ବହୁ ଗ୍ରାମ ପାଣି ଘେରରେ, ପାଣିରେ ବୁଡିଛି ରାସ୍ତାଘାଟ ପାଣି ପସି ଘର ନଷ୍ଟ

ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ଦୁଇ ଦିନ ଧରି ବାତ୍ୟା ‘ଦାନା’ ପ୍ରଭାବରେ ପ୍ରବଳ ବର୍ଷା ହେବା ଯୋଗୁ ସମଗ୍ର ବନ୍ତ ବ୍ଲକରେ ବହୁ ଗ୍ରାମ ପାଣି ଘେରରେ ଥିବା ଜଣାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଗୁଡିକ ପାଣିରେ ବୁଡି ରହିଛି । ବହୁ ଗ୍ରାମରେ ଲୋକଙ୍କ ଘରେ ପାଣି ପସି କଚ୍ଚା ଘର ସବୁ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି । ରାମଚନ୍ଦ୍ରପୁର ପଞ୍ଚାୟତ ନିମାପଡା ଗ୍ରାମର ଶ୍ରୀରାମ ପଣ୍ଡାଙ୍କ ଘର ଚାରି ପାଖରେ ପାଣି ଜମି ରହିବା ସହିତ ଘରେ ପାଣି ପସି ଯାଇଥିବା ଦେଖାଯାଇଛି । ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ଗ୍ରାମର ବ୍ରାହ୍ମଣ ସାହି ରାସ୍ତାରେ ଦୁଇ ଫୁଟ ଉଚ୍ଚତାରେ ପାଣି ଜମି ରହିବା ଫଳରେ ଲୋକେ ଯାତାୟତ କରିପାରୁନାହାନ୍ତି । ବାତ୍ୟା ପ୍ରଭାବରେ ଉକ୍ତ ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଟିଲୋ ପଞ୍ଚାୟତର ବିଭିନ୍ନ ଗ୍ରାମ ପାଣି ଘେରରେ ଥିବା ବେଳେ ବହୁ ଲୋକଙ୍କ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ସରପଞ୍ଚ ସଂଗ୍ରାମ କେଶରୀ ଜେନା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ।ି ନିଳୋକ ପଞ୍ଚାୟତର ପଡିଆପଡା ଗ୍ରାମ ମଧ୍ୟ ଦେଇ ଯାଇଥିବା ଆର୍‌.ଡି. ରାସ୍ତା ପାଣିରେ ବୁଡି ଯାଇଥିବା ବେଳେ ଲୋକ ମାନେ ଯିବା ଆସିବା କରିପାରୁନାହାନ୍ତି । ବିଟିପୁର ପଞ୍ଚାୟତ ଅଧିନ ୭ନଂ.ୱାର୍ଡ ଏବଂ ବଡବର୍ଚ୍ଚିକୟାଁ ପଞ୍ଚାୟତ ଆପ୍ତିରା ଷଡଙ୍ଗୀ ଗ୍ରାମର ଯେନା ସାହି, ପାଣି ସାହି, ପାଢୀ ସାହି ଗୁଡିକ ପାଣିରେ ବୁଡି ରହିଥିବା ବେଳେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ଦେଖାଯାଇଛି । ଆପ୍ତିରା ଷଡଙ୍ଗୀ ଗ୍ରାମର ୨ନଂ.ୱାର୍ଡର ଅଶୋକ ଦାସ, ଭାଗବତ ଦାସ, ଆନନ୍ଦ ଜେନା, ସୁଦର୍ଶନ ଜେନା, ଗୋବିନ୍ଦ ଜେନା, ଧନେଶ୍ୱର ଜେନା, ଲିଳାବତୀ ଭାରତୀ, ପାର୍ବତୀ ମହାନ୍ତି, ଅଚ୍ୟୁତ ଜେନା, ସୁବାଷ ପାଣି, ସନ୍ତୋଷ ପାଣି, ଚିନ୍ତାମଣି ପାଣିଙ୍କ ଘରେ ପାଣି ପସି ଯାଇଥିବା ଜଣାଯାଇଛି । ପ୍ରଭାବିତ ଅଞ୍ଚଳର ଲୋକ ମାନେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ବେଳେ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏସମସ୍ତ ଲୋକଙ୍କୁ ଅଧିକ ଦିନ ଆଶ୍ରୟସ୍ଥଳୀରେ ରଖି ଖାଦ୍ୟ ଯୋଗାଇ ଦେବା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ ନିବେଦନ କରାଯାଇଛି । ଅନୁରୂପ ଭାବେ ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳକୁ ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ସାରା ହେମ୍ବ୍ରମ୍‌, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଯୋଗାଣ ଅଧିକାରୀ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ, ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧି ମାନେ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗୋବିନ୍ଦପୁର ପଞ୍ଚାୟତ ଅଧିନ ପଙ୍ଗୀରା, ଗଭିଗଢିଆ, ସୁନାଗଢିଆ, ଚାରିଘରିଆ ସମେତ ତରାଗୋର ୩ଟି ୱାର୍ଡର ଅଧିବାସୀ ମାନେ ରେବ ନଦୀ କୂଳରେ ବସବାସ କରୁଥିବା ବେଳେ ଏସମସ୍ତଙ୍କ ସୁରକ୍ଷା ପାଇଁ ସରକାରୀ ଭାବେ କୌଣସି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ଯାଇନାହିଁ । ଫଳରେ ଏହି ଅଞ୍ଚଳର ଲୋକ ମାନେ ତରାଗୋ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ସରକାରୀ ଭାବେ କୌଣସି ରନ୍ଧା ଖାଦ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି । ଗୋପିନାଥପୁର ଗ୍ରାମର ଭାରତ ଦାଶଙ୍କ ଘର ଉପରେ ଏକ ବଡ ଗଛ ଉପୁଡି ପଡିଥିବା ବେଳେ ବ୍ଲକ ପ୍ରଶାସନକୁ ଖବର ଦିଆଯାଇଥିଲା । ମାତ୍ର ଏହାର କୌଣସି ସମାଧାନ ନହେବାରୁ ଶ୍ରୀ ଦାଶ ଏଥିନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଲେ । ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ ପରେ ଅଗ୍ନିଶମ ବାହିନୀ ପହଞ୍ôଚ ଉକ୍ତ ଗଛକୁ କାଟି ସଫା କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ