ବହୁ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ଲଘୁଚାଷ ଜନିତ ବର୍ଷା ଓ ରେବ, କପାଳୀ ନଦୀରେ ବନ୍ୟା ଆସି ବନ୍ତ ବ୍ଲକର ବହୁ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ବହୁ ରାସ୍ତା ବୁଡି ରହିଛି । ପ୍ରବଳ ବର୍ଷା ଯୋଗୁ କେତେକ ସ୍ଥାନରେ ଘର ଭୁଷୁଡି ପଡିବା ସହ ବହୁ ଲୋକଙ୍କ ଘରେ ପାଣି ପସି ଯାଇଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇପଡିଛି । ଟିଲୋ ପଞ୍ଚାୟତ ଶାଳକଣିଆ ସାହୁସାହି, ହରିଜନ ସାହିରେ ବର୍ଷା ଜଳ ନିଷ୍କାସନ ହୋଇନପାରି କିଛି ଲୋକଙ୍କ ଘରେ ପାଣି ପଶି ଯାଇଛି । ଗ୍ରାମର ଲକ୍ଷ୍ମୀଧର ଜେନା, କାର୍ତ୍ତିକ ଜେନାଙ୍କ ଘର କାନ୍ଥ ପଡି ଯାଇଥିବା ବେଳେ ନାରାୟଣ ସାହୁ, ଲକ୍ଷ୍ମୀଧର ସାହୁଙ୍କ ପକ୍କା ଘରେ ପାଣି ପଶି ଯାଇଛି । ପୋଡାପାଟଣା ଜେନାସାହିର ସନାତନ ଜେନାଙ୍କ ଘରେ ପାଣି ପଶିବା ସହ ତ୍ରିକୋଣା, ତରାପୁର, ତାଳପଦା, ଟିକିତୀରା, ବେଲମଳା ଗ୍ରାମରେ ପାଣି ପଶିଛି । ଧୋବାତଳିଆ ଗ୍ରାମର କାର୍ତ୍ତିକ ଜେନା, ମଉଡ ଜେନା, ନିରଞ୍ଜନ ଜେନାଙ୍କ ଘର ପାଣି ଘେରରେ ରହିଛି । ଦେବତାଗଢିଆ-ଜାଗୁଳାଇପଦା ଆର୍.ଡି ରାସ୍ତାର କଲଭର୍ଟ ପୋତି ହୋଇଯାଇଥିବାରୁ ଦେବତାଗଢିଆ ଗ୍ରାମର ଶଙ୍କର୍ଷଣ ଜେନାଙ୍କ ଘରେ ପାଣି ପଶିି କାନ୍ଥ ପଡି ଯାଇଛି । ଧୋବାତଳିଆରେ ବାସନ୍ତୀ ରଣାଙ୍କ ଘରେ ପାଣି ପଶି ଯାଇଛି । ଟିଲୋ ହାଟସାହିର ନିଲୁ ବିବି, ବାସୁନ ଅଲ୍ଲୀ, ସିକନ୍ଦର ଅଲ୍ଲୀ, ମୁକ୍ତାର ଅଲ୍ଲୀ, ନୁର ଅଲ୍ଲୀଙ୍କ ଘର ପାଣି ଘେରରେ ରହିଛି । ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା ଓ ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁଙ୍କ ପ୍ରଚେଷ୍ଟାରେ ଜେସିବି ମେସିନ ସହାୟତାରେ ଦେବତାଗଢିଆ, ଧୋବାତଳିଆ ଓ ଟିଲୋ ହାଟସାହିରେ ଜଳ ନିଷ୍କାସନ ପାଇଁ ନାଳ କରାଯାଇଛି । ପ୍ରବଳ ବର୍ଷାରେ ରାମଚନ୍ଦ୍ରପୁରରେ ସୁବାଷ ଜେନାଙ୍କ ଘର ଭୁଷୁଡି ପଡିଛି । ସମସ୍ତ ପରିବାରବର୍ଗଙ୍କୁ ମିଶନଶକ୍ତି ଗୃହରେ ରଖାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ନିଳୋକ ପଞ୍ଚାୟତର ବେଗନା, ଭଣ୍ଡାରଗଢିଆ, ତାଳବାଙ୍କ, ଘରପଦା ଗ୍ରାମର ଶହ ଶହ ଏକର ଚାଷ ଜମି ଜଳମଗ୍ନ ଅବସ୍ଥାରେ ରହିଛି । ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଦୋଳପଦୀ, ନରସିଂହପୁର, ପଧାନପଡା, ବରକୋଣା, ରାମଚନ୍ଦ୍ରପୁର ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଡବର୍ଚ୍ଚିକୟାଁ ପଞ୍ଚାୟତ ଆପ୍ତିରା ଷଡଙ୍ଗୀ ଜେନା ସାହିର ୫ଟି ପରିବାରଙ୍କୁ ଆପ୍ତିରା ୟୁ.ଜି.ଏମ୍.ଇ. ସ୍କୁଲରେ ରଖା ଯାଇଛି । ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପିଇଓ ସଂଗୀତାରାଣୀ ପାଣିଗ୍ରାହୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳ ପରିଦର୍ଶନ କରି ଆଶ୍ରୟସ୍ଥଳୀରେ ଥିବା ଲୋକ ମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବା ସହ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ବନ୍ୟା ଜଳ ନିଷ୍ଠାସନ ପାଇଁ ବଡମହିଷଗୋଠ, ଚାରିଗାଁ ପୂର୍ତ୍ତ ବିଭାଗ ରାସ୍ତା କଟା ଯାଇଥିବା ବେଳେ ତାହା ଗୁରବାର ବ୍ଲକ ଅଧ୍ୟକ୍ଷ, ଦୁଇ ସରପଞ୍ଚ, ସମିତିସଭ୍ୟଙ୍କ ସହଯୋଗରେ ୪ ଘଣ୍ଟା ଧରି କାର୍ଯ୍ୟ କରାଯାଇ ଯାନବାହନ ଯାତାୟତ ପାଇଁ ମରାମତି କରାଯାଇଛି । ମହାନ୍ତିପଡା ରାସ୍ତାରେ ଉପୁଡି ପଡିଥିବା ଗଛ ଗୁଡିକୁ ଆଗରପଡା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ କାଟି ସଫା କରିଥିବା ଜଣାଯାଇଛି ।


