ବାଇକ ଓ ଅଟୋ ମୁହାଁମୁହିଁ ଧକ୍କା, ଜଣେ ମୃତ, ୩ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଝିଲିକି ଗ୍ରାମ ନିକଟରେ ଏକ ବାଇକ ଓ ଅଟୋରିକ୍ସା ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଛି । ଅଟୋଟି ଓଲଟି ପଡିଥିବାରୁ ସେଥିରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିବାର ଜଣାପଡିଛି । ମୃତକ ଜଣକ ହେଲେ ବାଇକରେ ବସିଥିବା ସିମିଳି ଗ୍ରାମର କେଶବ ମଳିକ । ଘଟଣାରୁ ପ୍ରକାଶ ଯେ, କେଶବ ମଳିକ ଓ ମଧୁସୂଦନ ମଳିକ ନିଜ ବଡମା ଘରକୁ ବାଇକ ଯୋଗେ ଯାଉଥିଲେ । ଅପର ପାଶ୍ୱରୁ ଏକ ଯାତ୍ରୀବାହି ଅଟୋ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଅଟୋଟି ଓଲଟି ପଡିଥିଲା । ଦୁର୍ଘଟଣା ସ୍ଥଳରେ କେଶବଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ କୁଟିଗୁଡା ଗ୍ରାମର ଦୁଃଖି ମଳିକ, ଦମାଦୁଆ ଗ୍ରାମର କୁମାର ମଳିିକ, ସାହିଲା ମନ୍ତ୍ରୀ ପ୍ରମୁଖ ବୋଲି ଜଣାପଡିଛି । ଏମାନଙ୍କୁ ଅଡବା ସ୍ୱାସ୍ଥ୍ୟ କେନ୍ଦ୍ର୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ହୋଇଥିବା ବାଇକ ନମ୍ବର ଓଡି୦୭ଟି ୭୩୭୩ ଏବଂ ଅଟୋ ନମ୍ବର ଓଡି୦୭ଏଏଫ ୦୭୯୧ ବୋଲି ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ଓ ଏସ୍.ଆଇ ଚନ୍ଦନ କୁମାର ଦାସ ତଦନ୍ତ କରିଥିବା ବେଳେ ଶବକୁ ଜବତ କରି ମୋହନା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛନ୍ତି । ଏନେଇ ଅଡବା ଥାନାରେ ୪୭/୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନା ସୂତ୍ରରୁ ପ୍ରକାଶ ।