମଥର ଜାଣିଲେ ତାଙ୍କୁ ସତରେ ପ୍ରେମ ହୋଇଯାଇଛି ବିଗତ ଦିନରୁ ଆଜିଯାଏଁ ତ ଭବିଷ୍ୟତ ରେ ସେ କେବଳ ପ୍ରେମିକାଟିଏ, ପୁତ୍ରର କର୍ଣ୍ଣ ପୋଷାକ ତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଯେମିତି, ପୁଅକୁ କୋଳକୁ ନେଇ କଇଁ କଇଁ କାନ୍ଦୁଥିଲେ ପିଲାଟି କିନ୍ତୁ କଣ ବୁଝିଲା କେଜାଣି କର୍ଣ୍ଣ ଙ୍କ ବେଶ ପୋଷାକ ବଦଳାଇ ଦୁରକୁ ଫୋପାଡ଼ି ମାଆ କୋଳରେ ଲୋଟି ଯାଇଥିଲା, ଭାରତୀଙ୍କ ଅନ୍ତରରେ ବସୁଷେଣ ଙ୍କ ପ୍ରତିବିମ୍ବ ପ୍ରତିଫଳିତ ହେଉଥିଲା ଆଉ ଆଜି ପ୍ରଥମ ଥର ମନେ ହେଲା ସେ ଭାରତୀ ନୁହନ୍ତି ସେତ ଦ୍ରୌପଦୀ କେବଳ ଦ୍ରୌପଦୀ.
ନିଜକୁ ଦ୍ରୌପଦୀ ବୋଲି ଭାବିନେଲା ପରେ ଭାରତୀଙ୍କ ଆଖିରେ ଦୃଷ୍ଟି ଗୋଚର ହେଲା, ଅଗ୍ନିସମ୍ଭୁତା ଦ୍ରୌପଦୀ, ପିତା ଦ୍ରୁପଦଙ୍କ ମାନ ରକ୍ଷା ପାଇଁ ସୃଷ୍ଟି ଯାଜ୍ଞସେନୀ ଭାବରେ, ସେଦିନ ଦ୍ରୌପଦୀଙ୍କ ସ୍ଵୟମ୍ବର ସଭାରେ ସମସ୍ତ ବୀର ଜଣ ଜଣ କରି ହାରିଗଲା ପରେ, ଦୁର୍ଯ୍ୟୋଧନ ଦୁଃଶାସନ ଆଦି ବୀର କ୍ଷତ୍ରିୟ ପୁତ୍ର ମାନେ ଲଜ୍ଜ୍ୟାନତ ଶୀର ପୋତି ବସିଥିବା ବେଳେ ବସୁଷେଣ ହିଁ ସମର୍ଥ ହୋଇଥିଲେ ଶରଭେଦ କରିବାକୁ, ଆଉ ପ୍ରଥମ ଦେଖାରେ ମନ ହୃଦୟ କିଣି ନେଇଥିଲେ ଦ୍ରୌପଦୀ ଙ୍କର, ହେଲେ ଏ କଣ ସେ ସୁତପୁତ୍ର କହି ତାଙ୍କ ବୀରତ୍ୱକୁ ଅସ୍ବୀକାର କରାଗଲା, ପ୍ରଥମ ବିଜେତା ଅପମାନିତ ହେଲେ ସତ ତଥାପି ସେହି ବୀରଦୀପ୍ତି ଚେହେରା ଦ୍ରୌପଦୀ ଙ୍କ ହୃଦୟ ରେ ରହିଗଲା ଚିରକାଳ, ହୃଦୟର ନିବୃତ କକ୍ଷରେ ସେହି ଦିନଠୁଁ ସେ ଉପବେଶନ କରିଛନ୍ତି ବୁଝିବାକୁ ବାକି ନଥିଲା ଭାରତୀଙ୍କୁ.
ପଞ୍ଚୁ ପାଣ୍ଡବଙ୍କ ସ୍ତ୍ରୀ ଦ୍ରୌପଦୀ ହେଲେ ପାଞ୍ଚାଳୀ, ମାତା କୁନ୍ତିଙ୍କ ଆଦେଶ ଓ ଶ୍ରୀକୃଷ୍ଣ ଙ୍କ ପରାମର୍ଶ ଶିରୋଧାର୍ଯ୍ୟ ତାଙ୍କ ପାଇଁ, ସେ ବି ଜାଣନ୍ତି ପିତାଙ୍କ ପ୍ରତିଶୋଧ ନେବା ପାଇଁ ଜାଜ୍ଞସେନୀ ଙ୍କୁ ହେବାକୁ ପଡିବ ପାଞ୍ଚାଳୀ, ଧରି ରଖିବାକୁ ପଡିବ ଏକତା ସୂତ୍ରର ରଜ୍ଜୁରେ, ସେ ତ ଅଗ୍ନିଶମ୍ଭୁତା ହେଲେ ତାଙ୍କର ରକ୍ତ ମାଂସ ଶରୀରରେ ଥିବା ମନ ଭିତରେ ଥାନ୍ତି ସେହି ପ୍ରଥମ ପୁରୁଷ, ଯାହାଙ୍କୁ ସୁତପୁତ୍ର କହି ବାରଣ କରାଯାଇଥିଲା, ସ୍ୱୀକୃତି ଦିଆଯାଇନଥିଲା ବିଜେତାର, ହେଲେ ଜିତି ସାରିଥିଲେ ଦ୍ରୌପଦୀଙ୍କ ମନ ଓ ହୃଦୟ ହୁଏତ ପ୍ରଥମ ପୁରୁଷ ରୂପେ ସ୍ଵୟମ୍ବର ସଭାରେ.
ଦ୍ୱିତୀୟ ଦେଖା ତାଙ୍କର କୁରୁସଭାତଳେ, ବସ୍ତ୍ର ହରଣ କାଳେ, ପାପୀ ଦୁରାଚାରୀ ଦୁର୍ଯୋଧନ, ଦୁଃଶାସନ, ଶକୁନି ଇତ୍ୟାଦି ଙ୍କର ହୁଙ୍କାର ରଡି,ପାଣ୍ଡଵ ମାନଙ୍କର ନୀରବତା, ଗୁରୁ ଗୁରୁଜନ ଯଥା ଦ୍ରୋଣାଚାର୍ଯ୍ୟ ଭୀଷ୍ମ ପିତାମହ, ଗାନ୍ଧାର ନରେଶ ସମେସ୍ତେ ଥିଲେ ନିର୍ବିକାର ତ ମହାମାନୀ ଜ୍ଞାନୀ ଗୁଣୀ ବସୁଷେଣ ଚୁପ ନରହି କଣ କରିଥାନ୍ତେ !ଶ୍ରୀକୃଷ୍ଣଙ୍କ ସାହାଯ୍ୟ ସହଯୋଗ ଓ ବନ୍ଧୁବଶ୍ଚଳତା ତଥା ତାଙ୍କ ଭକ୍ତି ଓ ମାଗୁଣି ସେଦିନ ବିବସନା ହେବାରୁ ରକ୍ଷା କରିଥିଲା ଦ୍ରୌପଦୀଙ୍କୁ ହେଲେ ସେହି କାପୁରୁଷ ମାନଙ୍କର ଲୋଲୁପ ଦୃଷ୍ଟି ଏଵେ ବି ଦୃଷ୍ଟି ଗୋଚର ହୁଏ, ବସୁଷେଣ ଥିଲେ ନିର୍ଲିପ୍ତ, ନାଥିଲା କାମୁକତା ନାଥିଲା ଆପତ୍ତି କେବଳ ଦୁର୍ଯ୍ୟୋଧନ ର ବନ୍ଧୁ ହିସାବରେ ଉପସ୍ଥିତି ମାତ୍ର, ସେଇଥିପାଇଁତ ଏଯାଏଁ ସେ ଦ୍ରୌପଦୀଙ୍କର ହୃଦୟ ଶିରୋମଣି.
ଦୁର୍ଯ୍ୟୋଧନ ଦେଖିଥିଲା ବସୁଷେଣଙ୍କ ବୀରତ୍ୱ, ବସୁଷେଣ ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଥିଲେ, ପ୍ରଥମେ ଦ୍ରୁପଦ ରାଜ୍ୟକୁ ପରାସ୍ତ କରି ସେଠାରୁ କର ଆଦାୟ କଲେ, ଏହାପରେ ଉତ୍ତର ଦିଗରେ ଯାତ୍ରା କରି ଅଙ୍ଗ, ବଙ୍ଗ କଲିଙ୍ଗ ମଗଧ ମଶ୍ଚହ୍ୟ କୋଶଳ ଆଦି ଦେଶର ଶାସକଙ୍କୁ ପରାଜିତ କରି ସେମାନଙ୍କଠାରୁ କର ଆଦାୟ କଲେ ତତ୍ପରେ ଦକ୍ଷିଣ ଦିଗରେ ଆହୁରି ଅନେକ ରାଜାଙ୍କୁ ପରାସ୍ତ କରି, କୁଣ୍ଡୀନ ନଗରୀର ରାଜା ରୁକ୍ମି ବିନାଯୁଦ୍ଧ ରେ ବସୁଷେଣଙ୍କ ସହ ସନ୍ଧି ସ୍ଥାପନ କରିଥିଲେ, ଏହି ସଫଳ ବିଜୟରେ ଦୁର୍ଯ୍ୟୋଧନ ବସୁଷେଣଙ୍କୁ ଅଭିନନ୍ଦନ ଜଣାଇ ତୁମେ ମୋର ପରମ ମିତ୍ର କହି ମନ କିଣି ନେଲେ ହେଲେ କପଟୀ କୁଚକ୍ରୀ ଦୁର୍ଯ୍ୟୋଧନ ବସୁଷେଣଙ୍କ ବାହୁବଳ ପାଇବାପାଇଁ ପରମ ମିତ୍ର ଵନିଯାଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଦ୍ରୌପଦୀଙ୍କର ହୃଦୟଙ୍ଗମ ହୁଏ.
ଏଇ କିଛି ଦିନ ହେବ ନିଜକୁ ଦ୍ରୌପଦୀ ଭାବୁଥିବା ଭାରତୀ, ପୁଅ ଭିତରେ ବସୁଷେଣଙ୍କୁ ହିଁ ଦେଖନ୍ତି ତଥାପି ମନ ବୁଝେନି ମନ ବିଦ୍ରୋହ କରେ ପୁଅ ଯେତେବେଳେ ପିତାଙ୍କ ପରିଚୟ ଅନ୍ୱେଷଣରେ ଭାରତୀଙ୍କୁ ପଚାରେ, ଭାରତୀ କୁହନ୍ତି ବସୁଷେଣ ତ ପୁଅ କାହିଁରୁ କେତେ ଯେ ପ୍ରଶ୍ନ କରିଉଠେ, ଯେମିତିକି ସେ କେବେ କାହିଁକି କିପରି ମୃତ୍ୟୁ ବରଣ କାଲେ? ତ ମାଆ ଚିହିଁକି ଉଠନ୍ତି ତତେ କିଏ କହିଲା ସେ ମୃତ, ସେ ଏବେବି ଜୀବିତ, ପୁଣି ପୁଅର ଅନେକ ପ୍ରଶ୍ନ, ସେ କେଉଁଠି? ଆମେ କାହିଁକି ତାଙ୍କ ପାଖରେ ରହୂନେ ବା ସେ କାହିଁକି ଆମ ପାଖେ ରହୁନାହାନ୍ତି ଇତ୍ୟାଦି ପ୍ରଶ୍ନ ରେ ମାଆ ଭାରତୀ ଙ୍କ ଆଖିରେ ଲୁହ ଆଉ ଭଗ୍ନ ହୃଦୟ ମନ ଏଵେ ରୋଗାକ୍ରାନ୍ତ କରୁଛି ତାଙ୍କୁ ତ, ପୁଅ ଚୁପ ରହିଲେ ବି ସାଙ୍ଗ ମାନଙ୍କ କଥାରେ ମାଆ କୁ ସନ୍ଦେହ ଦୃଷ୍ଟି ରେ ଦେଖେ ମାଆ ର ବୈଧବ୍ୟ ବେଶ ତାମନରେ ବଡ ହେଲାପରେ ପ୍ରଶ୍ନବାଚୀ ହୋଇ ଠିଆ ହୁଏ.
ପୁଅର ଭବିଷ୍ୟତ ଭାରତୀଙ୍କ ଭଙ୍ଗା ମନ ହୃଦୟ ସାଙ୍ଗକୁ ରୋଗ ଭିତରେ ସମୟ ଗଡିଚାଲିଲା, ପୁଅର ଏ ବର୍ଷ ମାଟ୍ରିକୁଲେସନ ପରୀକ୍ଷା, ତ ସ୍କୁଲ ର ଶେଷବର୍ଷ ହେଉଥିବାରୁ ଗୁରୁଦିବସ ରେ ତର୍କ ପ୍ରତିଯୋଗିତା ରେ ଭାଗ ନେବାକୁ ଯାଇ ମାଆଙ୍କ ଅନୁମତିରେ ରାତିସାରା ବହିପତ୍ର ପଢି ପୁଅ ପ୍ରସ୍ତୁତ ହେଉଥିଲା ଗୁରୁଦିବସ ଦିନ ସର୍ବଶ୍ରେଷ୍ଠ ଦାନୀ ଉପରେ ଲେଖିବାକୁ ତ କେବେ ମହାଭାରତ କେବେ ଆଦିକବି ସାରଳା ଦାସଙ୍କ ଲିଖିତ ମହାଭାରତ ତଥା କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ତଥା ବ୍ୟାସଦେବଙ୍କ ଲିଖିତ ମହାଭାରତ ପଢି ପ୍ରସ୍ତୁତ ହୋଇ ନୋଟ କରିଚାଲୁଥିଲା ମହାଦାନୀ କର୍ଣ୍ଣଙ୍କ ଉପରେ.
ମାଆ ଭାରତୀ ବି ଭାବୁଥିଲେ ବସୁଷେଣଙ୍କ କଥା, ପ୍ରଥମେ ନିଜକୁ ବ୍ରାହ୍ମଣ ବୋଲି ପରିଚୟ ଦେଇ ଗୁରୂ ଦ୍ରୋଣାଚାର୍ଯ୍ୟଙ୍କଠୁ ଶିଖିଲ ବିଦ୍ୟା, କୁଶଳୀ ନିପୁଣ ହେଲ ସବୁବିଦ୍ୟା ସହ ଧନୁର୍ବିଦ୍ୟାରେ ହେଲେ କୌରବ ପାଣ୍ଡଵ ମଧ୍ୟରେ ତୁମ ମୂଲ୍ୟ ନଥିଲା ତ ଗୁରୂ ସନ୍ଦେହ କଲେ ତୁମ କୃତିତ୍ୱକୁ, ଗୁରୂ ବି ଚାଁହୁ ନଥିଲେ ପ୍ରିୟ ଶିଷ୍ୟ ପାଣ୍ଡଵ ମାନଙ୍କ ଠୁ ବଳି ଅର୍ଜ୍ଜୁନଙ୍କଠୁ ବଳି ତମେ ବଡ ଯୋଦ୍ଧା ରୂପେପରିଗଣିତ ହୁଅ ବୋଲି, ହେଲେ ତମେତ ଅଗ୍ର ପାଣ୍ଡଵ, ତୁମ ପ୍ରତି ଏ ଅନ୍ୟାୟ କାହିଁକି ଆର୍ଯ୍ୟ ପୁତ୍ର? ତୁମ କପାଳ ରେ ଏତେ ସବୁ ନାସ୍ତିବାଚକ ଭାଗ୍ୟରେଖା କେମିତି କିଏ ଲେଖିଲା ହେ ଆର୍ଯ୍ୟ ବୀରପୁଙ୍ଗଵ?
ପୁଅ ରୁମରେ ବିକ୍ଷିପ୍ତ ଭାବେ ଖେଳା ହୋଇ ପଡ଼ିଥିବା ମୋଟା ମୋଟା ବହି ସହ ମହାଭାରତ ଓ ତାହାର ଓଡ଼ିଆ ଅନୁବାଦ ଦେଖି ସ୍ତବ୍ଧ ହେଇଥିଲେ ଭାରତୀ, ଏସବୁରୁ କଣ ସବୁ ପଢୁଛି ପୁଅ, ମହାଭାରତ ଯୁଗରେ ଗୁରୁଭକ୍ତିର ପରାକାଷ୍ଠା ରଖିଯାଇଥିବା ଅର୍ଜ୍ଜୁନ ତଥା ଅନ୍ୟ ବୀରପୁରୁଷ ମାନଙ୍କ କଥା ପୁଅ ନିଶ୍ଚୟ ପଢୁଛି, ହେଲେ ବସୁଷେଣ ତୁମ ଗୁରୂଭକ୍ତି ର ପରାକାଷ୍ଠା କାହିଁ? ଗୁରୂ ଚାହିଁଥିଲେ ତୁମରି ମୁଖ ରୁ ତୁମ ପରିଚୟ ପାଇବା ପାଇଁ, ଇଚ୍ଛା କରିଥିଲେ ତୁମ କୋଳରେ କିଛି ସମୟ ଶୋଇଯିବାପାଇଁ ତମେ ବି ହାରିଯାଇନଥିଲତ, ଭାବୁ ଭାବୁ ପାଇଥିଲେ ପୁଅ ଲିଖିତ ତର୍କ ପ୍ରତିଯୋଗିତା ଉପରେ ଲେଖାଟିଏ.
ପୁଅ ଲେଖିଥିଲା କର୍ଣ୍ଣଙ୍କୁ ଶ୍ରେଷ୍ଠ ଦାନୀ ରୂପେ ବର୍ଣ୍ଣନା କରି, “କର୍ଣ୍ଣଙ୍କର ଦିବ୍ୟ କବଚ ଓ କୁଣ୍ଡଳ ଥିଲା ତାଙ୍କର ଜନ୍ମଗତ. କୁଣ୍ଡଳ ଓ କବଚ ହେତୁ ମୃତ୍ୟୁ ତାଙ୍କୁ ସ୍ପର୍ଶ କରିବା କଠିନ ଥିଲା, କର୍ଣ୍ଣଙ୍କ ଭଳି ମୃତ୍ୟୁଞ୍ଜୟ ଯୋଦ୍ଧା କୌରବଙ୍କ ସପକ୍ଷରେ ଥିବାରୁ ପାଣ୍ଡଵମାନଙ୍କର ଚିନ୍ତା ବଢ଼ି ଯାଇଥିଲା. ଧର୍ମରାଜ ଯୁଧିଷ୍ଠିର ଇନ୍ଦ୍ରଙ୍କୁ ଆପଣା ଚିନ୍ତା ସମ୍ପର୍କ ରେ ଜଣାଇଲେ, ଇନ୍ଦ୍ର ଆଶ୍ୱାସନା ଦେଲେ ଓ ନିଶ୍ଚିତ ରାହିବାକୁ ଉପଦେଶ ଦେଲେ, ଆସର୍ଣ୍ଣ ଯୁଦ୍ଧର ପରିମାଣ ସମ୍ପର୍କ ରେ ଅନେକ ବେଳଯାଏଁ ଭାବି ଭାବି ଶୋଇଯାଇଥାନ୍ତି କର୍ଣ୍ଣ, ହଠାତ ରାତିରେ ଏକ ସ୍ବପ୍ନ ଦେଖିଲେ, ଜଣେ ତେଜୋଦୀପ୍ତ ବ୍ରାହ୍ମଣ ତାଙ୍କ ସମ୍ମୁଖରେ ଠିଆ ହୋଇ କହୁଛନ୍ତି ବସୁଷେଣ ମୁଁ ତୁମଠାରୁ ଏକ ସତ୍ୟବଚନ ଚାଁହୁଛି, ତୁମେ ମୋତେ କଥା ଦିଅ, ଯଦି କାୖଣସି ବ୍ରାହ୍ମଣ ତୁମକୁ କବଚ କୁଣ୍ଡଳ ମାଗନ୍ତି ତାହାଲେ ତାଙ୍କୁ ମନା କରିଦେବ., ଶ୍ରେଷ୍ଠଦାନୀ କର୍ଣ୍ଣଙ୍କ ଉତ୍ତର ଥିଲା, କାହିଁକି, ନା ଏହା କେବେ ସମ୍ଭବ ନୁହେଁ, ପ୍ରାଣ ଚାଲିଗଲେ ମଧ୍ୟ, ସ୍ୱପ୍ନରେ ବ୍ରାହ୍ମଣ କହିଲେ, ପୁତ୍ର ମୁଁ ତୁମର ପିତା ସୂର୍ଯ୍ୟଦେବ, ଦେବରାଜ ଇନ୍ଦ୍ର ପାଣ୍ଡଵମାନଙ୍କ ସୁରକ୍ଷା ନିମନ୍ତେ ଛଦ୍ମବେଶ ଧାରଣ କରି ତୁମ୍ଭ ପାଖକୁ ଆସିବେ, କବଚ କୁଣ୍ଡଳ ନେଇ ତୁମକୁ ସମ୍ପୂର୍ଣ୍ଣ ଶକ୍ତିହୀନ କରିବାକୁ ଚାହାନ୍ତି ସେମାନେ, ମୋ କଥା ମାନ ବସୁଷେଣ, ନମ୍ରତା ସହକାରେ କର୍ଣ୍ଣ କହିଲେ ଇନ୍ଦ୍ର ହୁଅନ୍ତୁ ଅଥବା ଯେ କୌଣସି ବ୍ୟକ୍ତି ମାଗିବା ପାଇଁ ଆସିଲେ ପ୍ରାଣ ଭୟରେ ତାଙ୍କୁ ନିରାଶକରିବା, ଦାନ ଦେବାକୁ କୁଣ୍ଠିତ ହେବା ଭଳି ନିନ୍ଦନୀୟ କାର୍ଯ୍ୟ କରିବାକୁ ମୁଁ ଅସମର୍ଥ, ଏହା ଦ୍ୱାରା ମୋ ନାମରେ କଳଙ୍କ ଲାଗିଯିବ, ହାର ମାନି ଚାଲିଯାଇଥିଲେ ପିତା ସୂର୍ଯ୍ୟଦେବ, ଠିକ ଏହା ପରଦିନ ଆବିର୍ଭାବ ହେଲେ ଅତି ଦୀନ ଅଥଚ ସୁଦର୍ଶନ ବ୍ରାହ୍ମଣ ଦଣ୍ଡାୟମାନ ଥିଲେ ସମ୍ମୁଖରେ, କର୍ଣ୍ଣଙ୍କ ଆତିଥ୍ୟ ସ୍ୱୀକାର କରି କହିଥିଲେ, କିଛି ମାଗିବାକୁ ଆସିଛି, ଯଦି ସତ୍ୟ କରିବ, ତାହେଲେ ଅବଶ୍ୟ ମାଗିବି, କର୍ଣ୍ଣଙ୍କ ଉତ୍ତର ଥିଲା ବସୁଷେଣ ଜୀବନରେ କୌଣସି ଭିକ୍ଷୁଙ୍କୁ ନିରାଶ କରିନାହିଁ, ନିର୍ଦ୍ୱନ୍ଦରେ ଯାହା ଇଚ୍ଛା ମାଗିପାରନ୍ତି, ବେଶ କୌଶଳରେ ବ୍ରାହ୍ମଣ କର୍ଣ୍ଣଙ୍କୁ ଏଭଳି ଦାନ ମାଗିଥିଲେ ଯାହାଥିଲା ଜଣେ ବୀରର ଶ୍ରେଷ୍ଠ ଭୂଷଣ, ଜଣେ ଦୂର୍ଯ୍ୟୟ ଯୋଦ୍ଧାଙ୍କୁ ପ୍ରତିହତ କରିବାକୁ ପର୍ଯ୍ୟାପ୍ତ ଶରୀରରେ ଥିବା କବଚ କୁଣ୍ଡଳ ତରବାରୀ ସାହାଯ୍ୟରେ ନିଜ ଶରୀର କ୍ଷତାକ୍ତ କରି ଦାନ କରିଥିଲେ ବ୍ରାହ୍ମଣଙ୍କୁ କବଚ କୁଣ୍ଡଳ “, ଲେଖାଟି ପଢୁ ପଢୁ ଭାରତୀ ଚେତାଶୂନ୍ୟ ହେଉ ହେଉ ରହିଗଲେ ଏଥର, କଣ ଭାବିବ ପୁଅ, ଯୋଉ କଥା ଆଜିଯାଏଁ ତାଙ୍କ ମନ କୁ ଆନ୍ଦୋଳିତ କରୁଛି ସେହିକଥା ସେ ଲେଖିଛି ପ୍ରାଞ୍ଜଳଭାବେ ତର୍କ ପ୍ରତିଯୋଗିତା ପାଇଁ ତ ମାଆ ହିସାବରେ ପଥରୋଧ କରିବା ଉଚିତ ନୁଁହ, ତାଙ୍କର ବି ମନେ ପଡୁଥିଲା, ସେ ବି ଲେଖିଥିଲେ ଶ୍ରେଷ୍ଠଦାନୀ ଉପରେ ଲେଖାଟିଏ.
ଭାରତୀ ମଧ୍ୟ “ସର୍ବଶ୍ରେଷ୍ଠ ଦାନୀ “ତର୍କ ପାଇଁ ଲେଖିଥିଲେ ସେହି ଦାନୀଙ୍କ ବିଷୟରେ ଯିଏ ଜଣେ ରାଜା ଥିଲେ ଏବଂ ତାଙ୍କ ଦାନ ର ମହତ୍ତ୍ୱ ଚାରିଆଡେ ପ୍ରସାରିତ ପ୍ରଚାରିତ ହେବା ପରେ ସ୍ୱର୍ଗରୁ ଦେବତା ଦ୍ବୟ ଛଦ୍ମବେଶରେ ଆସିଥିଲେ ରାଜାଙ୍କୁ ପରୀକ୍ଷା କରିବା ପାଇଁ ଏବଂ କହିଥିଲେ ସତ୍ୟ କର ରାଜନ ଆମ୍ଭେ ଯାହା ମାଗିବୁ ତୁମ୍ଭେ ଆମକୁ ଦେବତ? ରାଜା ତ୍ରିବାର ସତ୍ୟ କଲାପରେ, ସେହି ଛଦ୍ମବେଶୀଦ୍ବୟ କହିଥିଲେ କି ରାଜାଙ୍କ ଏକମାତ୍ର ପୁତ୍ର ବିଷିକେଶନ କୁ ରାଜା ସ୍ଵହସ୍ତରେ ନିଜ ପୁତ୍ର କୁ ବଧ କରି, ପୁଣି ତା ମାଂସ ରାନ୍ଧି ପରଷିଲେ ସେମାନଙ୍କ କ୍ଷୁଧା ନିବାରଣ ହେବ, ରାଜା ଧର୍ଯ୍ୟର ସହ ଏସବୁ କରିବା ପରେ ପୁଣି ଯେବେ ସେମାନଙ୍କ ସହ ତାଙ୍କୁ ବି ଭୋଜନ କରିବାକୁ ପଡିବ ନହେଲେ ସେମାନେ ଖାଦ୍ୟ ଗ୍ରହଣ କରିବେ ନାହିଁ କହୁଥିଲେ ତ, ଅଗତ୍ୟା ଲୁହ କୁ ଚାପି ଛାତିରେ ପଥର ନଦି ଦାନର ମହତ୍ୱ ରଖିବାକୁ ଯାଇ ନିଜେ ବି ଆସନ ଗ୍ରହଣ କରନ୍ତେ, ତାଙ୍କର ଦୃଢ଼ତା ଓ ଦାନର ମାହାତ୍ମ୍ୟରେ ଆଶ୍ଶର୍ଯ୍ୟ ଓ ଚକିତ ସ୍ୱର୍ଗରୁ ଆସିଥିବା ଦେବତା, ଆଉ ସେ ଦୁହେଁ ଯେତେବେଳେ ପୁତ୍ର କୁ ଡାକ ଆମସାଙ୍ଗେ ଭୋଜନ କରିବ କହିଥିଲେ, ପୁତ୍ର ସତକୁ ସତ ଉପସ୍ଥିତ ପାଖରେ, ଆଉ ରାଜାଙ୍କର ବୁଝିବାକୁ ବାକି ନଥିଲା ଇଏ ପରୀକ୍ଷା, କାରଣ ଦେବତା ଦ୍ବୟ ବି ଉଭାନ, ହେଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ନିଜ ପୁତ୍ରକୁ ମାରି ରାନ୍ଧି ଖାଇବାକୁ ଦେଇଥିବା ରାଜା ଯେ ସବୁଠୁ ଶ୍ରେଷ୍ଠଦାନୀ, ହିସାବରେ ତର୍କ ଟି କହିସାରିଲା ପରେ ଭାରତୀଙ୍କୁ ସେହି ରାଜାଙ୍କ ନାମ ପଚରା ଯାଇଥିଲା, ସେ ହଡ଼ବଡେ଼ଇ ଯାଇଥିଲେ, ଆଉ ସାରଙ୍କ ଠୁ କର୍ଣ୍ଣ ବୋଲି ଶୁଣି ସେ ସେହି କିଶୋରୀ ବୟସରେ ବି ହୋଇଯାଇଥିଲେ ହଲଚଲ.
ଏ ଭିତରେ ପୁଅକୁ ବିବାହ ଦେଇ ବୋହୁ ଆଣିସାରିଲେଣି ଭାରତୀ କାରଣ ପୁଅର ପିତା ଅନ୍ୱେଷଣ ଆଉ ଜିଜ୍ଞାସା କୁ ବେଶିଦିନ ଅନ୍ଧକାର ରେ ନ ରଖି ସେ ଯେବେ ପୁଣି ସଧବା ସିଂଦୁରରେ ନିଜକୁ ଶ୍ରିମନ୍ତିନୀ ସଜେଇ ବାହାରି ଆସିଲେ ପୁଅ ଆଗକୁ ତ ପୁଅ ମାଆଙ୍କର ଏପରି ରୂପରେ ବିଚଳିତ ହୋଇ ମାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲା ତ ନୂଆ ନୂଆ ବୈଜ୍ଞାନିକ(ରିସର୍ଚ୍ଚ ) ଚାକିରୀ କରୁଥିବା ପୁଅ କୁ ଆଉ ତାର ସନ୍ଦେହ କୁ ଦ୍ବିଗୁଣିତ କରିବାକୁ ନ ଦେଇ ଜୀବନ ର ତମାମ ସତ୍ୟକୁ ପୁଅ ଆଗରେ ଉପସ୍ଥାପନ କରିଥିଲେ ଆଉ ପୁଅ ପସନ୍ଦ କରିଥିବା ଝିଅକୁ ବୋହୁ କରି ଘରକୁ ଆଣିଥିଲେ.
ବୋହୂଟି ମନଜାଣି ତାଙ୍କର ସବୁ ସେବା ଶ୍ରୁଶୁଶା କରୁଥିଲାବେଳେ ବିଶ୍ୱମହାମାରୀ ଥରାଇ ଦେଲା ବିଶ୍ୱକୁ. ସବୁଆଡେ କରୋନା ର କରାଳ ଛାୟା କାୟା ବିସ୍ତାର କରୁଥିଲା ବେଳେ ସଙ୍ଗରୋଧ, ମାସ୍କ ଓ ସାନିଟାଇଜର ଭିତରେ ଅଣନିଶ୍ୱାସୀ ହେଲାବେଳକୁ ମହାଭାରତ ପ୍ରସାରଣ ଭାରତୀଙ୍କୁ ନୂଆ ଜୀବନ ଦେଲା ହେଲେ ବସୁଷେଣ ବା କର୍ଣ୍ଣଙ୍କଭୂମିକା କାଳେ ମାଆଙ୍କୁ ଦୁଃଖ ଆଣିଦେବ , ମାଆଙ୍କର ପୁରୁଣା ମନ ପୁଣି ଚେଇଁ ଉଠିବ ଭାବି ମାଆ ଙ୍କୁ କଟକଣା, ସେ ମହାଭାରତ ଦେଖି ପାରିବେ ନାହିଁ ମାତ୍ର ଭାରତୀଙ୍କର ଦେହ ଆସ୍ତେଆସ୍ତେ କ୍ଷୀଣ, ଦୁର୍ବଳ ଓ ଶେଷକୁ କରୋନା ପଜିଟିଭ.ପୁଅ ବୋହୁ ନିଜ ଘରେ ମାଆଙ୍କୁ କ୍ଵାରେନଣ୍ଟାଇନ ରେ ରଖି ନିଜେ ଗବେଷଣା ରେ ଲାଗିଥାଏ ପୁଅ,ଆଉ ଖୋଜୁଥାନ୍ତି ପ୍ଲାଜମା ଥେରାପି ପାଇଁ, ମାଆ କିନ୍ତୁ କ୍ଵାରେଣ୍ଟାଇନ ରୁମରେ ଲାଗିଥିବା କଲରସ ଟିଭି ରେ ମହାଭାରତ ଏପିସୋଡ଼ ଦେଖି ଖୁସିଥିଲେ.
ଖୋଜି ଖୋଜି କରୋନା ରୁ ଭଲ ହୋଇଯାଇଥିବା ପସେଣ୍ଟ ଯୋଗାଡ଼ ହେଲେ ଯିଏକି ପ୍ଲାଜମା ଦେବାକୁ ଆପତ୍ତି ନଥିଲା ବରଂ ସହମତି ସହ ଆଗେଇ ଆସିଥିଲେ ହେଲେ ତାଙ୍କ ନାମ ବସୁଷେଣ ଜାଣି ପୁଅ ଅଡୁଆରେ, କର୍ଣ୍ଣ ବା ବସୁଷେଣ ନାମରେ ବ୍ୟକ୍ତି ପ୍ରଥମ ଦେଖୁଥିବା ଓ ଜାଣୁଥିବା ପୁଅର ଆଶଙ୍କା ସତହେଲା, ବସୁଷେଣ ନାମଧାରୀ ବ୍ୟକ୍ତିଙ୍କଠୁ ପ୍ଲାଜମା ନେବାକୁ ଭାରତୀଙ୍କର ଏକାନାହିଁ, ମାଆଙ୍କ ଜିଦ କୁ ଟାଳିବାକୁ ପୁଅ ଥିଲା ଅକ୍ଷମ. ପୁଅ ର ଗବେଷଣା ପରେ ବିଶ୍ୱକୁ ଚମକେଇ ଟୀକା ବାହାରିବା ବେଳକୁ ଭାରତୀ ଆଖି ବୁଜି ସାରିଥିଲେ ଆଉ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଭାରତୀଙ୍କ ପୁତ୍ର ଟୀକାର ନାମକରଣ କରିଥିଲେ “ବସୁଷେଣ “.(ସମାପ୍ତ )
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ