ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ , ଥାନାରେ ଅଭିଯୋଗ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ସୁଜୁକି ବାଇକ୍ ସୋରୁମ୍ ସମୁଖରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ୬୯ ହଜାର ଟଙ୍କା ଲୁଟ୍ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ମଙ୍ଗଳବାର ରାତି ୮ ଘଟିକା ସମୟରେ ବଡବିଲ ଅଂଚଳର ଦ୍ୱାରିକା ପ୍ରସାଦ ଶର୍ମା ବିଭିନ୍ନ ଗ୍ରୋସରୀ ଦୋକାନରୁ ବାକି ଥିବା ଟଙ୍କା ଆଦାୟ କରିବା ପାଇଁ ବାଇକ୍ ଯୋଗେ ଯୋଡା ଆସିଥିଲେ । ଆଦାୟ କରିବା ପରେ ଉକ୍ତ ଟଙ୍କାକୁ ସେ ବାଇକ୍ ଡିକିରେ ରଖିଥିଲେ । ପରେ ସେ ସୁଜୁକି ବାଇକ୍ ସୋରୁମ୍ ସମୁଖରେ ବାଇକ୍ ଟି ରଖି ରାସ୍ତାର ଅନ୍ୟପାଶ୍ୱର୍କୁ କୌଣସି କାମରେ ଯାଇଥିଲେ । ସେଠାରୁ କିଛି ସମୟ ପରେ ଫେରିବା ପରେ ତାଙ୍କ ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ୬୯ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଦେଖିବାକୁ ପାଇଥିଲେ । ଏହି ଟଙ୍କା ଉଭାନ୍ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ପରେ ଦୁଇ ଜଣ ଦୁର୍ବୁତ ବାଇକ୍ ରେ ଆସି ଡିକି ଭାଙ୍ଗି ଟଙ୍କା ଲୁଟ୍ କରିନେଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ କେଶ୍ ନଂ ୨୦୭/୨୦୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।