ବାଇଶି ପାହାଚେ ପିଣ୍ଡଦାନର ତାତ୍ପର୍ଯ୍ୟ
ବିପିନ ବିହାରୀ ମହାନ୍ତି
ବାଇଶି ପାହାଚ କହିଲେ ଶ୍ରୀମନ୍ଦିରର ସିଂହଦ୍ୱାରସ୍ଥ ମୂଳଶାଳାର ମେଘନାଦ ପାଚେରୀ ଠାରୁ ଦ୍ୱିତୀୟ ବେଢ଼ା ଅର୍ଥାତ୍ କୁର୍ମବେଢ଼ାଯାଏଁ ପାହାଚ ଶ୍ରେଣୀକୁ ବୁଝାଏ । ବାସ୍ତବିକ୍ ଏମିତି ଗଣନାରେ ପୂର୍ବରୁ ପଶ୍ଚିମକୁ କୁର୍ମ ବେଢ଼ାଯାଏ ମାତ୍ର କୋଡ଼ିଏ ଗୋଟି ପାହାଚ ଅଛି । ବାକି ଦୁଇଟି ପାହାଚରୁ ଗୋଟିଏ ପାହାଚ ଆନନ୍ଦ ବଜାରକୁ ଏବଂ ଅନ୍ୟଟି ରୋଷେଇ ଶାଳକୁ । ଏମିତିରେ ଏମାନେ ବାଇଶି ।ା
କେତେକ ମତ ସାବ୍ୟସ୍ତ କରନ୍ତି ଯେ ମୂଳମନ୍ଦିରର କୂର୍ମବେଢ଼ାରେ ବାହାରେ ଥିବାରୁ ଏହାର ନାମଥିଲା ବହିଃସ୍ଥ ପାବଛ । ଏହାପରେ ଅପଭ୍ରଂଶ ହୋଇ ‘ବହିଃସ୍ଥରୁ ବାଇଶି ଓ ପାବଛରୁ ପାହାଚ’ ହୋଇଛି । ଯେଉଁମାନେ ଯୁକ୍ତି ଦର୍ଶାଇ କୁହନ୍ତି ଯେ ଏହା ମିଥ୍ୟା ବାଇଶି ହିଁ ସତ୍ୟ, ସେମାନେ କୁହନ୍ତି ଯେ କେତେକ ବିଷୟବସ୍ତୁକୁ ଆଧାରକରି ଏହା ବାଇଶି । ଯେମିତି ୨୨ ଅଧିଷ୍ଠାତ୍ରୀ ଦେବୀମାନଙ୍କୁ ନେଇ ଏହା ବାଇଶି ଯଥା – ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ଶକ୍ତି, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, ଶ୍ରଦ୍ଧା, କ୍ରାନ୍ତି, ବୃତ୍ତି, ସ୍ଥିତି, ଦୟା, ତୁଷ୍ଟି, ଚିନ୍ତା, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା ଇତ୍ୟାଦି ସମାହାରର ପ୍ରତୀକ ବାଇଶି । ଆଉ କାହା ମତରେ ଏହା ଚୁତର୍ଦଶ ଭୁବନ ଓ ଅଷ୍ଟବୈକୁଣ୍ଠର ସମାହାରକୁ ପ୍ରତିନିଧିତ୍ୱ କରନ୍ତି; ଆଉ କେହି କୁହନ୍ତି ଯେ ଏହା ଭାଗବତର ଦ୍ୱାଦଶ ସ୍କନ୍ଦ ସହ ଦଶତତ୍ତ୍ୱ ଯଥା ବାସୁଦେବ, ନୃସିଂହ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଗୋବିନ୍ଦ, ନାରାୟଣ, ମଦନମୋହନ, ବିମଳା ଓ ଭୁବନେଶ୍ୱରୀଙ୍କ ସମାହାରର ପ୍ରତୀକ; କେହିବି ଯୁକ୍ତି ରଖନ୍ତି ଯେ ଏହା ପଞ୍ଚରତ୍ନ, ଅଷ୍ଟସାତ୍ତ୍ୱିକ ଭାବ, ତ୍ରୀବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ଅଟନ୍ତି; ପୁନଶ୍ଚ ଯୁକ୍ତି ଯେ କୃଷ୍ଣଚନ୍ଦ୍ର ସୁଆରଶ୍ରେଣୀ ୨୨ହେତୁ ତାଙ୍କୁ ପ୍ରତିନିଧିତ୍ୱ କରେ ୨୨ ପାହାଚ; ଏମିତିରେ ୨୨ଟି ବଡ଼ ଯଥା ବଡ଼ ଦେଉଳ, ବଡ଼ ଠାକୁର, ବଡ଼ ଦାଣ୍ଡ, ବଡ଼ ପଣ୍ଡା, ବଡ଼ ଭୋଗ (ମହାପ୍ରସାଦ), ବଡ଼ ପାବଛ ଇତ୍ୟାଦିକୁ ନେଇ ୨୨ ପାହାଚ ପ୍ରତିନିଧିତ୍ୱକୁ ବୁଝାନ୍ତି । ତେବେ ବହିଃସ୍ଥ ପାବଛ ହେଉ ବା ବାଇଶିପାହାଚ ହେଉ, ଯିଏ ଯେମିତି ସିଦ୍ଧାନ୍ତ ଟାଣିବାକୁ ଚେଷ୍ଟା କରିଛି, ତାହା ଠିକ୍ ହେଉ ବା ଭୁଲ ଥାଉ ଏବେକୁ ଏହା ବାଇଶି ପାହାଚ ଠିକ୍ ।
ଶ୍ରୀକ୍ଷେତ୍ରର ଏøତିହ୍ୟ, ପରମ୍ପରା ଓ ଧାର୍ମିକ ବିଶ୍ୱାସରେ ଏ ପାହାଚଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ । ଏସ୍ଥାନ ପାବନ – ପବତ୍ରର ପ୍ରତୀକ, କାରଣ ଏଇଠି ଅଛି ବ୍ରହ୍ମଲୋକ, ପିତୃଲୋକ, ଧ୍ରୁବଲୋକ ଓ ଅଷ୍ଟ ବୈକୁଣ୍ଠ । ଏହା ମହତ୍ତ୍ୱ ବ୍ୟାଖ୍ୟାନ କରିବାକୁ ଯାଇ ବଳରାମ ଦାସ ଗୁପ୍ତ ଗୀତାରେ ଲେଖିଛନ୍ତି :
ବାଇଶି ପାବଛେ ବୀର, ରହସ୍ୟ ସ୍ଥଳ ନାମତାର ।
ଏହାଯେ ବାଇଶି ପାବଛ, ଅଠର କୋଟି ଶିବ ଲୋକ ।
ରହିଅଛନ୍ତି ପୃଷ୍ଠ ଭାଗେ, ତାଙ୍କୁ କହିବି ତୋର ଆଗେ ।ା
ଏହା ଏକ ପବିତ୍ର ସ୍ଥାନ ନିଶ୍ଚୟ କାରଣ ଏହାରି ଉପର ଦେଇ ଜୀଉମାନଙ୍କର ଶ୍ରୀଗୁଣ୍ଡିଚା ଓ ବାହୁଡ଼ାଯାତ୍ରାର ପହଣ୍ଡି ବେଳେ ପଦସ୍ପର୍ଶ ହୁଏ । ଏହି ସମୟରେ ଏହାର ଉପରେ ଉପସ୍ଥିତ ହୋଇ ସର୍ବ ଦେବାଦେବୀମାନେ ଏ ଦୃଶ୍ୟ ଅବଲୋକନ କରନ୍ତି । ପୁନଶ୍ଚ ଏହାର ଚତୁଃପାଶ୍ୱର୍ରେ ବହୁ ଦେବଦେବୀମାନଙ୍କର ବିଜେ ହୋଇଛି । ମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କଲାବେଳେ ୩ୟ ପାହାଚର ବାମପଟେ ବିଜେ କରିଛନ୍ତି ଶ୍ରୀ କାଶୀବିଶ୍ୱନାଥ । କାହାଣୀ କୁହେ ଏକଦା ଏକ ବୃଦ୍ଧା କୁମ୍ଭାରୁଣୀ କାଶୀ ଯାଇ ଗଙ୍ଗାସ୍ନାନ କରି କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଅଭିଳାଷ ପୋଷଣ କରନ୍ତେ ଶ୍ରୀ ଜଗନ୍ନାଥ ତାଙ୍କୁ ସ୍ୱପ୍ନରେ କହିଲେ ଯେ ସେ ସେହି ବାଇଶି ପାହାଚର ୩ୟ ପାହାଚରେ ଆସନ୍ତାକାଲି ଉପବେଶନ ଥିବା ସନ୍ନ୍ୟାସୀଙ୍କ ଠାରୁ ପ୍ରସାଦ ପାଉ । ସେଠି ଥିବା କାଶୀ ବିଶ୍ୱନାଥ ଚରଣାମୃତ ପାଉ । ତାର ଗଙ୍ଗାଯିବା ଦରକାର ନାହିଁ । ଗଙ୍ଗାତ ବିଷ୍ଣୁଙ୍କ ଚରଣରୁ ସୃଷ୍ଟି । ସେ ଏଇଠି ଅଛନ୍ତି । ଶ୍ରୀ ଜଗନ୍ନାଥ ବ୍ରାହ୍ମଣ ସନ୍ୟାସ ବେଶରେ ସେଠି ତା’ ପରଦିନ ଉପସ୍ଥିତ ଥିଲେ । ସେ ବୃଦ୍ଧା ତାଙ୍କୁ ଦର୍ଶନ କଲା ଓ ତାଙ୍କଠୁ ପ୍ରସାଦପାଇ ଗଙ୍ଗାସ୍ନାନ ଓ କାଶୀ ବିଶ୍ୱନାଥଙ୍କର ଦର୍ଶନର ଫଳ ପାଇଲା । ଶାସ୍ତ୍ରମତେ : ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ ।
ଦ୍ୱିତୀୟ କାରଣଟି ହେଲା ଶ୍ରୀ କାଶୀବିଶ୍ୱନାଥ କାଶୀର ରାଜା ତ୍ରିବିକ୍ରମଦେବଙ୍କୁ ବର ଦେଇଥିବାରୁ ସେ ନିଜକୁ ବାସୁଦେବ ଶ୍ରୀକୃଷ୍ଣ ବୋଲି ପରିଚିତ କରାଇଥିଲେ । ଏଥିରେ ସ୍ୱଂୟ ଭଗବାନ ଶ୍ରୀକୃଷ୍ଣ କ୍ରୁଧ ହୋଇ ରାଜା ତ୍ରିବିକ୍ରମର ଶିର ସୁଦର୍ଶନ ଚକ୍ର ପଠାଇ ଛେଦନ କରିଥିଲେ ଏବଂ କାଶୀ ବିଶ୍ୱନାଥ ତାକୁ ଏ ବର ଦେଇଥିବାରୁ ତାଙ୍କୁ ଏକ ଅଭିଷାପ ସ୍ୱରୂପ ମନ୍ଦିରର ଭିତର ପ୍ରାଙ୍ଗଣେ ସ୍ଥାନ ନଦେଇ ବାଇଶି ପାହାଚରେ ପାଶ୍ୱର୍ ଦେବତାଭାବେ ସ୍ଥାନ ଦେଇଥ୍ôଲେ । ଶାସ୍ତ୍ରରେ ଲେଖାଅଛି :
ନୀଳାଚଳେ ରହିବି ମୁଁ ଦାରୁରୂପ ଧରି
ବାଇଶି ପାହାଚ ତଳେ ଆସନ ତୁମ୍ଭରି ।ା
ସହଜେ ଶ୍ରୀ ଲୋକନାଥ / ଶ୍ରୀ ବିଶ୍ୱନାଥ ଶ୍ରୀ ଜଗନ୍ନାଥଙ୍କର ଭଣ୍ଡାର ରକ୍ଷକ ହେତୁ ଏବଂ ବାଇଶି ପାହାଚତଳେ ରତ୍ନଭଣ୍ଡାର ରହିଛି ବୋଲି କେଉଁଠି ତାଙ୍କୁ ସ୍ଥାନ ସେଇଠି ରହିଛି । ସେମିିତି ରାମ ସୀତାଙ୍କ ଠାରୁ ଆରମ୍ଭକରି ବାଇଶି ପାହାଚ ପାଶ୍ୱର୍ରେ ଯେତେ ଦେବତା ଅଛନ୍ତି, ସମସ୍ତେ କିଛିନା କିଛି କାହାଣୀ ସହିତ ସମ୍ବନ୍ଧିତ ।
ଏ ବାଇଶି ପାହାଚର ଦୈର୍ଘ୍ୟ ପ୍ରସ୍ଥ ଏବଂ ଉଚ୍ଚତା ସର୍ବତ୍ର ସମାନ ନୁହେଁ । ଏହାର ସର୍ବାଧିକ ପ୍ରସ୍ଥ ୧୫ଫୁଟ । ଉଚ୍ଚତା ୩ଇଞ୍ଚରୁ ସାତଇଞ୍ଚ ମଧ୍ୟରେ ।
ଶ୍ରୀ ଜୀଉମାନଙ୍କ ବ୍ୟତୀତ ବାଇଶିପାବଛ କେତେ କେତେ ଭକ୍ତ, ସାଧୁ, ସନ୍ଥ ଏବଂ ବିଭିନ୍ନ ସମୟରେ ଋଷିମାନଙ୍କ ପଦସ୍ପର୍ଶରେ ପବିତ୍ର । ଏଣୁ କାରଣରୁ ମନ୍ଦିର ପ୍ରବେଶ ବେଳେ ଏହାର ସ୍ପର୍ଶରେ ପାପୀମାନେ ପ୍ରଥମେ ପାପ ରହିତ ହୁଅନ୍ତି । ତାପରେ କରନ୍ତି ଶ୍ରୀ ଜିଉମାନଙ୍କ ଦର୍ଶନ । ଶୁଣାଯାଏ ନିଃସନ୍ତନୀମାନେ ସନ୍ତାନ କାମନାକରି ବାଇଶି ପାହାଚରେ ଯାଚଜ୍ଞା କରିଥାଆନ୍ତି ଏବଂ ସନ୍ତାନ ପ୍ରାପ୍ତି ପରେ ସେ ସନ୍ତାନଙ୍କୁ ବାଇଶ ପାହାଚରେ ତା’ ମଙ୍ଗଳମନାସୀ ଗଡ଼ାଇ ଆଣିଥାନ୍ତି । ସେମାନଙ୍କ ବ୍ୟତୀତ ଅନ୍ୟମାନେ ସନ୍ତାନଙ୍କ ଶୁଭ ମନାସୀ ତାହାହିଁ କରିଥାଆନ୍ତି ।
ଏକଥା ପୂର୍ବରୁ କହିଛୁ ଯେ ବାଇଶି ପାବଛରେ ବ୍ରହ୍ମଲୋକ, ପିତୃଲୋକ, ଧ୍ରୁବଲୋକ ଏବଂ ଅଷ୍ଟବୈକୁଣ୍ଠ ଅଛି । ଏଠାରେ ପିତୃଲୋକ ଥିବା କାରଣରୁ ଏ ବାଇଶି ପାହାଚରେ ପିଣ୍ଡଦାନ, ଅନ୍ନଦାନ ଓ ବସ୍ତ୍ରଦାନ ଇତ୍ୟାଦି ପିତୃପୁରୁଷଙ୍କୁ ଦେଲେ ସେମାନେ ଏହା ପାଆନ୍ତି । ଶ୍ରାଦ୍ଧ ଦେଉଥିବା କର୍ତ୍ତାର ବି ମହାପୂଣ୍ୟ ହୁଏ । ଶ୍ରଦ୍ଧା, ସମ୍ମାନ ଓ ଭକ୍ତି କାରଣରୁ ଶ୍ରାଦ୍ଧ ଏବଂ ତୃପ୍ତିିଦାନ କରୁଥିବାରୁ ତର୍ପଣ କୁହାଯାଏ ।
ହିନ୍ଦୁମାନଙ୍କର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଶ୍ରାଦ୍ଧ ଏକ ବୈଦିକ କର୍ମ । ଏହା ଏକ ବୈଦିକକର୍ମ ବୋଲି ସ୍ୱୀକାର କରି ଗୋପବନ୍ଧୁ ଦାସ ଲେଖିଛନ୍ତି :
ଆସୁଅଛି ପିତୃପକ୍ଷ କରୁଛି ତର୍ପଣ
ମନ୍ତ୍ରପାଠ ତଳେଦଳେ କରେ ସମର୍ପଣ
ପିତୃ ପିତାମହଗଣ ବୈଦିକ ବିଧାନେ
ଦେବଗଣେ, ଋଷିଗଣେ ପୂଜେ ଜଳଦାନେ ।
ବେଦମତେ ପିତା-ମାତା ଏବଂ ପିତୃପୁରୁଷଗଣ ହେଉଛି ପ୍ରକୃତ ଦେବଦେବୀ । ଏଣୁ ଇହଲୋକରେ ତାଙ୍କୁ ସେବା ଓ ଶ୍ରଦ୍ଧା ଦ୍ୱାରା ଶାନ୍ତି ଓ ପରଲୋକାଗତ ହେଲେ ତାଙ୍କ ତୃପ୍ତି ଓ ମୋକ୍ଷପାଇଁ ସନ୍ତାନମାନେ ଶ୍ରାଦ୍ଧ-ତର୍ପଣ-ପିଣ୍ଡଦାନ ଇତ୍ୟାଦି କର୍ମ କରିବା ଉଚିତ୍ ।
ଶ୍ରାଦ୍ଧ ଦିଆଯାଏ କାହାକୁ? ସ୍ମୃତି ସଂହିତାନୁସାରେ ସାଧାରଣତଃ ଶ୍ରାଦ୍ଧ ସ୍ୱର୍ଗତ ପିତା-ମାତାଙ୍କ ଉଦ୍ଦେଶ୍ୟରେ ଦିଆଯାଏ । ଏ ଶ୍ରାଦ୍ଧ ତିଥିଅନୁଯାୟୀ ଦିନିକିଆ ବା ବର୍ଷିକିଆ ହୋଇପାରେ; କିନ୍ତୁ ମହାଳୟା ଶ୍ରାଦ୍ଧ ଆଶ୍ୱିନ କୃଷ୍ଣପକ୍ଷ/ପିତୃପକ୍ଷରେ ଯେ କୌଣସି ବ୍ୟକ୍ତି ଯେ କୌଣସି ତିଥିରେ, ତା’ ପୁରୁଷର ତିଥି ନକ୍ଷେତ୍ରକୁ ନବିଚାରି, ଯେ କୌଣସି ଦିନରେ ଦେଇଥାଏ । ମହାଳୟା ଶ୍ରାଦ୍ଧ ସାତପୁରୁଷରଶ୍ରାଦ୍ଧ ଦେଇଥାଏ । ତିନି ପିତୃ ପୁରୁଷ : ପିତା, ପିତାମହ ଓ ପ୍ରପିତାମହ ଏବଂ ଅନୁରୂପ ତିନି ମାତୃପୁରୁଷ । ମାତୃ ପୁରୁଷରେ ମଉଳାକୂଳ ସଂପୃକ୍ତ ଥିବାରୁ ମହାଳୟା ଶ୍ରାଦ୍ଧାର ଅନ୍ୟନାମ ମଉଳା ଶ୍ରାଦ୍ଧ ଏବଂ ମହାଳୟା । ଅମାବାସ୍ୟାର ନାମ ମଉଳା ଅମାବାସ୍ୟା । ଏ ଛ’ ପୁରୁଷ ବାଦେ ଆଉ ଏକ ଲୁପ୍ତ ପୁରୁଷଙ୍କୁ ଦିଆଯାଏ । ସେ ହେଉଛନ୍ତି ସେହି ସ୍ୱର୍ଗତ ବ୍ୟକ୍ତି ଯାହାକୁ ଶ୍ରାଦ୍ଧ ଦେବାପାଇଁ କେହି ନଥାଏ । ଇଏ କୌଣସି ବଂଶୀୟ, ସଂପର୍କିତ ବା ପରିଚିତ ବା ଅପରିଚିତ ବ୍ୟକ୍ତି ହୋଇ ଥାଇପାରନ୍ତି । ଏତଦ୍ ଭିନ୍ନ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଋଷିଗଣ, ବେଦ ଓ ଛନ୍ଦ ଇତ୍ୟାଦିଙ୍କୁ ଶ୍ରାଦ୍ଧ ଦିଆଯାଏ । ଶ୍ରାଦ୍ଧରେ ଜଳ, ତିଳ ଓ ପିଣ୍ଡଦାନ କରାଯାଏ । ଏହାକୁ ପ୍ରାପ୍ତ ହେଲେ ପରାଗତ ଆତ୍ମା ମୁକ୍ତିଲାଭ କରିଥାଆନ୍ତି ।
ମୃତ୍ୟୁ ତିଥିରେ ପରାଗତ ଆତ୍ମାମାନେ ପିଣ୍ଡପାଇଁ ଅପେକ୍ଷା କରିଥାଆନ୍ତି । ଯଦି ସେଦିନ ଉପଯୁକ୍ତ ସମୟରେ ସେମାନଙ୍କୁ ଶ୍ରାଦ୍ଧ ଦିଆନଗଲା, ସେମାନେ ନିରାଶ ହୋଇ ଫେରିଯାଆନ୍ତି । ଏବେ ପ୍ରଶ୍ନ: ସେ ପିଣ୍ଡରେ କ’ଣ ବଢ଼ାଯାଏ? ସାଧାରଣ ପିଣ୍ଡରେ ମହାପ୍ରସାଦ ପାକନ୍ନ ଅଥବା ଅମାନ୍ନ କିମ୍ବା ଜୀବିତାବସ୍ଥାରେ ତା’ର ଯାହା ମୁଖ୍ୟଖାଦ୍ୟ ଥିଲା । ଏସବୁର ଅଭାବରେ, ବ୍ୟତିକ୍ରମରେ ଅଥବା ପୁରୋହିତଙ୍କ ମତେ ତଣ୍ଡୁଳ, ନାରୀକେଳ, କଦଳୀ ବା ଦହି ଇତ୍ୟାଦିର ଚକଟା କିମ୍ବା ସେହିକ୍ରମେ ଦଳା ଅଟା ଦିଆଯାଇପାରେ ।
ଏବେ ପ୍ରଶ୍ନ: ଶ୍ରାଦ୍ଧ ଦେବାରେ ପ୍ରକୃତ ସ୍ଥାନ କିଏ? ଏହା ନିଶ୍ଚିତ ସତ୍ୟ ଯେ ପ୍ରଥମ ସ୍ଥାନ ହେଉଛି ଜନ୍ମସ୍ଥାନ ମୃତ୍ୟୁବଳର ତା’ର ବାସସ୍ଥାନ ବିଚାରକୁ ନିଆଯାଇପାରେ । ଦ୍ୱିତୀୟତଃ ଏହା ନଦୀତଟ, ପୁଷ୍କରିଣୀ ବା ସମୁଦ୍ରକୂଳ ହୋଇପାରେ । ତୃତୀୟତଃ ଏହା କୌଣସି ତୁଳସୀ ମୂଳେ ହୋଇପାରେ । ଅର୍ଥାତ୍ ଯେଉଁ ଜଳକୁ ତୀର୍ଥ ଜଳ ରୂପେ ଗ୍ରହଣ କରାଯାଇପାରେ । ସେହି ସ୍ଥାନରେ ଶ୍ରାଦ୍ଧ ତର୍ପଣ କରିବା ବିଧେୟ । ପିତୃତିଥି ଶ୍ରାଦ୍ଧ ଏସବୁ ସ୍ଥାନରେ କରାଯାଇପାରେ । କିନ୍ତୁ କୌଣସି ଅଦିନରେ ତିଥି ଶ୍ରାଦ୍ଧ ଏସବୁ ସ୍ଥାନରେ କରାଯାଏ ନାହିଁ । ସେଥିପାଇଁ କେତେକ ନିର୍ଦ୍ଧିଷ୍ଟ ଗ୍ରହଣୀୟ ତୀର୍ଥସ୍ଥାନ ଅଛି ଯେଉଁଠି ଯେ କୌଣସି ଶ୍ରାଦ୍ଧ, ଯେ କୌଣସି ଦିନ ତିଥିବାର ନକ୍ଷତ୍ର ବିନା କରାଯାଇପାରେ । ଯାହା ମଧ୍ୟରେ କାଶୀ ବା ଗୟା, ତ୍ରିବେଣୀ ଘାଟ ଇତ୍ୟାଦି ବିଚାରକୁ ନିଆଯାଇପାରେ । ମହାଳୟ ଶ୍ରାଦ୍ଧ ବା ପିତୃପକ୍ଷ ଶ୍ରାଦ୍ଧ ଘରେ ବା ବାହାରେ ଯେ କୌଣସି ସ୍ଥାନରେ କରଯାଇପାରେ । ମହାଳୟା ଶ୍ରାଦ୍ଧ ହିଁ କେବଳ ତର୍ପଣ ଶ୍ରାଦ୍ଧ । ଏହା କେବଳ ଆଶ୍ୱିନକୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ଯାଏ ଚାଲେ । ଏହି ଶ୍ରାଦ୍ଧମାଧ୍ୟମରେ ଆମେ ପିତୃପିରୁଷଙ୍କୁ ଏ ମୃତ୍ୟୁଲୋକୁ ଆହ୍ୱାନ କରୁ ଏବଂ ଏହାର ଠିକ୍ ମାସକ ପରେ କାର୍ତ୍ତିକ ଅମାବାସ୍ୟା ଦିପାବଳୀ ପିମ୍ପେଇ ଅମାବାସ୍ୟା ଅବସରେ ଦୀପଜଳାଇ ବିଦାୟ ଦେଇ କହୁ: ବଡ଼ବଡ଼ିଆ ହେ ସ୍ୱର୍ଗେ ଯା…. ଏହା ପୁଣି ଏକ ଶ୍ରାଦ୍ଧ ମାଧ୍ୟମରେ ଯାହାକୁ ଆମେ କହୁ ପୟାଶ୍ରାଦ୍ଧ ।
ଶ୍ରାଦ୍ଧ ଦେବା କାର୍ଯ୍ୟଟି ସାଧାରଣତଃ ଜ୍ୟେଷ୍ଠ ପୁତ୍ର ଦ୍ୱାରା ସମାହିତ ହୋଇଥାଏ । ତାଙ୍କ ଅନ୍ତେ ତାଙ୍କ ପରବର୍ତ୍ତୀ ଭାଇ ଅଥବା ଶାସ୍ତ୍ର ସ୍ୱୀକୃତି ପ୍ରାପ୍ତ ଆଉ କେହି ଦେଇଥାଆନ୍ତି । ତେବେ ତାଙ୍କ ସହଧର୍ମଣୀ ସହଯୋଗ କରିବା ଶାସ୍ତ୍ର ସମ୍ମତ । ଏମିତିକି ସ୍ୱାମୀଙ୍କ ଅନୁପସ୍ଥିତିରେ ପିଣ୍ଡଦାନର ପ୍ରମାଣ ଅଛି ଯଥା – ସୀତା । ବାଇଶି ପାହାଚ ପିଣ୍ଡଦାନ ସ୍ଥାନ ଦୃଷ୍ଟିରୁ ଏକ ଠିକ୍ ସ୍ଥାନ ନୁହେଁ । ତେବେ କାହିଁକି ବା କେବଠୁ ଏଠାରେ ପିଣ୍ଡଦାନ ହୋଇ ଆସୁଛି ଏହାହିଁ ବିଚାର୍ଯ୍ୟ । କିମ୍ବଦନ୍ତୀ ଅନୁସାରେ ରାଜା ଦର୍ପନାରାୟଣ ଶ୍ରୀ ଜଗନ୍ନାଥଙ୍କ ପ୍ରତ୍ୟହ ଦର୍ଶନ କରିବା ସହିତ ପିତୃପୁରୁଷଙ୍କୁ ଏଇଠି ଶ୍ରାଦ୍ଧ ଦେଉଥିଲେ । ଶ୍ରୀ ଜଗନ୍ନାଥ ତାଙ୍କର ଏପରି କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତାଙ୍କୁ ବ୍ରାହ୍ମଣ ବେଶରେ ଦେଖାଦେଇ ଆଶୀର୍ବାଦ ଦେଇଥିଲେ । ସେବେଠୁ ତାହାଙ୍କୁ ଅନୁକରଣ କରି ଏଠାରେ ଅନ୍ୟମାନେ ପିତୃପୁରୁଷଙ୍କ ଶ୍ରାଦ୍ଧ ବାଢ଼ନ୍ତି । ତେବେ ଏହା ସହିତ ମୁଖ୍ୟ କାରଣଟି ଏହି ଯେ ବାଇଶି ପାହାଚହିଁ ପିତୃପୁରୁଷଙ୍କ ଉପସ୍ଥିତିର ଏକ ମୁଖ୍ୟସ୍ଥାନ ଯେଉଁଠି ଶ୍ରାଦ୍ଧ ବାଢ଼ିଲେ ସେମାନେ ପାଇବେ । ଶ୍ରାଦ୍ଧ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ, ମହତ୍ୱପୂର୍ଣ୍ଣ ଏବଂ ଶ୍ରେଷ୍ଠତମ ପବିତ୍ର ସ୍ଥାନ । ଏଇଠି ବିଦ୍ୟମାନ ପିତୃଲୋକ ସହ ସବୁଲୋକ ବାବା ଧାମ । ଏଠି ସର୍ବ ଦେବାଦେବୀ ଉପସ୍ଥିତ । ଏଇଠି ରହିଛି ପିଣ୍ଡଦାନକୁ ଶ୍ରେଷ୍ଠ ଦେୟ ମହାପ୍ରସାଦ, ଗଙ୍ଗାଧାରର ଶ୍ରେଷ୍ଠଜଳ ଶ୍ରୀ କାଶୀ ବିଶ୍ୱନାଥ ଏବଂ ଚରଣାମୃତ, ଏଇଠି ହୁଏ ପୟାଶ୍ରାଦ୍ଧ ଓ ମାର୍ଗଶୀର ମାସର ଅମାବାସ୍ୟା ଶ୍ରାଦ୍ଧ ଯାହା ସବୁ ପିତୃପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ । ପୁରୀ ହିଁ ତୀର୍ଥରାଜ । ଏହାର ପୁଷ୍କରିଣୀ, ସମୁଦ୍ର ଓ ବାଇଶି ପାବଛ ସମସ୍ତେ ତୀର୍ଥ କ୍ଷେତ୍ର । ଏହି କାରଣରୁ ଶ୍ରଦ୍ଧାଳୁମାନେ ପୁରୀ ଆସି ପ୍ରଥମେ ସମୁଦ୍ର ବା ପୁଷ୍କରିଣୀରେ ବୁଡ଼ ବା ସ୍ନାନସାରି ବାଇଶି ପାହାଚରେ ପକାନ୍ତି ଶ୍ରାଦ୍ଧ । ତା’ପରେ କରନ୍ତି ଶ୍ରୀ ଜୀଉମାନଙ୍କ ଦର୍ଶନ । ପିତୃପକ୍ଷରେ ପିତୃପୁରୁଷଗଣ ବାଇଶି ପାହାଚରେ ଉପସ୍ଥିତି ଥିବାରୁ ସେହିଦିନଗୁଡ଼ିକରେ ଏଠି ଶ୍ରାଦ୍ଧଦେବା ସବୁଠୁ ଉତ୍ତମ । ବିଶେଷକରି ମହାଳୟା ଦିବସ ସବୁଠୁ ସର୍ବୋତ୍ତମ ।
ଶ୍ରାଦ୍ଧପରେ ବ୍ରାହ୍ମଣ, ଦୁଃଖୀ ବା ରଙ୍କିଙ୍କୁ ଭୋଜନ ଦାନ ଓ ଦକ୍ଷିଣା ନିଶ୍ଚିତ । ବିଶ୍ୱାସ ଯେ ଯେମନ୍ତ ଦେଇ, ତେମନ୍ତ ପାଇ । ଆମେ ମହାଭାରତରୁ ଜାଣିଛେ ଯେ କର୍ଣ୍ଣଥିଲେ ମହାଦାନୀ । ସେ ପ୍ରତ୍ୟହ ଗରିବ ବା ଅଭାବୀଙ୍କୁ ସ୍ୱର୍ଣ୍ଣ ଦାନ କରୁଥିଲେ । କିନ୍ତୁ ମୁଠାଏ ଅନ୍ତ କାହାକୁ ଦେଇ ନଥିଲେ । ଏଣୁ ଯେତେବେଳେ ତାଙ୍କର ସ୍ୱର୍ଗବାସ କଲା । ସେଠି ଆଉ ତାଙ୍କୁ କୁଢ଼ କୁଢ଼ ସୁବର୍ଣ୍ଣ ମିଳିଲା । ହେଲେ ମୁଠାଏ ଅନ୍ନ ନାହିଁ । ସେଥିପାଇଁ ସେ ୧୪ଦିନ ପାଇଁ ମର୍ତ୍ତ୍ୟଲୋକକୁ ଆସି ଅନ୍ନଦାନ କରି ଫେରିଲେ । ଏହାଥିଲା ଆଶ୍ୱିନ ପ୍ରତିପଦାଠାରୁ ଆଶ୍ୱିନ ଆମାବାସ୍ୟା ଯାଏଁ । କେହିକେହି ଏହାକୁ ସେହି କାରଣରୁ ପିତ୍ତୃପକ୍ଷ କୁହନ୍ତି । ଏଥିରୁ ଆମେ ନିଶ୍ଚିତ ଯେ କର୍ଣ୍ଣଙ୍କ ମୃତ୍ୟୁ ପରଠୁ ପିତୃପକ୍ଷ ପାଳିତ ହେଉଅଛି ।
ପିତା-ମାତା ପ୍ରତିଟି ବ୍ୟକ୍ତିପାଇଁ ସ୍ରଷ୍ଟା ଓ ସୃଷ୍ଟି କର୍ତ୍ତୀ ଏବଂ ସେମାନଙ୍କ ବିନା ଆମ କଳ୍ପନା ଏବଂ ଏ ପୃଥିବୀରେ ଆମ ସ୍ଥିତି ନିହାତି ଅସମ୍ଭବ ଅଟେ । ତାଙ୍କ ଜୀବଦଶାରେ ସେ ଆମ ଜୀଅନ୍ତା ଦିଅଁ ଯାହାଙ୍କ ସେବା, ଯତ୍ନ ଓ ନିଃସ୍ୱାର୍ଥପର ଦାନରେ ଆମେ ଏଠି ତିଷ୍ଠିଛେ । ମାତାତ ଜନ୍ମଦାତ୍ରୀ, ପାଳନକର୍ତ୍ତା, ସର୍ବସଂହା ଧରିତ୍ରୀ, କଲ୍ୟାଣମୟୀ, ମମତାମୟୀ, ଶୁଭ୍ରଦାୟିନୀ ମା’, ସ୍ୱର୍ଗାଦପୀ ଗରିୟସୀ; ପିତାତ କରୁଣାର ଅବତାର, ବାକ୍ୟାତୀତ, ଭାଷାତୀତ, ଆକାଶଠାରୁ ମହାନ୍ । ଆମେ ତାଙ୍କ ଋଣ ଶୁଝିବାରେ ନିହାତି ଅଧମ ଅକ୍ଷମ ଏବଂ ଅକିଞ୍ଚନ । ତଥାପି କିଛି କରିନପାରିଲେ ବି ତାଙ୍କ ପ୍ରତି ଅନୁରାଗ, ଅନୁରକ୍ତି, ଶ୍ରଦ୍ଧା, ସମ୍ମାନ ଓ ଭକ୍ତି କ’ଣ ଏତିିକି ପାରିବାନାହିଁ? ତାଙ୍କ ଅନ୍ତେ ତାଙ୍କ ମୋକ୍ଷପାଇଁ କରିପାରିବା ନାହିଁ ଶ୍ରାଦ୍ଧ-ତର୍ପଣ? ତାଙ୍କ ତୃପ୍ତିରେ ବାଢ଼ିପାରିବା ନାହିଁ ମୁଠାଏ ପିଣ୍ଡ?? ବୋଧହୁଏ ଏତିକି କଲେ ଦେବତାମାନେ ଆମଠି ଖୁସି ହୋଇପାରନ୍ତି । ଏଣୁ ଯଥାର୍ଥରେ କୁହାଯାଇଛି :
ଞ୍ଚ ଜନନୀ ଜନ୍ମ ଭୂମିଶ୍ଚ, ସ୍ୱର୍ଗାଦପୀ ଗରିୟସୀ..
ଞ୍ଚ ପିତା ଧର୍ମ ପିତା ସ୍ୱର୍ଗ ପିତାହି ପରମତପଃ
ପିତରି ପ୍ରୀତିମାର୍ଣ୍ଣେ ପ୍ରିୟନ୍ତେ ସର୍ବଦେବତା ।ା
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮