ବହୁ ପ୍ରତିଭାର ଅଧିକାରୀ ଥିଲେ ପଦ୍ମଶ୍ରୀ ଡ. ରଜତ କର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ମହାନ୍ ସାରସ୍ୱତ ସାଧକ, ପ୍ରାଜ୍ଞ ପ୍ରବଚକ, ପ୍ରବୀଣ ବକ୍ତା, ଶ୍ରୀଜଗନ୍ନାଥ ସଂସ୍କୃତିର ସମର୍ପିତ ଉପାସକ ପଦ୍ମଶ୍ରୀ ରଜତ କରଙ୍କ ଇହଲୀଳା ସମ୍ବରଣର ମର୍ମନ୍ତୁଦ ବାର୍ତ୍ତାରେ ମର୍ମାହତ । ବିଶେଷ କରି ବିଗତ ୪୨ ବର୍ଷ ଧରି ତାଙ୍କ ସାନ୍ନିଧ୍ୟ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିଲୁ । ପ୍ରବୀଣ ଶିକ୍ଷାବିତ୍‌, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ବିଗତ ଦୀର୍ଘ ୬୦ ବର୍ଷ ଧରି ସେ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ (ଟିଭି) ଓ ଆକାଶବାଣୀରେ (ରେଡ଼ିଓରେ) ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ସୁଖ୍ୟାତି ରହିଛି ସମଗ୍ର ଭାରତବର୍ଷରେ । ୧୯୩୪ ମସିହା, ଅକ୍ଟୋବର ୨ ତରିଖରେ ପିତା କୁଳମଣି କର ଓ ମାତା ଇନ୍ଦୁମତୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ଏହି ମହାନ୍ ଓଡ଼ିଆ ରେଭେନ୍‌ସା କଲିଜିଏଟ୍ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ବରେଣ୍ୟ ପଦ୍ମଶ୍ରୀ ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସ୍‌ସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି । ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଛନ୍ତି । ତନ୍ମଧ୍ୟରେ “ଜନ ଜୀବନରେ ଜଗନ୍ନାଥ”, “ଅନନ୍ୟ ଜଗନ୍ନାଥ ଅନଭୂତିର”, “ଅନ୍ଧପୁଟୁଳି”, “ଚନ୍ଦନ ହଜୁରୀ”, “ଜଣାଣ ଜଣାଉଛି ଜଗନ୍ନାଥଙ୍କୁ”, “ବାଇଶି ପାବଚ୍ଛ”, “ବୀର ଚାଖି ଖୁଣ୍ଟିଆ”’, “ଜନମାନସରେ ଭଞ୍ଜ” ପ୍ରଭୃତି ସାରସ୍ୱତ ସୃଷ୍ଟି ଓଡ଼ିଆ ବାଣୀଭଣ୍ଡାରର ଅମ୍ଳାନ ପଣ୍ୟ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅକଳ୍ପନୀୟ ପ୍ରତିଭା ତଥା ସୃଷ୍ଟି ସମୂହର ଜଣେ ଗବେଷକ ଭାବରେ ଯେପରି ତାଙ୍କର ପ୍ରଜ୍ଞା ପ୍ରତିଫଳିତ, ଠିକ୍ ସେହିପରି ପାଲା ସାହିତ୍ୟ ସଂସ୍କୃତିର ଜଣେ ସମର୍ପିତ ଉପାସକ ଭାବେ ସୁପରିଚିତ ଥିଲେ ଏବଂ ବିଭିନ୍ନ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ଦ୍ୱାରା ପାଲା ସାହିତ୍ୟ ପ୍ରତିଯୋଗିତା ଅର୍ଥାତ୍ ବାଦିପାଲାର ବିଚାରକ ଭାବେ ତାଙ୍କର ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ପାଇଥିଲା ଅଜସ୍ର ଦର୍ଶକୀୟ ପ୍ରଶଂସା । ତାଙ୍କର ଅମୃତ ଅମ୍ଳାନ ସ୍ମୃତି ପ୍ରତି କୋଟିକୋଟି ପ୍ରଣାମ ଜଣାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ