ବହିଷ୍କୃତ ସମବାୟ ସମ୍ପାଦକ ଦାୟିତ୍ଵ ହସ୍ତାନ୍ତର କଲେନି କାର୍ଯ୍ୟାଳୟ ର ତାଲା ଭଙ୍ଗାଗଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ଙ୍କ ଦାୟିତ୍ଵ ହସ୍ତାନ୍ତର ରେ ବିଳମ୍ବ ଯୋଗୁଁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତି ରେ କାର୍ଯ୍ୟାଳୟ ର ତାଲା ଭାଙ୍ଗି ନୂତନ ସମ୍ପାଦକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ସୂଚନା ପ୍ରକାରେ ଏସ. ରାଜାରାଓ ପାତ୍ର ଗତ ୨୦୧୦ ମସିହା ଠାରୁ କାଣ୍ଡେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ସମବାୟ ସମିତି ର ଆର୍ଥିକ ଅନିୟମିତତା ଧରାପଡ଼ିବା ପରେ ଗତ ୨୦୨୦ ମସିହାରେ ସେ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ। ବିଭାଗୀୟ ତଦନ୍ତ ପରେ ତାଙ୍କୁ ସମ୍ପାଦକ ପଦରୁ ବହିଷ୍କାର ମଧ୍ୟ କରାଯାଇଥିଲା।ବ୍ରହ୍ମପୁର ସହନିବନ୍ଧକ କାର୍ଯ୍ୟାଳୟରୁ ଚିଠି ପ୍ରକାରେ ନିକଟସ୍ଥ ବି. ତୁରୁବୁଡି ଗ୍ରାମ ଶ୍ରୀ ରଘୁନାଥ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ବିନୋଦ କୁମାର ପଣ୍ଡା ଙ୍କୁ ଦାୟିତ୍ଵ ହସ୍ତାନ୍ତର ପାଇଁ ୩ ଟି ଚିଠି କରାଯାଇଥିଲେ ମଧ୍ୟ ପୂର୍ବତନ ସମ୍ପାଦକ ଏହାକୁ ବେଖାତିର କରି ଦାୟିତ୍ଵ ହସ୍ତାନ୍ତର କରିନଥିଲେ।ବ୍ରହ୍ମପୁର ସହକାରୀ ନିବନ୍ଧକ ଏନେଇ ଦିଗପହଣ୍ଡି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଶେଷରେ ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ଗ୍ରାମର ଚାଷୀମାନେ ଗଞ୍ଜାମ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଏନେଇ ବିସ୍ତୃତ ଅଭିଯୋଗ କରିଥିଲେ। ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର କାର୍ଯ୍ୟରୁ ବହିଷ୍କୃତ ସମବାୟ ସମ୍ପାଦକ ଙ୍କୁ ତୁରନ୍ତ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଚିଠି କରିଥିଲେ। ଏହାର ଜବାବ ରେ ସମ୍ପାଦକ ଦାୟିତ୍ଵ ଦେବାପାଇଁ ୨୦ ଦିନ ସମୟ ମାଗିଥିଲେ। ଏହି ସମୟସୀମା ଅତିବାହିତ ହୋଇଯାଇଥିଲେ ମଧ୍ୟ ସେ ସମବାୟ ସମିତିର କୌଣସି ଦାୟିତ୍ଵ ହସ୍ତାନ୍ତର କରିନଥିଲେ। ବ୍ରହ୍ମପୁର ସହକାରୀ ନିବନ୍ଧକ ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ଅବଗତ କରିବା ସହ କାର୍ଯ୍ୟାଳୟ ତାଲା ଭାଙ୍ଗିବାକୁ ଦରଖାସ୍ତ କରିଥିଲେ। ସମବାୟ ସମିତିର ତାଲା ଭାଙ୍ଗିବା ପାଇଁ ବ୍ରହ୍ମପୁର ଉପଜିଲାପାଳ ସ୍ଥାନୀୟ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ତହସିଲଦାର ତଥା ଏକ ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଉପସ୍ଥିତି ରେ ସେବା ସମବାୟ ସମିତି କାର୍ଯ୍ୟାଳୟ ର ତାଲା ଭଙ୍ଗାଯାଇଥିଲା। ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଦିଗପହଣ୍ଡି ଥାନା ଏ ଏସ ଆଇ ଗୌତମ ସାହୁ,ସହନିବନ୍ଧକ ପର୍ଶୁରାମ ପାତ୍ର, ଅତିରିକ୍ତ ସମବାୟ ଉପ ନିବନ୍ଧକ ସନ୍ତୋଷ ନାୟକ,ମୁରଲୀ ଦଳାଇ, କନିଷ୍ଠ ସହାୟକ ଦିଲ୍ଲୀପ ପଟ୍ଟନାୟକ, ଉପେନ୍ଦ୍ର ପଣ୍ଡା, ସେବା ସମବାୟ ସମିତି ସଭାପତି କେ. ସଂଜୀବ ରେଡ୍ଡୀ ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ।


