ବସ ଡ୍ରାଇଭର ସଂଘର ଧର୍ମଘଟ ଗଜପତି ଜିଲ୍ଲାରେ ବସ ଚଳାଚଳ ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶା ଡ୍ରାଇଭର ମହାସଂଘର ଡାକରାରେ ଆଜି ଗଜପତି ଜିଲ୍ଲାରେ ଡ୍ରାଇଭର ମାନେ ଧର୍ମଘଟ କରିଛନ୍ତି. ତେଣୁ ସମଗ୍ର ଗଜପତି ଜିଲ୍ଲାରେ ଘରୋଇ ବସ ସେବା ସମ୍ପୂର୍ଣ ଭାବେ ଅଚଳ ହୋଇଯାଇଛି. କାଁଭାଁ ମାତ୍ର ୩/୪ ଟି ସରକାରୀ ବସ ଚଳାଚଳି କରିଛି. ଆଗରୁ କୌଣସି ସୂଚନା ପ୍ରଦାନ କରା ନଯାଇ ଡ୍ରାଇଭର ମାନଙ୍କ ଏହି ଧର୍ମଘଟ ଯୋଗୁଁ ହଟାତ ବସ ଚଳାଚଳ ବନ୍ଦ ହେବା ଯୋଗୁଁ ଯାତ୍ରୀ ମାନେ ନାହିଁ ନ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି. ଯାତ୍ରୀମାନେ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ପାଦ ଚଲାରେ ଯାଉଥିବା ଲକ୍ଷ୍ୟ କରାଯାଉଥିଲା. ଆର୍ଥିକ ସ୍ଥିତି ଭଲ ଥିବା ଯାତ୍ରୀ ମାନେ ଟ୍ୟାକ୍ସଇ ଭଡା କରି ସେମାନଙ୍କ ଲକ୍ଷ୍ୟ ସ୍ଥଳକୁ ଯାଉଥିବାବେଳେ ଅନ୍ୟ କେତେକ ଯାତ୍ରୀ ପାଦ ଚଲାରେ ଏବଂ ଅଟୋ ରିକ୍ସା ଦ୍ୱାରା ପାରଳାଖେମୁଣ୍ଡି ସହର ଠାରୁ ୩ କିମି ଦୂରରେ ଥିବା ଆନ୍ଧ୍ରର ପୁରୁଣାପାଟଣା ବସ ଷ୍ଟାଣ୍ଡକୁ ଯାଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି. ଡ୍ରାଇଭର ମାନଙ୍କ ଏହି ଧର୍ମଘଟ ଯୋଗୁଁ ଗଜପତି ଜିଲ୍ଲାରେ ଥିବା ମୋଟ ୭ ଗୋଟି ବ୍ଲକ ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ଼, ଗୋଷଣୀ, ଗୁମ୍ମା ଓ କାଶୀନଗର ଆଦି ବ୍ଲକରେ ସମସ୍ତ ଜନ ସାଧାରଣଙ୍କ ଜୀବନ ଯାତ୍ରା ଏହି ବସ ଚଳାଚଳ ବନ୍ଦ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି.