ବହୁ ପ୍ରତୀକ୍ଷିତ ପାରଳା ବାଇପାସ ରାସ୍ତା ନିର୍ମାଣର ଶୁଭ ଦେବେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବହୁ ପ୍ରତୀକ୍ଷିତ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ତୁରନ୍ତ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ମାଣ କାର୍ଯ୍ୟର ଶୁଭ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଅକ୍ଟୋବର ୧ ତାରିଖ ଦିନ ପାରଳାଖେମୁଣ୍ଡି ଗସ୍ତରେ ଆସୁଥିବା ଏକ ନିର୍ଭର ଯୋଗ୍ୟ ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି । ଏହି ବାଇପାସ ରାସ୍ତାର ସମୁଦାୟ ଦୈଘ୍ୟ ୯ କିମି ଅଟେ । ଏହି ବାଇପାସ ନିର୍ମାଣ ପାଇଁ ଗତ ବହୁ ଦିନ ଧରି ପାରଳାବାସୀଙ୍କ ଦାବି ରହିଆସିଥିଲା । ପାରଳାଖେମୁଣ୍ଡି ସହର ଉପକଣ୍ଠର ଯାଜପୁର ଗ୍ରାମ ଠାରୁ ଏହି ବାଇପାସ ନିର୍ମାଣ ରାସ୍ତା ଆରମ୍ଭ ହୋଇ ବେତାଗୁଡା ଦେଇ ଗୁମ୍ମାନାଳ ନିକଟ ଦେଇ ପାରଳା ସହରର ଦକ୍ଷିଣ ପାଶ୍ୱର୍ରେ ସହର ମଧ୍ୟକୁ ସଂଯୋଗ ହେବ । ଏହି ବାଇପାସ ରାସ୍ତାଟି କାର୍ଯ୍ୟକାରୀ ହେଲେ ପାରଳାଖେମୁଣ୍ଡି ସହରରେ ସମସ୍ତ ପ୍ରକାର ଟ୍ରାଫିକ ସମସ୍ୟାର ସମାଧାନ ହୋଇଯିବ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଆଗାମୀ ୩ରୁ୪ ମାସ ମଧ୍ୟରେ ସମାପନ କରିବା ପାଇଁ ଏଥି ପୂର୍ବରୁ ପାରଳାଖେମୁଣ୍ଡି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୧ ତାରିଖ ଦିନ ଗଜପତି ଜିଲ୍ଲାରେ ନୂତନ ବିଏସ୍ୱାକେ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)ର ଶୁଭାରମ୍ଭ କରିବା ଏକ ରକମ ନିଶ୍ଚିତ ହୋଇଛି । ସେହି ଦିନ ହିଁ ପାରଳାଖେମୁଣ୍ଡି ସହରର ଏହି ବହୁ ପ୍ରତୀକ୍ଷିତ ବାଇପାସ ରାସ୍ତାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ ।


