ବାଇକ-ଡମ୍ଫର ମୁହାଁମୁହିଁ ,ଜଣେ ମୃତ
ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ବାଦାମପାହାଡ ଲୌହଖଣି ସମ୍ମୁଖରେ ଡମ୍ଫର-ବାଇକ୍ ମୁହାଁମୁହିଁ ।ଘଟଣାସ୍ଥଳରେ ଡମ୍ଫର ଚକାତଳେ ସରସ୍ବତୀ ଶିଶୁ ମନ୍ଦିରର ପ୍ରଥମ ଶ୍ରେଣୀ ଛାତ୍ରୀ ପେଶି ହୋଇଗଲା ।ଉତ୍ୟକ୍ତ ଲୋକେ ଟ୍ରକ ଚାଳକକୁ ରଶିରେ ବାନ୍ଧି ମରଣାତ୍ମକ ଆକ୍ରମଣ କରିଥିଲେ ।ସେହି ସମୟରେ ବାଦାମପାହାଡ ଥାନାରେ ଅଧିକାଂଶ କର୍ମଚାରୀ ଅନୁପସ୍ଥିତ ଥିଲେ ।ଦୁଇ ଜଣ ପୋଲିସ ଉପସ୍ଥିତ ଥିଲେ ।ପ୍ରବଳ ଉତ୍ତେଜନା ପାଇଥିଲା ।ପୋଲିସ ଉପସ୍ଥିତ ରହିଥିଲେ ମଧ୍ୟ ଲୋକଙ୍କ ଉତ୍ତେଜନା ଦେଖି ପୋଲିସ ନିରୁପାୟ ହୋଇଥିଲେ ।ପ୍ରକାଶ ଥାଉକି ମଙ୍ଗଳବାର ଦିନ ୧୨•୩୦ ରେ ବାଦାମପାହାଡସ୍ଥ ଶିଶୁ ମନ୍ଦିର ସ୍କୁଲ ଛୁଟି ହୋଇଥିଲା ।ଅଭିଭାବକ ଚେଡଗା ବାର୍ଦା ନିଜର ଝିଅ ସମେତ ଅନ୍ୟ ଦୁଇଜଣ ଝିଅକୁ ମୋଟର ସାଇକେଲ (ଓଡି୧୧ଇ ୪୪୮୪) ରେ ବସାଇ ଘରକୁ ଫେରୁଥିବାବେଳେ ବାଦାମପାହାଡ ମାଇନ୍ସ ଅଫିସ ସମ୍ମୁଖରେ ସାମନା ପଟୁ ଏକ ଡମ୍ଫର( ଓଆର୦୯ଇ ୪୯୮୮) ଆସି ପିଟି ହୋଇଯାଇଥିଲା ।ବାଇକ୍ ଚାଳକ ସମେତ ସମେତ ଛିଟିକି ପଡିଥିଲେ ।ଚେଡକା ବାରଦାର ୬ ବର୍ଷର ଝିଅ ଆରତୀ ବାରଦା ଡମ୍ଫର ଚକାତଳେ ପେଶି ହୋଇଯାଇଥିଲା ।ମୃତ୍ୟୁ ଖବର ପାଇଁ ବହୁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକକୁ ରଶିରେ ବାନ୍ଧି ମାଡ ମାରିଥିଲେ ।ଡମ୍ଫର ଚାଳକ ବିଶ୍ବନାଥ ହାଁସଦାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା ପରେ ପରିସ୍ଥିତି ବିଗିଡିବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରୁ ସ୍ଥାନାନ୍ତରିତ କରାଯାଇଛି । ପରେ ଘଟଣାସ୍ଥଳରେ ବାଦାମପାହାଡ ତହସିଲଦାର ,ଏସଡିପିଓ ଅମୂଲ୍ୟ ଧର,ବାଦାମପାହାଡ ଥାନାଧିକାରୀ ଏବଂ ରାଇରଙ୍ଗପୁର ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ମୃତକ ପରିବାର ପାଇଁ ୫୦ ଲକ୍ଷ,ସ୍କୁଲ ପରିବହନ ଗାଡି,ସିକ୍ୟୁରିଟି,ଡମ୍ଫର,ଗେଟ ପାଇଁ ଦାବି କରିଥିଲେ ।