ବାଇକ ଧକ୍କାରେ ଦିବ୍ୟାଙ୍ଗ ଯୁବତୀ ଗୁରୁତର
ହାଟଡ଼ିହି : ଆନନ୍ଦପୁର-ଭଦ୍ରକ ରାସ୍ତାର ବେତୀରା ଛକ ନିକଟରେ ଏକ ବାଇକ ଧକ୍କାରେ ଜଣେ ଦିବ୍ୟାଙ୍ଗ ଯୁବତୀ ଗୁରୁତର ଆହତ ହୋଇଥିବାବେଳେ ବାଇକ ଆରୋହୀ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ବେତୀରା ଗ୍ରାମର ଲୀଳାବତୀ ସେନାପତି ନାମକ ଜଣେ ଦିବ୍ୟାଙ୍ଗ ଯୁବତୀ ଆଜି ବଡି ସକାଳୁ ସକାଳୁ ଫୁଲ ତୋଳିବାକୁ ଯାଇ ଫେରୁଥିବାବେଳେ ବସନ୍ତିଆ ପଟୁ ଦ୍ରତଗତିରେ ଆସୁଥିବା ଏକ ବାଇକ ତାକୁ ଧକ୍କା ଦେବାରୁ ସେ ରାସ୍ତାର ଖଣ୍ଡେ ଦୁରକୁ ଛିଟିକି ପଡିଥିଲା । ତାଙ୍କ ଜଙ୍ଘ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ବାଇକ ଚାଳକଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଥିଲା । ହାଟଡିହି ଦମକଳ ଯୋଗେ ସେମାନଙ୍କୁ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ବାଇକଟିକୁ ନନ୍ଦିପଦା ପୁଲିସ ଜବଦ କରିଛି ।


