ବାଇକ୍-କ୍ୟାମ୍ପର ମୁହାଁମୁହିଁ ଧକ୍କା, ୨ ଗୁରୁତର
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍):କେନ୍ଦୁଝର ଜିଲ୍ଲା ଯୋଡା ସହର ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ ୨ ଯୋଡା-ବାମେବାରୀ ରାସ୍ତାର କମାରଯୋଡା ଠାରେ ଶନିବାର ସନ୍ଧ୍ୟାରେ ଏକ କ୍ୟାମ୍ପର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ଆହତ ଦୁଇଜଣ ହେଲେ କମାର ଯୋଡା ଅଂଚଳର ଶିବ ପାତ୍ର ଓ ନିତ୍ୟାନନ୍ଦ ଗିରି । ଖବର ନେବାରୁ ଜଣାପଡିଛି ଯେ, ଶନିବାର ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ ଶିବ ପାତ୍ର ଓ ନିତ୍ୟାନନ୍ଦ ଗିରି ଏକ ବାଇକ୍ ନଂ ଓଡି୦୯ସି ୦୬୧୭ ଯୋଗେ କମାରଯୋଡାରୁ ଯୋଡା ବସ୍ଷ୍ଟାଣ୍ଡ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା କ୍ୟାମ୍ପର ନଂ ଓଆର ୦୯ ଇ ୪୪୫୯ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ୍ ରେ ଯାଉଥିବା ଶିବ ପାତ୍ର ଓ ନିତ୍ୟାନନ୍ଦ ଗିରି ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଟାଟାଷ୍ଟିଲ ଡାକ୍ତରଖାନାକୁ ପଠାଇଥିଲେ । କ୍ୟାମ୍ପରଟିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହନଚି କ୍ୟାମ୍ପରଟିକୁ ଜବତ କରିବା ସହିତ ଏହାର ତଦନ୍ତ ଆରମ୍ଭ କରିଛି ।