ବହଳଦାରେ ବିଜୁ ମହିଳା ଜନତା ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ବିଜୁ ଜନ ମହିଳା ଜନତାର ଦଳ ପକ୍ଷରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ମୟୁରଭଞ୍ଜ ଜିଲ୍ଲାର ବହଳଦା ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ରାଇରଙ୍ଗପୁର ବିଧାୟିକା ପ୍ରାର୍ଥୀ ବାସନ୍ତୀ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜୁମହିଳାର ନେତୃବୃନ୍ଦ ତନୁଜା ମହାନ୍ତ, ପୂର୍ଣ୍ଣିମା ମହାନ୍ତ,ଜେମାମଣି ଷୁଣ୍ଡି,ପ୍ରତିଭା ମହାନ୍ତ,ଯମୁନା ହେମ୍ବ୍ରମ,ରଂଜିତା ଲେଙ୍କା,ଧୀରା ବେଶ୍ରା, ସାରଥୀ ମୁର୍ମୁ, ଟୁନୁ ନନ୍ଦ, ବନ୍ଦିତା କୈବର୍ତ୍ତ, ଲୀଳାବତୀ ମହାନ୍ତ, ଅମ୍ବିକା ମହାନ୍ତ, ମମତା ବେହେରା ପ୍ରମୁଖ ସାମିଲ ହୋଇଥିଲେ । ମହିଳା ମାନଙ୍କର ବିକାଶ ହେଲେ ପରିବାରର ବିକାଶ ହେବ । ପରିବାରର ବିକାଶ ହେଲେ ସମାଜର ବିକାଶ ହେବ । ସମାଜର ବିକାଶରେ ମହିଳା ସେମାନଙ୍କର ଅବଦାନ ଅବର୍ଣ୍ଣନୀୟ । ଏହି ମହିଳା ଦିବସରେ ମଞ୍ଚାସୀନ ନେତୃବୃନ୍ଦ ରାଜ୍ୟରେ ମହିଳାଙ୍କ ବିକାଶ ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ ପଞ୍ଚାୟତ ସ୍ତରୀୟ ନିର୍ବାଚନରେମହିଳାଙ୍କ ଭାଗିଦାରୀ ପ୍ରଥମେ ଶତକଡା ୩୦ ଭାଗ ପରେ ଶତକଡା ୫୦ ଭାଗ ସ୍ଥାନ ସଂରକ୍ଷଣ ବୃଦ୍ଧି କରିଛନ୍ତି । ଯାହାର ସୁଫଳ ଏବେ ନାରୀମାନେ ପାଉଛନ୍ତି ।ଯାହାକି ମହିଳା ମାନଙ୍କର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଅର୍ଥନୈତିକ ବୃଦ୍ଧିରେ ସାହାଯ୍ୟ କରୁଛି । ମହିଳା ମାନଙ୍କ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ସହଜ ଋଣ କିସ୍ତି ବ୍ୟବସ୍ଥା କରିଛନ୍ତି । ନାରୀ ମାନଙ୍କର ଶିକ୍ଷା, ମିଶନ ଶକ୍ତି ଦ୍ୱାରା ଆତ୍ମ ନିର୍ଭରଶୀଳ, ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଶିବିର,ନାରୀ ନିର୍ଯାତନା ପାଇଁ କଠୋର ଆଇନ,ବାଲ୍ୟ ବିବାହ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି । ବିଜୁପକ୍କା ଘରରେ ମହିଳାଙ୍କ ନାମରେ ମାଲିକାନା ଇତ୍ୟାଦି ମଧ୍ୟ କରିଛନ୍ତି ।ଆଜି ସମୟ ଆସିଛି ବାସ୍ତବ କ୍ଷେତ୍ରରେ ସଶକ୍ତିକରଣ ଅର୍ଥ ବୁଝିବାର ଏବଂ ଅନ୍ଧ ବିଶ୍ବାସ, କୁସଂସ୍କାରରୁ ନିଜକୁ ଦୂରେଇ ରଖି ସୁସ୍ଥ ମାନସିକତାରେ ନାରୀ ସ୍ୱାଧିନତାର ପ୍ରକୃତ ଅର୍ଥ ହୃଦୟଙ୍ଗମ କରି ବୀରାଙ୍ଗନା ଭଳି ସାହସର ସହିତ ଆଗକୁ ଚାଲିବାକୁ ପଡିବ ବୋଲି ନେତୃବୃନ୍ଦ ସହିତ ଅନ୍ୟ ଉତ୍ସାହୀ ମହିଳାମାନେ ବକ୍ତବ୍ୟ ରଖିଥିଲେ । ପରେ ମହିଳାମାନେ ନୃତ୍ୟଗୀତରେ ମସଗୁଲ ହୋଇ ପରସ୍ପର ସହିତ ଆନନ୍ଦରେ କିଛି ସମୟ କାଟିଥିଲେ । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ ମହିଳା ଯୋଗ ଦେଇଥିଲେ ।


