ବାଇକ ଦୁର୍ଘଟଣାରେ ୨ ଗୁରୁତର
ହାଟଡ଼ିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଧିନ ବେତୀରା ଗ୍ରାମର ହେମନ୍ତ ତ୍ରିପାଠୀ ଓ ମରେଇଗାଁ ଗ୍ରାମର ନାରାୟଣ ଶଙ୍ଖୁଆ ନାମକ ୨ଜଣ ବ୍ୟକ୍ତି ଆଜି ବାଇକ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ,୨ଜଣ ବ୍ୟକ୍ତି କାର୍ଯ୍ୟରତ ଡ୍ରାଇଭର ହୋଇଥିବା ବେଳେ, ନାରାୟଣ ଶଙ୍ଖୁଆ ଟ୍ରକ ଚାଳକ ଓ ହେମନ୍ତ ହାଟଡ଼ିହି ବ୍ଲକ କାର୍ଯ୍ୟାଳୟର ବିଡ଼ିଓଙ୍କ ଡ୍ରାଇଭର ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ୨ଜଣ ନିଜର ଲାଇସେନ୍ସ ନବୀକରଣ ପାଇଁ ତାଲିମ ନେବାକୁ ଆଜି ଭୋର ସମୟରେ ଘରୁ ବାହାରି ବାଇକ ଯୋଗେ କେନ୍ଦୁଝର ଯାଉଥିବା ବେଳେ ଢ଼େଙ୍କିକୋଟ ନିକଟରେ ବାଇକ ଦୁର୍ଘଟଣା ଘଟିଥିଲା। ସେହିରାସ୍ତା ଦେଇ ଆସୁଥିବା ଜୟଦୁର୍ଗା ଟ୍ରଷ୍ଟର ସମାଜସେବୀଙ୍କ ଦ୍ୱାରା ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ମେଡ଼ିକାଲକୁ ଅଣାଯାଇଥିଲା। ନାରାୟଣଙ୍କ ମେରୁଦଣ୍ଡରେ ଆଘାତ ଯୋଗୁଁ ଡ଼ାକ୍ତର ତାଙ୍କୁ କଟକ ପଠାଇଥିବା ବେଳେ ହେମନ୍ତଙ୍କୁ ସିଟି ସ୍କାନ ଏକ୍ସରାଏ ପାଇଁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଏଭଳି ଏକ ଦୁଃଖଦ ଖବର ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତଙ୍କ ସମେତ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଦୁଃଖ ପ୍ରକାଶ କରିଛନ୍ତି।


