ବାଉଁଶଜୋରୀ ସ୍ଳୁଇସ ଗେଟ,ମରାମତି ପାଇଁ ଦାବି

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ଚାଷ ଓ ଚାଷୀଙ୍କର ଉନ୍ନତି ପାଇଁ ସରକାରଙ୍କ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରାଯାଉଛି । କିନ୍ତୁ ଜଳସେଚନର ସୁବିଧା ନଥିବାରୁ ଚାଷୀ ଚାଷ କରିବା ପାଇଁ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଥିବା ଜଣାଯାଇଛି । ନାଉଗାଁ ବ୍ଳକରେ ସାଧାରଣତଃ ଚାଷୀ ଚାଷ କାର୍ଯ୍ୟ ଉପରେ ନିର୍ଭର କରି ଚଳୁଥିବା ବେଳେ ଚାଷ ପାଇଁ ଏକମାତ୍ର ଭରସା ହେଉଛି ବର୍ଷା ଜଳ । ଅନିୟମିତତା ପାଣିପାଗ ଯୋଗୁ ଏହି ବ୍ଳକର ଚାଷ କାର୍ଯ୍ୟ ବେଶ ପ୍ରଭାବିତ ହୋଇଥାଏ । ବ୍ଳକରେ କେନାଲ,ଉଠାଜଳ ସେଚନ ପଂଏଟ,ସ୍ଳୁଇସ ଗେଟ ମାଧ୍ୟମରେ ଚାଷ ଜମିକୁ ଜଳ ଯୋଗାଇ ଦିଆଯାଉଥିବା ଦର୍ଶାଯାଉଥିବା ବେଳେ ଏହା କେବଳ କାଗଜ କଲମରେ ପ୍ରଦାନ କରାଯାଉଥିବା ଜଣାଯାଇଛି । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଚାଷୀ ନିଜସ୍ୱ ଉଦ୍ୟମରେ ତଳି ପକା କାର୍ଯ୍ୟ ସାରିଥିବା ବେଳେ ବର୍ଷା ଅଭାବରୁ ରୁଆରୁଇଁ କାର୍ଯ୍ୟ ପଛରେ ପଡିଛି । ଏହି ସମୟରେ ଚାଷୀର ଏକମାତ୍ର ଭରସା ହେଉଛି ନଦୀ ନାଳ ଜଳ । କିନ୍ତୁ ଅନେକ ସ୍ଥାନରେ ନିର୍ମାଣ କରାଯାଇଥିବା ସ୍ଳୁଇସ ଗେଟ ଓ ଚେକଡ୍ୟାମ ଗୁଡିକ ପ୍ରଶାସନିକ ଉଦାସୀନତା ଯୋଗୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ତେଣୁ ଏହା ବର୍ତମାନ ଚାଷୀଙ୍କ କାମରେ ଆସୁ ନଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନାଉଗାଁ ବ୍ଳକରେ । ଏହି ବ୍ଲକର ଗୋବରୀ ନଦୀ ଉପରେ ନୁଆଗାଁ ପଂଚାୟତର ମଙ୍ଗୁଳିକଂଟା,ଘୋଡାଂଶ ପଂଚାୟତର ଘୋଡାଂଶ,ନାଉଗାଁ ପଂଚାୟତର ମାରଡା,ବାଂଶ ପଂଚାୟତର ବାଂଶ,କୋରୁଅ ପଂଚାୟତର ଗାରୋଇ ଠାରେ ସ୍ଳୁଇସ ଗେଟ ଗୁଡିକ ରହିଥିବା ବେଳେ ବାଉଁଶଜୋରୀ ନଦୀରୁ ଦେବୀନଦୀକୁ ସଂଯୋଗ ହୋଇଥିବା ତେଲସରା ଠାରେ ସ୍କୁଇସ ଗେଟ ନିର୍ମାଣ ହୋଇଛି । ଗୋବରୀ ନଦୀରେ ଉପରେ ଥିବା ସ୍କୁଇସ ଗେଟ ଗୁଡିକୁ ବିଭାଗ ପକ୍ଷରୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଉଥିବା ବେଳେ ବାଉଁଶଜୋରୀ ସ୍କୁଇସ ଗେଟ ମରାମତି ଅଭାବରୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏହି ବାଉଁଶଜୋରୀ ନଦୀଟି ତିରୁଣା ପଂଚାୟତ ଓ ଡାବର ପଂଚାୟତ ଦେଇ ପ୍ରବାହିତ ହୋଇ ଦେବୀନଦୀକୁ ତେଲସରରରେ ସଂଯୋଗ ହୋଇଛି । ଉକ୍ତ ପଂଚାୟତ ଗୁଡିକ ଖାଲୁଆ ସ୍ଥାନ ହୋଇଥିବାରୁ ଏହି ଜୋରୀ ମାଧ୍ୟମରେ ଏହି ପଂଚାୟତ ସମେତ ଜାମୁଗାଁ,କୋରୁଅ ଆଦି ପଂଚାୟତର କିଛି ଜମିରୁ ବନ୍ୟା ସମୟରେ ଜଳ ନିଷ୍କାସିତ ହୋଇଥାଏ । ଏହି ବ୍ଳକରେ ପ୍ରବାହିତ ଗୋବରୀ ଓ ଦେବୀ ନଦୀରେ ବନ୍ୟା ଆସିଲେ ଏହି ଜୋର ଦେଇ ବନ୍ୟା ପାଣି ପ୍ରବେଶ କରିବା ଦ୍ୱାରା ଡାବର,ତିରୁଣା,ଜାମୁଗାଁ,କୋରୁଅ ପଂଚାୟତରେ ପ୍ରାୟ ସବୁବେଳେ ବନ୍ୟା ଆସିଥାଏ । ଗୋବରୀ ଓ ଦେବୀ ନଦୀରୁ ବନ୍ୟା ଜଳ ନିଷ୍କାସନ ନହେବା ପର୍ଯ୍ୟନ୍ତ ଉକ୍ତ ଅଂଚଳ ବୁଡି ରହିଥାଏ । ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଜୋରରେ ତକ୍ରାଳିନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପ୍ରଚେଷ୍ଟାରେ ୧୯୮୦ ମସିହାରେ କୋରୁଅ ପଂଚାୟତସ୍ଥିତ ତେଲସରା ଠାରେ ଡ୍ରେନଜ ବିଭାଗ ଦ୍ୱାରା ଏକ ସ୍ଳୁଇସ ଗେଟ ନିର୍ମାଣ କରାଯାଇଥିଲା । ଏହି ସ୍ଳୁଇସ ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ ହେବା ସହିତ ମରୁଡି ସମୟରେ ଚାଷ ଜମିକୁ ଜଳ ଯୋଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଦୀର୍ଘ ୩୮ ବର୍ଷ ହେବ ଏହି ସ୍ଳିଇସ ଗେଟ ନିର୍ମାଣ ହୋଇଥିବା ବେଳେ ମରାମତି ଅଭାବରୁ ତାହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଯାହାଫଳରେ ମରୁଡି ସମୟରେ ଆବଶ୍ୟକ ଜଳ ଆସି ପାରୁନାହିଁ । ଏହି ସ୍ଳୁଇସ ଗେଟ ଉପରେ ନିର୍ଭର କରୁଥିବା ତିରୁଣା ପଂଚାୟତର ତିରୁଣା,ଉର,ଦହିପାଳ,ଅରିଓଦା,ନରଣପୁର,ତେଂଟୋଇ,ଡାବର ପଂଚାୟତର ଡାବର,ଦେଓପଡା,ଅଙ୍ଗାରୁଆ,ମହନାପାରି,ଜାମୁଗାଁ ପଂଚାୟତ ନନ୍ଦିଗ୍ରାମ,କୋରୁଅ ପଂଚାୟତର ବାଲି ମଝିପଡା,ଗାରୋଇ, କୋରୁଅ, ତେଲସରା ଆଦି ଚାଷୀ ବର୍ଷା ଅଭାବରୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ହେବ ସ୍ଳୁଇସ ଗେଟର ମରାମତି ଅଭାବରୁ ଗେଟରେ ଲାଗିଥିବା କବାଟ ଗୁଡିକ ଭାଙ୍ଗି ଗଲାଣି । ଯାହାଫଳରେ କବାଟ ଗୁଡିକ କାର୍ଯ୍ୟ କରୁ ନଥିବାରୁ ଜଳ ସରଂକ୍ଷଣ ପରିର୍ବତେ ସିଧା ମିଶୁଛି ଦେବୀନଦୀରେ ଫଳରେ ଚାଷ ଜମିକୁ ପାଣି ଉଠିପାରୁ ନାହିଁ । ଏହି ସ୍ଳିଇସ ଗେଟଟି ମରାମତି କରାଗଲେ ବର୍ତମାନ ସ୍ୱଳ୍ପ ବୃଷ୍ଟିପାତ ସମୟରେ ହଜାର ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇ ପାରନ୍ତା ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି । ତେଣୁ ଏହି ସ୍ଳୁଇସ ଗେଟକୁ ମରାମତି କରିବା ପାଇଁ ଚାଷୀମାନେ ପ୍ରଶସାନ ନିକଟରେ ଦୃଢ ଦାବି କରିଛନ୍ତି । ଅନ୍ୟପଟରେ ଗାରୋଇରେ ଥିବା ସ୍ଳୁଇସ ଗେଟକୁ ପ୍ରତ୍ୟେହ ସଂଧ୍ୟାରେ ମାଛ ମାଫିଆମାନେ ମାଛ ଧରିବା ପାଇଁ ଜଳସେଚନ ବିଭାଗର ଅଧିକାରୀଙ୍କ ହାତ ଗୁଂଜା ଦେଇ ରାତିରେ ସ୍ଳୁଇସ ଗେଟକୁ ଖୋଲୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ