ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ : ଭାଇ ଭଉଣୀ ମୃତ, ବାପା ମା ଗୁରୁତର
ଗଞ୍ଜାମ, (ୱାଇଏନ୍ଏସ୍ ) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଶାବୁଳିଆ ନିକଟରେ ଆଜି ପୂର୍ବାହ୍ନରେ ବାଇକ୍ ଉପରେ ଏକ ସିମେଂଟ ବୋଝେଇ ଟ୍ରକ୍ ମାଡ଼ିଯିବା ଫଳରେ ବାଇକ୍ ରେ ଯାତ୍ରା କରୁଥିବା ଗୋଟିଏ ପରିବାରର ୪ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ବର୍ଷିୟା ଶିଶୁକନ୍ୟା ଓ ୧୦ ବର୍ଷିୟ ପୁଅର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ବାପା ମା ଉଭୟେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଛି । ରମ୍ଭା ପୋଲିସ ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍ କୁ ଜବତ କରିଛି । ଘଟଣାରେ ଡ଼୍ରାଇଭରକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ବାଇକ୍ ଟି ରାସ୍ତା ପାର୍ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ପରେ ସେଠାରେ ଉତେଜନା ଦେଖାଦେଇଥିଲା । ପୋଲିସ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି । ଗଞ୍ଜାମ ତହସିଲଦାର ଘଟଣାସ୍ଥଳରେ ପହଂଚି ରେଡ଼କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ଆହତ ପରିବାରଙ୍କୁ ପ୍ରଦାନ କରିଛନ୍ତି । ବାଇକ୍ ଚାଳକ ଅନ୍ତର୍ଯ୍ୟାମୀ ବେହେରା ରମ୍ଭା ଅଂଚଳର ବୋଲି ଜଣାପଡିଛି ।