ବାଇକ୍ ଚୋରୀ ଗ୍ୟାଙ୍ଗର ୫ ଅଭିଯୁକ୍ତ ଗିରଫ: ୧୧ ବାଇକ୍ ଜବତ
ଆସିକା (ୱାଇଏନ୍ଏସ୍) : ଆଖି ପଲକରେ ଚୋରୀ କରୁଥିଲେ ବାଇକ୍ । ଦୀର୍ଘ ଦିନ ଧରି ରାଜ୍ୟର ଭୁବନେଶ୍ୱର, ବାଲୁଗାଁ, ବ୍ରହ୍ମପୁର ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରେ ଦୀର୍ଘ ଦିନ ଧରି ଚଳାଇଥିବା ଏକ ବାଇକ୍ ଚୋରୀ ର୍ୟାକେଟ୍ ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ସ୍କ୍ୱାର୍ଡ ରାତ୍ର ପେଟ୍ରୋଲିଂ ସମୟରେ କାବୁ କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସାଙ୍ଗକୁ ସେମାନଙ୍କ ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ଟି ବାଇକ୍କୁ ଜବତ କରି ଏକ ବଡ ଧରଣର ସଫଳତା ପାଇଥିବା ଜଣାପଡିଛି । ବାଇକ୍ ଚୋରୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ଅଭିଯୁକ୍ତମାନେ ହେଲେ ଡି.ଅନିଲ୍, ଡି.ଦେବ, ଡି.ଚଣ୍ଟି, ଡି.ଶିବାଜୀ ଓ ଏ.ଶିବ । ସେମାନଙ୍କ ଘର ଆସିକା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ଓ କାଳଷଣ୍ଢପୁର ସ୍ଥି ଏରୋଗୋଲା ବସ୍ତିରେ ବୋଲି ଜଣାପଡିଛି । ବାଇକ୍ ଚୋରୀ ର୍ୟାକେଟରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ବେଳେ ଘଟଣା ସଂକ୍ରାନ୍ତରେ ଆସିକା ଥାନାରେ ୯୨/୨୦୨୬ ରେ ମାମଲା ରୁଜୁ ହୋଇଛି ବୋଲି ଆସିକା ଅଧିକାରୀ ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ବାଇକ୍କୁ ଚୋରୀ କରି ସେଗୁଡିକର ନମ୍ବର ପ୍ଳେଟ୍ ବଦଳାଇ ଏକ ବଡ ଧରଣର ସଂଗଠିକ ଅପରାଧ କରିବା ପାଇଁ ଯୋଜନା କରୁଥିବା ବେଳେ ଆସିକା ପୋଲିସ ସେମାନଙ୍କ ଅସମାଜିକ କାର୍ଯ୍ୟକଳାପକୁ ପଣ୍ଡ କରିବାରେ ସକ୍ଷମ ହୋଇଥିବା ଜଣାପଡିଛିି । ବାଇକ୍ ଚୋରୀ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମରେ ଆସିକା ସମେତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଥାନାରେ ମାମଲା ଥିବା ବେଳେ ଏହି ଘଟଣାରେ ଅନ୍ୟ କେଉଁମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ଅଛନ୍ତି ତାହାର ଛାନ୍ଭିନ୍ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।


