ବାଇକ୍ରେ ପ୍ରଚାର କଲେ ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ
କୋଣାର୍କ (ଯୁଗାଦ୍ଧ ନିଜ୍ୟୁ) କୋଣାର୍କ ଏନ୍ଏସିରେ ପ୍ରତି ୱାର୍ଡରେ ବୁଲି ପ୍ରଚାର କରିଛନ୍ତି କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ । ଶନିବାର ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଶତାଧିକ କର୍ମୀଙ୍କ ସହିତ ରୋଡ୍ ଶୋ କରିଥିଲେ । ଏହି ରୋଡ୍ ଶୋ ରିଂରୋଡ୍ ଛକଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ କୋଣାର୍କ ଏନ୍ଏସି ଅନ୍ତର୍ଗତ ୧୩ଟି ୱାର୍ଡ ପରିକ୍ରମା କରିଥିଲା । ବିଜେପି ପ୍ରାର୍ଥୀଙ୍କୁ ଲୋକସଭା ଓ ବିଧାନସଭାରେ ଭୋଟ ଦେଇ କୋଣାର୍କର ବିକାଶ ପାଇଁ ସେ ଆହ୍ୱାନ ଦେଇଥିଲେ । ବିଜେପି କୋଣାର୍କ ମଣ୍ଡଳ ସଭାପତି ସୁରେନ ପାଲ, ମଙ୍ଗରାଜ ମୁଦୁଲି, ଗୋପୀନାଥ ସ୍ୱାଇଁ, ସୁକାନ୍ତ ନାୟକ, ନୃସିଂହ ଚରଣ ନାୟକ, ବିଦ୍ୟାଧର ସାହୁ, ରମେଶ ଚନ୍ଦ୍ର ନାୟକ, ତ୍ରିଲୋଚନ ନାୟକ, ଆଶାଲତା ରାଉତରାୟ, ଜସ୍ମିତା ନାୟକ ପ୍ରମୁଖ ଏହି ରୋଡ ଶୋରେ ଅଂଶଗ୍ରହଣ କରିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରତି ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଛି । କୋଣାର୍କରେ ଜମିଜମା ସମସ୍ୟାର ସମାଧାନ, ସ୍ଥାୟୀ ଡାକ୍ତର ନିଯୁକ୍ତି, ବ୍ୟବସାୟୀଙ୍କୁ ଥଇଥାନ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ ।