ବହୁ ଚର୍ଚ୍ଚିତ ନବୋଦୟ ଛାତ୍ରୀ ସୌଦାମିନୀ ମୃତ୍ୟୁ ମାମଲାର ନୂଆ ମୋଡ଼
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଗତ ରବିବାର ଠାରୁ କ୍ରାଇମବ୍ରାଞ୍ଚ ଆରମ୍ଭ କରିଥିବା ବେଳେ ଆଜି ୩ୟ ଦିନରେ ପହଞ୍ଚିଛି । ଏହି ବହୁ ଚର୍ଚ୍ଚିତ ମାମଲା ନୂଆ ମୋଡ଼ ନେଇଛି. କ୍ରଇମବ୍ୟାଞ୍ଚର ୨ ଦିନିଆ ତଦନ୍ତ ପରେ ଗତକାଲି ପାରଳାଖେମୁଣ୍ଡି ନବୋଦୟ ବିଦ୍ୟାଳୟ ବିରୋଧରେ ଏସଡିଜେଏମ କୋର୍ଟରେ କେଶ ନଂ ଜିଆର ୯୫/୨୦୨୩ ରେ କ୍ରାଇମବ୍ୟାଞ୍ଚ ୩୦୨ ଓ ୨୦୧ ଆଇପିସି ଧାରାରେ ମକଦ୍ଦମା ରୁଜୁ କରିଛି. ଆଜି ସହ ଗତ ୨ ଦିନ ଧରି ପାରଳାଖେମୁଣ୍ଡି ସ୍ଥିତ ଜବହାର ନବଦୋୟ ବିଦ୍ୟାଳୟକୁ ଯାଇଥିଲେ ୫ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ । ବିଦ୍ୟାଳୟ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପଚରା ଉଚରା କରିଥିବାର ଜଣାପଡିଛି । ତେବେ ତଦନ୍ତରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି କ୍ରାଇମ ବ୍ରାଞ୍ଚ ଟିମ୍ । ଏହି ୫ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ ସହ ମୃତ ଛାତ୍ରୀ ସୌଦାମିନୀ ରଇତଙ୍କ ମାତା ତଥା ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିବାର ଜଣାପଡିଛି । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ କାଶୀନଗର ଗସ୍ତ କରି ସେଠାରେ ରହୁଥିବା ମୃତ ସୌଦାମିନୀଙ୍କ ମାତା ପିତାଙ୍କ ସମେତ ଅନ୍ୟ ଜଣକୁ ପଚରା ଉଚରା କରି ବୟାନ ରେକର୍ଡ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀକୁ ହତ୍ୟା କରି ସୁପରୀକଳ୍ପିତ ଭାବେ ଫାଶୀ ହୋଇ ଆତ୍ମହତ୍ୟା ଅଭିଯୋଗ କରାଯାଇ ଗତ ଫ୍ରେବୁଆରି ମାସରେ ପାରଳାଖେମୁଣ୍ଡି ଥାନାରେ ସୌଦାମିନୀର ପରିବାର ତରଫରୁ ଅଭିଯୋଗ ହୋଇଥିଲା. ହେଲେ ସୌଦାମିନୀର ପରିବାର ଉଚିତ ନ୍ୟାୟ ନ ପାଇବାରୁ ପାରଳାଖେମୁଣ୍ଡି ସିପିଆଇଏମର ସହାୟତାରେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମୁଖରେ ୪୬ ଦିନ ଧରି ରିଲେ ଅନଶନ ଚଳାଇଥିଲେ. ପରେ ଆମରଣ ଅନଶନ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗଜପତି ଏସପି ଏସ. ସ୍ୱାତୀ କୁମାର ଘଟଣା ସ୍ଥଳରେ ପହଞ୍ଚି ସୌଦାମିନୀ ମୃତ୍ୟୁ ମାମଲା କ୍ରାଇମବ୍ୟାଞ୍ଚ ଦ୍ୱାରା ତଦନ୍ତ କରାଯିବ ବୋଲି ପୋଲିସ ମହା ନିର୍ଦେଶକ ନିର୍ଦେଶ ଦେଇଛନ୍ତି ବୋଲି ଘୋଷଣା କରିବା ପରେ ଆନ୍ଦୋଳନ ପ୍ରତ୍ୟହୃତ ହୋଇଥିଲା. ଏହା ପରେ କ୍ରାଇମବ୍ୟାଞ୍ଚଟିମ ଗତ ୩ ଦିନ ତଳେ ପାରଳାଖେମୁଣ୍ଡି ପହଞ୍ଚି ସୌଦାମିନୀ ମୃତ୍ୟୁ ମାମଲା ତଦନ୍ତ ଆରମ୍ଭ କରିଥିଲେ. ଗତକାଲି କ୍ରାଇମବ୍ୟାଞ୍ଚଟିମ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ନବୋଦୟ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ.


