ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା : ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ନିନ୍ଦା, ସମ୍ପୃକ୍ତ ବିଧାୟକଙ୍କ ଗିରଫ ଦାବୀ    

ଦିଗପହଣ୍ଡି, (ରଜନୀ ମହାପା‌ତ୍ର):  ବିଧାନସଭା ପରିସରରେ  ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଘଟଣା।   ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଓଡ଼ିଶା ବିଧାନସଭା ର ମାନ୍ୟବର ବାଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର ଙ୍କ ବିଧାନସଭା ପୋଡିୟମ୍ ଉପରକୁ ଜାଣି ଶୁଣି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିରୋଧୀଦଳ ଉପନେତା ବିଷ୍ଣୁ  ସେଠୀ ଚପଲ, ଡ଼ଷ୍ଟ ବିନ୍, ମାଇକ୍ରୋଫୋନ ,ପେନ୍ ଷ୍ଟାଣ୍ଡ ଆଦି ଫୋପଡ଼ା ଯିବା ଘଟଣାକୁ ଦିଗପହଣ୍ଡି ବିକାଶ ପରିଷଦ ସଭାପତି ଅଶେଷ ନାଥ ମିଶ୍ର  ତୀବ୍ର ନିନ୍ଦା କରିଛନ୍ତି। ଭାଜପା ପକ୍ଷରୁ ଏଭଳି ଅଶୋଭନୀୟ ଆଚରଣ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କରାଯାଇଛି। ତେଣୁ ଭାଜପା ସର୍ବସାଧାରଣରେ ତୁରନ୍ତ କ୍ଷମାଭିକ୍ଷା କରୁ ବୋଲି ବିକାଶ ପରିଷଦ ଦାବୀ କରିଛି।  ଏହି ଅଭାବନୀୟ ଘଟଣା ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭା କୁ ସିଧାସଳଖ ଅସମ୍ମାନ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଜାତୀୟ ସ୍ତରରେ ଓଡ଼ିଶା ବିଧାନସଭାର ଗାରିମା କୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ହୀନ ଉଦ୍ୟମ କରିଥିବା ବିଧାୟକ ଦ୍ୱୟ ଙ୍କୁ ଅବିଳମ୍ବେ ଗିରଫ କରାଯିବା ସହ ଉଭୟଙ୍କୁ ୧ ବର୍ଷ ଯାଏଁ ବିଧାନସଭା କାର୍ଯ୍ୟ ରୁ ନିଲମ୍ବିତ କରାଯିବା ପାଇଁ ସେ ଦାବୀ କରିଛନ୍ତି।ଜଣେ ଦାୟିତ୍ଵ ସମ୍ପନ୍ନ ବିଧାୟକ ଭାବେ ସମ୍ବିଧାନ ସମ୍ପର୍କରେ ଜ୍ଞାନ ଆହରଣ କରିନଥିବା ରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଘଟଣା ବାଚସ୍ପତି ଙ୍କ ପଦମର୍ଯ୍ୟାଦା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ବିଧାନସଭା ପରିଚାଳନା ପାଇଁ ରହିଥିବା ଆଇନ ଅନୁସାରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରାଯିବା ନିମନ୍ତେ ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ଦାବୀ କରାଯାଇଛି। ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ବିଧାୟକ ଦ୍ୱୟ ଙ୍କ ପଦବୀ କୁ ତୁରନ୍ତ ରଦ୍ଦ କରିବା ସହ ପିପୁଲ୍ସ ରିପ୍ରେଜେଣ୍ଟେସନ ଆକ୍ଟ୍ ଅନୁଯାୟୀ ଆଗାମୀ ଦିନରେ ସେମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ କୌଣସି ପ୍ରକାର ଅନୁମତି ପ୍ରଦାନ ନକରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଦାଲତରେ ମାମଲା ରୁଜୁ କରାଯିବା ପାଇଁ ଦିଗପହଣ୍ଡି ବିକାଶ ପରିଷଦର ସଭାପତି ଅଶେଷ ନାଥ ମିଶ୍ର ଟୁଇଟର ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ