ବାଗ୍‌ଦେବୀ ନମସ୍ତୁତେ

ବିପିନ ବିହାରୀ ମହାନ୍ତି
ମାଘଶୁକ୍ଲପକ୍ଷ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କର ଆରାଧନା ଏବଂ ପୂଜା ହୁଏ । ପୁରାଣମତେ ଏହା ତାଙ୍କର ଜନ୍ମଦିନ । ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ସରସ୍ୱତୀଙ୍କର ପୂଜା ପ୍ରଥମେ ଆରମ୍ଭ କରିଥିଲେ । ତା’ପରେ ଅନ୍ୟାନ୍ୟ ଦେବ ଦେବୀମାନଙ୍କ ଠାରୁ ଆରମ୍ଭ କରି ଏ ମଣିଷ ଜାତି ତାଙ୍କର ପୂଜା ଚଳେଇ ରଖିଲେ ।
‘ଶ୍ରୀ’ କହିଲେ ଶୁଭ ଲକ୍ଷଣଯୁକ୍ତ । ଏହି କାରଣରୁ ମାଘ ଶୁକ୍ଲ ପଂଚମୀ ତିଥିକୁ ଶ୍ରୀ ପଂଚମୀ କୁହନ୍ତି । ଅର୍ଥାତ୍ ଦେବୀ ସରସ୍ୱତୀଙ୍କର ଏହା ଶୁଭ ଜନ୍ମଦିବସ । ଏହି ସମୟଟି ଶୀତପର ଏବଂ ପୂର୍ବ ବସନ୍ତ କାଳହେତୁ ଏହାକୁ ମଧ୍ୟ ବସନ୍ତ ପଞ୍ଚମୀ କୁହନ୍ତି । ଗୋଟିଏ ପଟେ ଶୀତକୁ ବିଦାୟ ଏବଂ ଅନ୍ୟପଟେ ବସନ୍ତକୁ ଆହ୍ୱାନର ଏହା ସଂନ୍ଧିକ୍ଷଣ । ଏହା ଇଂରାଜି ମାସ ଜାନୁୟାରୀ ବା ଫେବୃୟାରୀରେ ପଡ଼େ । ଏହିଦିନ ଶ୍ରୀ ମନ୍ଦିରରେ ବସନ୍ତ ପିଷ୍ଟକ ଠାକୁରଙ୍କୁ ଭୋଗଲାଗି ହୁଏ । ଏହି ଦିନଠାରୁ ଦୋଳପୂର୍ଣ୍ଣିିମା ଯାଏ ଉତ୍ସବକୁ ବେନ୍‌ଟ ଯାତ୍ରା କୁହନ୍ତି । କଥାରେ ଅଛି : ଯାହା ନାହିଁ ଶ୍ରୀକ୍ଷେତ୍ରେ ତାହା ନାହିଁ ଭାରତେ । ଅର୍ଥାତ୍ ଭାରତରେ ସମସ୍ତ ହିନ୍ଦୁ ପର୍ବପର୍ବାଣୀ ଜଗନ୍ନାଥ ନୀତିନିୟମ ସହିତ ସଂଶ୍ଳିଷ୍ଟ ।
ଦେବୀ ସରସ୍ୱତୀଙ୍କୁ ନେଇ ପୁରାଣକାରମାନେ ଅନେକ କଥା କୁହନ୍ତି । କାହା ମତରେ ସେ ବ୍ରହ୍ମାଙ୍କ ମୁଖରୁ ଜାତ ହେତୁ, ସେ ତାଙ୍କ କନ୍ୟା; ଅନେକଙ୍କ ମତରେ ସେ ନାରାୟଣଙ୍କ ପତ୍ନୀ ଅର୍ଥାତ୍ ଲକ୍ଷ୍ମୀଙ୍କ ସଉତୁଣୀ, ଶିବ ପୁରାଣ, ବାୟୂ ପୁରାଣ, ବ୍ରହ୍ମ ବୈବର୍ତ ପୁରାଣମତେ ସେ ବ୍ରହ୍ମାଙ୍କ ପତ୍ନୀ । ତାଙ୍କୁ ମହାଲକ୍ଷ୍ମୀ ବ୍ରହ୍ମାଙ୍କୁ ଅର୍ପଣ କରିଥିଲେ ବୋଲି ମାର୍କେଣ୍ଡୟ ପୁରାଣ କୁହେ । ସପ୍ତସତୀ ପୁରାଣମତେ ସେ ଦୁର୍ଗା । ତ୍ରି-ପୁରୁଷ : ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପତ୍ନୀ ତ୍ରି-ପ୍ରକୃତି ବା ଶକ୍ତି ଯଥାକ୍ରମେ ହେଉଛନ୍ତି ସରସ୍ୱତୀ : ବିଦ୍ୟାଦାତ୍ରୀ, ମହାଲକ୍ଷ୍ମୀ : ଧନଦାତ୍ରୀ ଏବଂ ଦୁର୍ଗା ହେଉଛନ୍ତି ଶକ୍ତିଦାତ୍ରୀ । ପୁଣି ବ୍ରହ୍ମ ବୈବର୍ତ ପୁରାଣ କୁହେ ସେ ଶ୍ରୀରାଧାଙ୍କ ଜିହ୍ୱାଗ୍ରରୁ ସେ ସୃଷ୍ଟି । ଗଙ୍ଗା ଅଭିଷାପରୁ ସେ ପବିତ୍ର ସରସ୍ୱତୀ ହୋଇ ପ୍ରବାହିତ ହୁଅନ୍ତି ଏ ମର୍ତ୍ୟ ଭାରତ ଭୂଖଣ୍ଡରେ । ତ୍ରିବେଣୀ ସଂଗମ ଠାରେ, ଗଙ୍ଗା, ଯମୁନା ଓ ସରସ୍ୱତୀ ଏକତ୍ର ହୋଇଛନ୍ତି । ଗଙ୍ଗା, ଯମୁନା ଏବଂ ସରସ୍ୱତୀ ଯଥାକ୍ରମେ ପବିତ୍ରତା, ମୁକ୍ତିମାର୍ଗ ଏବଂ ସରସ୍ୱତୀ ଜ୍ଞାନଦାତ୍ରୀ, ପବିତ୍ର ଓ ମୁକ୍ତିର ପ୍ରତୀକ ରୂପେ ବିଶ୍ୱାସ କରାଯାଆନ୍ତି । ଋଗ୍‌ବେଦରେ ମଧ୍ୟ ସରସ୍ୱତୀଙ୍କୁ ୩୦ଥର ନଦୀ ଓ ୪୫ଥର ଦେବୀ ରୂପେ ବର୍ଣ୍ଣନା କରାଯାଇ ତାଙ୍କର ପବିତ୍ରତା ସଂପର୍କରେ ଆଲୋକପାତ କରାଯାଇଛି । ସରସ୍ୱତୀ କହିଲେ ‘ସରସ୍‌-ବତୀ’ ଯାହାର ଅର୍ଥ ଶ୍ରେଷ୍ଠ ନଦୀ, ହ୍ରଦ ବା ସାଗର । ଏଣୁ ସରସ୍ୱତୀ ଜ୍ଞାନର ନଦୀ, ହ୍ରଦ ବା ସାଗର ।
ସରସ୍ୱତୀ କେବଳ ହିନ୍ଦୁମାନଙ୍କର ଦେବୀ ନୁହଁନ୍ତି । ସେ ଜୈନ ସିଦ୍ଧମାନଙ୍କର ସିଦ୍ଧସରସ୍ୱତୀ ଏବଂ ବୌଦ୍ଧମାନଙ୍କର ପ୍ରଜ୍ଞା ପାରମିତା ।
ଦେବୀହିଁ ଶକ୍ତି । ଶକ୍ତି ଅଦୃଶ୍ୟ; ନିରାକାର । ତଥାପି ଭକ୍ତପାଇଁ ସେ ଅରୂପରୁ ରୂପରେ ପୂଜା ପାଆନ୍ତି, ସେ ମୃଣ୍ମୟ ମୂର୍ତିରେ ହେଉ ବା ଛବି ବା ପଟ୍ଟଚିତ୍ରରେ ହେଉ । ସରସ୍ୱତୀ ରୂପଚିତ୍ରକୁ ପୁରାଣକାରମାନେ ଯେମିତି ବର୍ଣ୍ଣନା କରିଛନ୍ତି :
ଞ୍ଚ ଯା’ କୁଂଦେନ୍ଦୁ ତୁଷାର ହାର ଧବଳା ଯା’ ଶୁଭ୍ରାବସ୍ତ୍ରାବୃତା
ଯା ବୀଣା ବରଦଣ୍ଡ ମଣ୍ଡିତା କରା ଯା ଶ୍ୱେତପଦ୍ମାସନା
ଯା’ ବ୍ରହ୍ମଚ୍ୟୁତି ଶଙ୍କର ପ୍ରଭୁର୍ତିଭ ଦେବୈଃ ସଦାବନ୍ଦିତା
ସାମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷ ଜଡ଼୍ୟା ପହା ।
ଓଁ ଭଦ୍ରକାଳୈ ନମୋ ନିତ୍ୟଂ ସରସ୍ୱତୈ ନମୋ ନମଃ ।
ଞ୍ଚ କଜ୍ୱଳ ପୂରିତ ଲୋଚନ ଧାରେ
ସ୍ତନଯୁଗ ଶୋଭିତ ମୁକୁତାହାରେ ।
ବୀଣା ପୁସ୍ତକ ରଞ୍ଜିତ ହସ୍ତେ
ଭଗବତୀ ଭାରତୀ ଦେବୀ ନମସ୍ତେ ।ା
ସେ ଶୁଭ୍ର ବସ୍ତ୍ର ପରିହିତା, ଶ୍ୱେତବର୍ଣ୍ଣା ଏବଂ ଶ୍ୱେତପଦ୍ମ ପୁଷ୍ପ ଉପରେ ବିରାଜିତା । ତାଙ୍କର ଚାରିଭୁଜ ମଧ୍ୟରୁ ଗୋଟିଏ ହସ୍ତରେ ଲେଖନୀ, ଆଉ ଗୋଟିଏ ହସ୍ତରେ ପୁସ୍ତକ ଏବଂ ଅନ୍ୟ ଦୁଇ ହସ୍ତରେ ବୀଣା ଧାରଣ କରିଛନ୍ତି । ପାଣିରେ (ହାତରେ) ବୀଣା ଧାରଣ କରିଥିବାରୁ ତାଙ୍କ ନାମ ବୀଣାପାଣି ମଧ୍ୟ ରଖାଯାଇଛି । ହଂସ ତାଙ୍କର ବାହନ । ତେବେ ପୂଜା ଆସନରେ ସେ କେବେ ଶୁଭ୍ର ପଦ୍ମପୁଷ୍ପ ଉପରେ ତ କେତେବେଳେ ମୟୂର ଉପରେ ଅଧିଷ୍ଠିତ ହୋଇଥାନ୍ତି ।
ଏଠାରେ ଶ୍ୱେତବସ୍ତ୍ର; ନିଷ୍କଳଙ୍କ ଚରିତ୍ରର ପ୍ରତୀକ, ଲେଖନୀ ଓ ପୁସ୍ତକ : ଜ୍ଞାନର ପ୍ରତୀକ, ବୀଣା : ସଂଗୀତ, ସୂକ୍ଷ୍ମକଳା ତଥା ସପ୍ତରଙ୍ଗ ଓ ସପ୍ତସ୍ୱରର ପ୍ରତୀକ; ହଂସ ଶୁଦ୍ଧତାର ପ୍ରତୀକ ଏବଂ ସାମୁହିକ ଭାବେ ଧଳାରଙ୍ଗ : ପବିତ୍ର ଓ ଶାନ୍ତିର ପ୍ରତୀକ ।
ଦେବୀ ସରସ୍ୱତୀଙ୍କର ମଧ୍ୟ ଅନ୍ୟାନ୍ୟ ନାଁ ଅଛି ଯେମିତି ଇଳା, ଭାରତୀ, ବୀଣାପାଣି, ମୋଟ ଉପରେ ସେ ଜ୍ଞାନ, ବିଦ୍ୟା, ସଂଗୀତ କଳା, ବୁଦ୍ଧି ତଥା ଶୁଦ୍ଧତାର ଦେବୀ । ଏହି କାରଣରୁ ସେ ସମସ୍ତ ଶିକ୍ଷା, ସଂଗୀତ ଓ କଳା ଅନୁଷ୍ଠାନ ମାନଙ୍କରେ ଶ୍ରୀ ପଞ୍ଚମୀ ଦିନ ସ୍ୱତନ୍ତ୍ର ଭାବେ ସୁସଜ୍ଜିତ ମଣ୍ଡପରେ ପୂଜା ହୁଅନ୍ତି । ଖାଲି ଦେବୀ ନୁହଁନ୍ତି ପୂଜକ ଏବଂ ବିଦ୍ୟାର୍ଥମାନେ ମଧ୍ୟ ନୂତନ ପୋଷାକ ପିନ୍ଧି ଥାନ୍ତି । ଦେବୀଙ୍କୁ ଧୂପ, ଦୀପ, ନୈବେଦ୍ୟ ଏବଂ ଭୋଗରାଗ ଅର୍ପଣ କରାଯାଏ । ଭୋଜିଭାତ ମଧ୍ୟ ଅନେକ ଅନୁଷ୍ଠାନରେ କରାଯାଏ । ଆଜିକାଲି ଘରେ ଘରେ ମଧ୍ୟ ସରସ୍ୱତୀ ପୂଜା ହେଲେଣି । ଘରୋଇ ପୂଜାରେ ଘରର ସାନଝିଅ ଏ ପୂଜା କରାଏ ବା ଭୋଗରାଗରେ ପାଣି ଛଡ଼ାଏ । ଏହିଦିନ ମଧ୍ୟ କେଉଁଠି କେଉଁଠି ଅନୁଷ୍ଠାନ ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଯଥା ନାଚ, ଗୀତ, କବିତା ପାଠୋତ୍ସବ, ନାଟକ ଇତ୍ୟାଦି । କୋଉଠି ଗୁଡ଼ି ଉଡ଼ା ପ୍ରତିଯୋଗିତା ହୁଏ । ତେବେ ସ୍ଥଳ ବିଶେଷରେ ଛାତ୍ରଛାତ୍ରୀମାନେ ଧଳା କିମ୍ବା ପୀତବସ୍ତ୍ର ବ୍ୟବହାର କରିଥାନ୍ତି ।
ଦେବୀ ସରସ୍ୱତୀଙ୍କ ପୂଜା ଆଉ ଭାରତ ଭୂଖଣ୍ଡରେ ସୀମାବଦ୍ଧ ନାହିଁ । ଚୀନ ଦେଶରେ ଲୋକେ ଚିନାମାଟିରେ ପ୍ରସ୍ତୁତି ସରସ୍ୱତୀଙ୍କୁ ପୂଜା କରନ୍ତି ଏବଂ ସେଦିନ ଧଳା ପୋଷାକ ପିନ୍ଧନ୍ତି । ଜାପାନର ସେ ପଟ୍ଟଚିତ୍ରରେ ପୂଜା ପାଆନ୍ତି । ରୁଷିଆରେ ସେଓ ଭୋଗରେ ତାଙ୍କୁ ପୂଜା କରାଯାଏ । ରୋମରେ ସରସ୍ୱତୀଙ୍କ ରଙ୍ଗ ନାଲି । ଏହି ରଙ୍ଗ ସେ ଦେଶପାଇଁ ଉନ୍ନତି ଓ ପ୍ରଗତିର ପ୍ରତୀକ; ନେପାଳତ ଆମ ପଡ଼ୋଶୀ ଦେଶ ଯିଏକି ଭାରତ ଦ୍ୱାରା ପ୍ରଭାବିତ; ପାକିସ୍ତାନ, ବଙ୍ଗଳାଦେଶ ଏବଂ ସିଂହଳ ଇତ୍ୟାଦିରେ ହିନ୍ଦୁ ସଂପ୍ରଦାୟମାନେ ପୂଜା କରନ୍ତି । ଆମେରିକା ଏବଂ ଇଂଲଣ୍ଡ ଇତ୍ୟାଦିରେ ପ୍ରବାସୀ ଭାରତୀୟମାନେ ମଧ୍ୟ ଏଥିରୁ ବାଦ୍ ନୁହଁନ୍ତି । ସରସ୍ୱତୀଙ୍କ ପୂଜା ବହୁ ପୁରାତନ । ଫ୍ରାନସ୍ ମ୍ୟୁଜିୟମରୁ ୧୧୦୦ ଖ୍ରୀଷ୍ଟାବ୍ଦର ଏକ ବିରଳ ସରସ୍ୱତୀ ମୂର୍ତ୍ତି ଆବିଷ୍କୃତ ହୋଇଛି । ସେହିପରି ତାଞ୍ଜୋର ମନ୍ଦିରରୁ ଏକ ମଧ୍ୟଯୁଗୀୟ ମୂର୍ତ୍ତି ଏବଂ ବ୍ରିଟିଶି ମ୍ୟୁଜିୟମରୁ ସରସ୍ୱତୀ ମୂର୍ତ୍ତିମାନ ଆବିଷ୍କାର କରିଛନ୍ତି । ଏମାନେ ବିଶେଷକରି ୧୧୦୦ ଶତାବ୍ଦୀର ବୋଲି ଅନୁମାନ କରାଯାଏ ।
ହିନ୍ଦୁ ପରମ୍ପରାରେ ସରସ୍ୱତୀଙ୍କ ପୂଜା ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ସେ ବିଦ୍ୟା ଓ ଜ୍ଞାନର ଦେବୀ । ‘ବିଦ୍ୟା, ଜ୍ଞାନ ଏବଂ ବୁଦ୍ଧି’, ସମୃଦ୍ଧି, ପ୍ରଗତି ଓ ଉନ୍ନତିର ପ୍ରବର୍ଦ୍ଧକ । ପୁନଶ୍ଚ ପବିତ୍ରତା ଓ ଶୁଦ୍ଧତା ବ୍ୟକ୍ତି ଚରିତ୍ରର ଦ୍ୟୋତକ । ଏସବୁର କରୁଣାମୟୀ ଦାତ୍ରୀ ଦେବୀ ମା’ ସରସ୍ୱତୀ । ଆସନ୍ତୁ, ତାଙ୍କଠି ଶରଣ ଯିବା ।
ବାକ୍‌ଦେବୀ ନମସ୍ତୁତେ ।’

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,
ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ