ବସ୍ରୁ ବିଦ୍ୟୁତ୍ ତାର ବଣ୍ଡଲ ଜବତ

ପିପିଲି : କଲିକତା ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ରୁ ଗୁରୁବାର ପିପିଲି ପୋଲିସ ୧୦କ୍ୱିଣ୍ଟାଲ୍ରୁ ଉର୍ଦ୍ଧ ଚୋରା ବିଦ୍ୟୁତ୍ ତାର ବଣ୍ଡଲକୁ ଜବତ କରିଛି। ବାଳକାଟି ଅଞ୍ଚଳର ଜଣେ ଚୋରା ବେପାରୀ ଉକ୍ତ ତାରକୁ କଲିକତାର ବାବୁଘାଟ ଅଞ୍ଚଳକୁ ବସ୍ ଯୋଗେ ଚୋରା ଚାଲାଣ କରୁଥିବା ସୂଚନା ମିଳିଛି। ପୁଲିସ ଉକ୍ତ ବସ୍କୁ ଜବତ କରିବା ସହ ଗାଡିର ଚାଳକ ଓ ହେଲପରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।ସୂଚନା ମୁତାବକ, ଉତ୍ତରା ପେଟ୍ରୋଲ ଟାଙ୍କି ଛକ ନିକଟରେ ଏକ ବସ୍ରେ ଚୋରା ବିଦ୍ୟୁତ୍ ତାର ଲୋଡ୍ କରାଯାଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ନିର୍ଦ୍ଦେଶରେ ଏସ୍ଆଇ ସନ୍ଦୀପ କୁମାର ଦାସ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସ୍ଆଇ ଅଶୋକ କୁମାର ଗୋଛାୟତ ପ୍ରମୁଖ ସେଠାରେ ଚଢାଉ କରିଥିଲେ। କଲିକତାର ବାବୁଘାଟ ଅଞ୍ଚଳକୁ ଯାଉଥିବା ପରମେଶ୍ୱର ନାମକ(ଡବ୍ଲୁବି-୩୧-୪୨୭୧) ବେସରକାରୀ ଯାତ୍ରୀବାହୀ ବସ୍ରୁ ପୁଲିସ ୧୦ ରୁ ଉର୍ଦ୍ଧ ବଣ୍ଡଲ ବିଦ୍ୟୁତ୍ ତାର ସମେତ କେତେକ ଲୁହା ଆଙ୍ଗେଲ୍କୁ ଜବତ କରିଥିଲା। ଚଢାଉ ସମୟରେ ବସ୍ର କଣ୍ଡକ୍ଟର ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଡ୍ରାଇଭର ଓ ହେଲପରକୁ ପୁଲିସ ଅଟକ ରଖିବା ସହ ବସ୍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଉକ୍ତ ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱରର କଳ୍ପନା ଛକରୁ କଲିକତାର ବାବୁଘାଟ ଅଞ୍ଚଳକୁ ସଂନ୍ଧ୍ୟା ୫ଟାରେ ଯିବାର ଥିଲା ବୋଲି ସୂଚନା ମିଳିଛି। ଜବତ ହୋଇଥିବା ବିଦ୍ୟୁତ୍ ତାର ୧୦ କ୍ୱିଣ୍ଟାଲରୁ ଉର୍ଦ୍ଧ ହେବ। ବିଦ୍ୟୁତ୍ ତାର ବଣ୍ଡଲକୁ ଧଳା ଜରି ଅଖାରେ ଗୁଡା ଯାଇଥିବା ପରିଲକ୍ଷିତ ହୋଇଛି। ଏନେଇ ପିପିଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବିଦ୍ୟୁତ୍ ତାରକୁ ଚୋରା ଚାଲାଣ କରୁଥିବା ବେପାରୀ ସମେତ ଗାଡିର କଣ୍ଡକ୍ଟରକୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ଏଠାରେ ସୂଚନା ଥାଉକି, ସାମୁଦ୍ରିକ ବାତ୍ୟା ଫଣି’ ପରେ ବିଭିନ୍ନ ଅଞ୍ଚଳରୁ ବିଦ୍ୟୁତ୍ ତାର ଓ ବିଦ୍ୟୁତ୍ ଯନ୍ତ୍ରାଂଶ ଚୋରି ହୋଇଥିଲା। ସେସବୁକୁ ବସ୍ ଯୋଗେ କଲିକତା ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ