ବାଇକ ଚୋରୀ ରାକେଟର ପର୍ଦାଫାସ,୭ଅଭିଯୁକ୍ତ ଗିରଫ ; ୧୯ ବାଇକ ଜବତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆନ୍ତଜିଲ୍ଲା ବାଇକ ଚୋରୀ ରାକେଟ ଠାବ କରିଛି ଗଂଜାମ ଜିଲ୍ଲାର ଭଂଜନଗର ପୋଲିସ । ୧୯ ଟି ଚୋରୀ ଗାଡି ଜବତ କରିବା ସହ ୭ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ। ଭଞ୍ଜନଗର ଥାନା କେସ ନମ୍ବର ୪୮୫ ମାମଲାର ତଦନ୍ତ କରି ପୋଲିସ ଏଭଳି ସଫଳତା ପାଇଥିବା ଜଣାପଡିଛି। ଗତ ପର୍ବାଣ ସମୟରେ ଗଞ୍ଜାମ ଜିଲ୍ଲା ସମେତ କନ୍ଧମାଳ ଓ ରାୟଗଡା ଜିଲ୍ଲାରୁ ବହୁ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପୋଲିସ ବାଇକ ଚୋର ଙ୍କୁ କାବୁ କରିବାରେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା। ଗତ ୩ ତାରିଖରେ ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ରୋଡ଼ ଝାଙ୍କରେଇ ମନ୍ଦିର ନିକଟରୁ ବାଇକ ଚୋରୀ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା ରେ ପୋଲିସ ଦୁଇ ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଥିଲା। ଏହା ପରେ ପୋଲିସ ତଦନ୍ତ ପ୍ରକ୍ରିୟା କୁ ତ୍ବରାନ୍ବିତ କରି ଭଂଜନଗର ପୋଲିସ ସହ ବେଲଗୁଣ୍ଠା ଓ ବୁଗୁଡା ଥାନାର ବଛା ବଛା ଅଧିକାରୀ ଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ୧୯ ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ୭ଜଣ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଅଭିଯୁକ୍ତ ମାନେ ବିଭିନ୍ନ ଇଲାକା ରୁ ଗାଡି ଚୋରି କରିବା ପରେ ବୁଗୁଡା ଓ ଭଂଜନଗର ଅଞ୍ଚଳରେ କିଛି ଗେରେଜ ମାଲିକ ଙ୍କୁ ଏହା ବିକ୍ରି କରି ଦେଉଥିଲେ। ସେହି ଦିଗରେ ପୋଲିସ ତଦନ୍ତ କରି ଗାଡି ଚୋରୀ ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ପାଞ୍ଚ ଜଣ ଚୋରୀ ଗାଡି କିଣିକା ଅଭିଯୋଗରେ ଗିରଫ କରାଯାଇଥିବା ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ୧୭ ଗୋଟି ବାଇକ,୨ଟି ସ୍କୁଟି ଜବତ ହୋଇଥିବା ବେଳେ ସେଗୁଡିକ ଭଂଜନଗର,ବେଲଗୁଣ୍ଠା, ବୁଗୁଡା, ବ୍ରହ୍ମପୁର ବଡ ବଜାର ଥାନା, କନ୍ଧମାଳ ଜିଲ୍ଲାର ରାଇକିଆ ଥାନା,ସାରଙ୍ଗଗଡ଼ ଥାନା,ସୋନପୁର ଏବଂ ରାୟଗଡା ଜିଲ୍ଲାର ଚୋରୀ ଗାଡି ରହିଥିବା ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଏହି ବାଇକ ଚୋରୀ ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ରହିଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଭଂଜନଗର ଥାନା ଅଧିକାରୀ ସୁଦୀପ କୁମାର ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ,ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା,ବାଲି ପଦର ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏ ସଆଇ କେଶର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ