ବାଜିରେ ଲାଗିଛି ନିରୀହ ଲୋକଙ୍କ ଜୀବନ

ଭାରତରେ ରେଳଯାତ୍ରା ସବୁଠୁ ସୁରକ୍ଷିତଏବଂ ଆରାମଦାୟକ ଏହା ସାଧାରଣଲୋକଙ୍କର ବିଶ୍ୱାସ ରହିଛି | ଏଥିପାଇଁ ଗରିବ ଓ ମଧ୍ୟ୍ୟବିତ୍ତ ବର୍ଗର ଲୋକମାନେ ଟ୍ରେନରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରିଥାନ୍ତି | ବସ ଏବଂ ବିମାନଯାତ୍ରା ଅପେକ୍ଷା ଏଥିରେ ଟିକେଟର ମୂଲ୍ୟ ଅପେକ୍ଷାକୃତ କମ ରହିଥାଏ | ସେଥିପାଇଁ ରେଳଯାତ୍ରା କରିବା ପାଇଁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି | ବିଗତ କିଛି ବର୍ଷ ମଧ୍ୟରେ ଛୋଟ, ବଡ଼ ରେଳ ଦୁର୍ଘଟଣା ରେଳଯାତ୍ରୀଙ୍କ ମନରେ ଭୟ ସଂଚାର କରୁଛି | ସୁରକ୍ଷିତ ଭାବେ ନିଜେ ଏବଂ ନିଜର ପରିବାରବର୍ଗ, ଆତ୍ମୀୟସୂଜନ,ବନ୍ଧୁପରିଜନ ନିଜର ଗନ୍ତବ୍ୟ ସ୍ଥଳରେ ପହଁଛିପାରିବେ ତ?କୌଣସି ଅଘଟଣ ତାଙ୍କ ସହିତ ଘଟିଯିବନି ତ? ଏହିପରି ଅନେକ ଅସୁମାରୀ ପ୍ରଶ୍ନ ଯାତ୍ରୀ ମନ ମଧ୍ୟରେ ଉଙ୍କି ମାରୁଛି | ନିଜର ସୁରକ୍ଷା ପାଇଁ ରେଳଯାତ୍ରୀଙ୍କୁ ସଦାସର୍ବଦା ଚିନ୍ତିତ, ଭୟ ଏବଂ ଆଶଙ୍କା ମଧ୍ୟରେ ରହିବାକୁ ପଡୁଛି | ରେଳଦୁର୍ଘଟଣାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷପ ଗ୍ରହଣ କରିଛନ୍ତି କିନ୍ତୁ ଦୁର୍ଘଟଣାକୁ ରୋକିବାରେ ସରକାର ବିଫଳ ହେଇଛନ୍ତି | ରେଳଦୁର୍ଘଟଣା କମିବାର ନା ଧରୁନି | ପୁଣି ବାରମ୍ବାର ଏହିପରି ଦୁର୍ଘଟଣାର ଲୋକମାନେ ଶିକାର ହେଉଛନ୍ତି | ଟ୍ରେନ ମାନଙ୍କ ମଧ୍ୟ୍ୟରେ ଯେପରି ଧକ୍କା ନହୁଏ ସେଥିଲାଗି ଆଣ୍ଟି କଲିଜନ ଡିଭାଇସି ବା କବଚ ସିଷ୍ଟମର ବ୍ୟାପକ ବ୍ୟବହାରର ଆବଶ୍ୟକତା ରହିଛି | ଭାରତରେ ହୋଇଥିବା କେତେକ ବଡ଼ ରେଳ ଦୁର୍ଘଟଣାର ଇତିହାସକୁ ଯଦି ଆମେ ଅବଲୋକନ କରିବା ରେଳ ଦୁର୍ଘଟଣାର ପ୍ରକୃତ କାରଣ ପାଖରେ ଆମେ ନିଶ୍ଚିତ ପହଁଞ୍ଚିପାରିବା ଏଥିରେ ସନ୍ଦେହ ର ଅବକାଶ ନାହିଁ | ଯେଉଁ କେତେଟି ହୃଦୟବିଦାରକ ଅତି ଭୟାଭୟ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା ସେଥିମଧ୍ୟରୁ ବିହାରର ବାଗମତୀ ନଦୀରେ ହୋଇଥିବା ଦୁର୍ଘଟଣା ଅନ୍ୟତମ | ଏହା ବିଶ୍ୱର ଦ୍ୱିତୀୟ ବୃହତ ରେଳ ଦୁର୍ଘଟଣା | ୧୯୮୧ଜୁନ ୬ତାରିଖରେ ବିହାର ବାଗମତୀ ନଦୀରେ ଖସିପଡିଥିଲା ଏକ ପାସେଞ୍ଜର ଟ୍ରେନ | ଏଥିରେ ନିର୍ଦ୍ଧିଷ୍ଟ ଭାବେ କେତେଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା ତାହା ଆଜି ମଧ୍ୟ ରହସ୍ୟ ହୋଇରହିଛି | ସରକାରୀ ତଥ୍ୟ ଅନୁସାରେ ଏହାର ସଠିକ ତଥ୍ୟ ପ୍ରଶାସନ ଆକଳନ କରିବା ଅସମ୍ଭବ ଥିଲା | ଗଣମାଧ୍ୟ୍ୟମର ରିପୋର୍ଟ ଅନୁସାରେ ୭୫୦ରୁ ଉର୍ଦ୍ଧ ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା | ଏହି ଭୟାବହ ଦୁର୍ଘଟଣାର ପ୍ରକୃତ କାରଣ ମଧ୍ୟ ସରକାର ଜାଣିବାକୁ ସକ୍ଷମ ହେଇପାରିନଥିଲେ | ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାଇ ଅଚାନକ ଟ୍ରେନ ଲୋକପାଇଲଟ ବ୍ରେକ ମାରିବାରୁ ଏପରି ଘଟିଥିଲା ଏବଂ ଆଉକିଛି ବ୍ୟକ୍ତି ବନ୍ୟା, ବାତ୍ୟାର କାରଣ ଦର୍ଶାଇଥିଲେ | ୧୯୯୫ ଅଗଷ୍ଟ ୨୦ ଉତ୍ତରପ୍ରଦେଶର କାଳିନ୍ଦୀ ଏକ୍ସପ୍ରେସକୁ ଟକ୍କର ଦେଇଥିଲା ପୁରୁଷୋତ୍ତମ ଏକ୍ସପ୍ରେସ | ଏହି ଭୟଙ୍କର ରେଳଦୁର୍ଘଟଣାରେ ୩୦୫ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିଲା ସରକାରୀ ତଥ୍ୟ ଅନୁସାରେ ଏବଂ ଅନେକ ଲୋକ ଏଥିରେ ଆହତ ହୋଇଥିଲେ | ଏକ ଗାଈକୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରିଥିଲେ କାଳିନ୍ଦୀ ଏକ୍ସପ୍ରେସର ଲୋକପାଇଲଟ୍ | ବ୍ରେକ୍ ଜାମ ହୋଇଯିବା ପରେ ଏହା ଷ୍ଟେସନରେ ଠିଆ ହୋଇଥିଲା ସେତିକିବେଳେ ପୁରୁଷୋତ୍ତମ ଏକ୍ସପ୍ରେସ ପଛରୁ ଆସି ଏହାକୁ ଧକ୍କା ଦେଇଥିଲା। ୧୯୯୮ ମସିହା ନଭେମ୍ବର ୨୬ରେ ଜମ୍ମୁତାଇ – ସିଆଲଦା ଏକ୍ସପ୍ରେସ ଓ ଫ୍ରଣ୍ଟିୟର ଗୋଲଡେନ ଟେମ୍ପୁଲ୍ ମେଲ ମଧ୍ୟରେ ଧକ୍କା ହୋଇଥିଲା ପଞ୍ଜାବର ଖାନ୍ନା ଠାରେ ଏହି ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଥିଲା। ରେଳଧାରଣା ଭାଙ୍ଗିଥିବା ଯୋଗୁଁ ଫ୍ରଣ୍ଟିୟର ଗୋଲଡେନ ଟେମ୍ପୁଲ୍ ମେଲର ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା । ଠିକ୍ ସେହି ସମୟରେ ଜମ୍ମୁତାଇ – ସିଆଲଦା ଏକ୍ସପ୍ରେସ ପଛରୁ ଆସି ଧକ୍କା ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୧୨ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ପ୍ରଦୀପ ଲିଭି ଯାଇଥିଲା ଏବଂ ଅନେକ ଏଥିରେ ଆହତ ହୋଇଥିଲେ। ୧୯୯୯ ମସିହା ଅଗଷ୍ଟ2ରେ ଘଟିଥିଲା ଏକ ଭୟଙ୍କର ଦୁର୍ଘଟଣା ଯେତେବେଳେ ସବୁ ଯାତ୍ରୀ ବିଶ୍ରାମ ନେଉଥିଲେ ଠିକ୍ ରାତି ୧ ଟା ୩୦ରେ ଘଟିଥିଲା ବଡ଼ ଦୁର୍ଘଟଣା। ଆସାମର ଗୁଆହାଟି ରେ ଅୱଧ – ଆସାମ ଏକ୍ସପ୍ରେସ୍ ଏବଂ ବ୍ରହ୍ମପୁତ୍ର ମେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା |ଏଥିରେ ୨୮୫ରୁ ଉର୍ଦ୍ଧ ନିରୀହ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିଲା ଏବଂ ଅନେକ ବ୍ୟକ୍ତି ଏଥିରେ ଆହାତ ହୋଇଥିଲେ । ତ୍ରୁଟିପୂର୍ଣ୍ଣ ସିଗନାଲ ଯୋଗୁଁ ଏପରି ଭୟାବହ ଦୁର୍ଘଟଣା ଘଟିଥିଲା | ମାଓବାଦୀଙ୍କ ଆକ୍ରମଣ ଯୋଗୁଁ ୨୦୧୦ମସିହା,ମେ, ୨୮ ତାରିଖରେ ଘଟିଥିଲା ବିରାଟ ବଡ଼ ରେଳ ଦୁର୍ଘଟଣା | ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା କ୍ଷମାଶୁଳି ଓ ସାରଦିଆ ମଧ୍ୟରେ ହୋଇଥିଲା ଶକ୍ତିଶାଳୀ ବିସ୍ପୋରଣ କିମ୍ବା କୌଣସି ଆତ୍ମଘାତୀ କାର୍ଯ୍ୟ ଯୋଗୁଁ ଜ୍ଞାନେଶ୍ୱରୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା | ଫଳରେ ଏକ ମାଲବାହୀ ଟ୍ରେନ ସହିତ ଏହାର ଧକ୍କା ହୋଇଥିଲା | ରାତି ପ୍ରାୟ ସାଢେ ଗୋଟାଏ ସମୟରେ ଟ୍ରେନ ଅଟକିଥିଲା | ଏହି ସମୟରେ ମାଓବାଦୀ ମାନଙ୍କର ବର୍ବରତାର ସମସ୍ତ ସୀମା ଟପି ଯାଇଥିଲା | ସେମାନେ ୧୪୮ଜଣ ନିରୀହ ଯାତ୍ରୀଙ୍କୁ ହତ୍ୟା କରିଥିଲେ | ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ୨୦୨୦ ପର୍ଯ୍ୟନ୍ତ ଆମଦେଶରେ ଛୋଟ ବଡ଼ ରେଳ ଦୁର୍ଘଟଣାକୁ ମିଶାଇ ୧୩୦୦୦ ଦୁର୍ଘଟଣା ଘଟିଛି ଏବଂ ୧୬୦୦୦ରୁ ଉର୍ଦ୍ଧ ନିରୀହ ଯାତ୍ରୀଙ୍କ ଅକାଳ ବିୟୋଗ ହୋଇଛି | ଦେଶର ଅନେକ ରେଳମନ୍ତ୍ରୀଙ୍କ ସମୟରେ ବଡ଼ ରେଳ ଦୁର୍ଘଟଣା ଘଟିଛି କିନ୍ତୁ କ୍ଵଚିତ କୌଣସି ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ସବୁଠୁ ଆଗରେ ଅଛନ୍ତି ଆଦର୍ଶ ରାଜନେତା ଲାଲବାହଦ୍ଵର ଶାସ୍ତ୍ରୀ |ନଭେମ୍ବର,୧୯୫୬ ଆରିୟାଲୁରରେ ରେଳ ଦୁର୍ଘଟଣା ଘଟି ୧୪୬ବ୍ୟକ୍ତିଙ୍କ ଅକାଳ ବିୟୋଗରେ ସେ ଗଭୀର ମର୍ମାହତ ହୋଇଥିଲେ ଏବଂ ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ | ତାଙ୍କର ଉତ୍ତରଦାୟିତ୍ୱ ଓ ନୈତିକତା ଅନ୍ୟ ରାଜନେତାଙ୍କ ପାଇଁ ସଦା ସର୍ବଦା ଆଦର୍ଶ ହୋଇରହିବ | ଏକବିଂଶ ଶତାବ୍ଦୀ ୨୦୨୩ରେ ସବୁଠୁ ବଡ଼ ଭୟଙ୍କର ଲୋମହର୍ଷଣକାରୀ ରେଳ ଦୁର୍ଘଟଣା ଯାହା ସାରା ବିଶ୍ୱକୁ ଆଚମ୍ବିତ କରିଦେଇଥିଲା | ସନ୍ଧ୍ୟା ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ ଏବଂ ଯଶୱନ୍ତପୁର -ହାଓଡା ସୁପରଫାଷ୍ଟ ଏବଂ ଏକ ମାଲବାହି ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା | ଏହି ହୃଦୟବିଦାରକ ଲୋମହର୍ଷଣକାରୀ ଭୟଙ୍କର ରେଳଦୁର୍ଘଟଣାରେ ୨୯୦ରୁ ଉର୍ଦ୍ଧ ନିରୀହ ଯାତ୍ରୀଙ୍କ ପ୍ରାଣହାନି ଘଟିଛି ଏବଂ ଅନେକ ଏଥିରେ ଆହତ ହୋଇଛନ୍ତି | ସଦ୍ୟତମ ରେଳ ଦୁର୍ଘଟଣା ଯାହାକି ଏଇ ବୁଧବାର ୧୧ଅକ୍ଟୋବରରେ ଘଟିଛି | ନର୍ଥଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହୋଇଛି ବିହାରର ରଘୁନାଥପୁର ଷ୍ଟେସନ ନିକଟରେ | ଏଥିରେ ୬ଜଣ ନିରୀହ ଯାତ୍ରୀଙ୍କ ଜୀବନ ପ୍ରଦୀପ ଲିଭିଯାଇଛି ଏବଂ ୧୦୦ରୁ ଉର୍ଦ୍ଧ ଯାତ୍ରୀ ଏଥିରେ ଆହତ ହୋଇ ବିଭିନ୍ନ ଚିକତ୍ସାଳୟରେ ଚିକିତ୍ସିତ ହେଉଛନ୍ତି | ରେଳବାଇର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ଟ୍ରାକରେ ରହିଥିବା ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି | ଇଞ୍ଜିନିୟରିଂ ବିଭାଗର ଗୁରୁତର ଅବହେଳା ପାଇଁ ଏପରି ଘଟିଛି ବୋଲି ଏହି ରିପୋର୍ଟ ରେ ଉଲ୍ଲେଖ ଅଛି | ଏହି ଦୁର୍ଘଟଣାରେ ସରକାରୀ ରିପୋର୍ଟ ଅନୁସାରେ ରେଳବିଭାଗର ୫୨କୋଟି ଟଙ୍କା କ୍ଷତି ହୋଇଛି | ରବିବାର ୨୯ଅକ୍ଟୋବର ସନ୍ଧ୍ୟା ୭ଟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ବିଶାଖାପାଟଣା ରେଳଳାଇନର ଆଲମଣ୍ଡା ଓ କଣ୍ଟକପଲ୍ଲୀ ଷ୍ଟେସନ ମଧ୍ୟରେ ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା ରାୟଗଡା ପାସେଞ୍ଜର | ସରକାରୀ ତଥ୍ୟ ଅନୁସାରେ ଏହି ଭୟଙ୍କର ରେଳ ଦୁର୍ଘଟଣାରେ ଏବେ ସୁଦ୍ଧା ୧୪ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଜୀବନ ପ୍ରଦୀପ ଲିଭିଯାଇଛି ଓ ୫୦ରୁ ଉର୍ଦ୍ଧ ବ୍ୟକ୍ତି ଏଥିରେ ଆହତ ହୋଇଛନ୍ଥି |ରେଳମନ୍ତ୍ରାଳୟର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ଏହି ଲୋମହର୍ଷଣକାରୀ ଦୁର୍ଘଟଣା ମନୁଷ୍ୟକୃତ ଏବଂ ସିଗନାଲ ଜନିତ ତ୍ରୁଟି ଯୋଗୁଁ ଏହା ଘଟିଥାଇପାରେ ବୋଲି ଦାବି କରାଯାଉଛି | ସମ୍ପୂର୍ଣ ତଦନ୍ତ ସମାପ୍ତ ହେଲେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ | କିନ୍ତୁ ପୁଣିଥରେ ରେଳଯାତ୍ରୀଙ୍କ ମଧ୍ୟରେ ଏହି ଘଟଣା କୋକୁଆ ଭୟ ସଂଚାର କରିଛି |କେତେକ ଅସାମାଜିକ ତତ୍ତ୍ୱ ମାଓବାଦୀ,ଆତଙ୍କବାଦୀ ନିଜର ମନ୍ଦ ଉଦେଶ୍ୟ ଚରିତାର୍ଥ କରିବା ପାଇଁ ଅନେକ ସମୟରେ ଜାଣିଶୁଣି ଷଡଯନ୍ତ୍ର କରି ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବରେ ଦୁର୍ଘଟଣା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି | ସେଥିପାଇଁ ସମୟ ଆସିଛି ରାଜନୈତିକ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ରସରକାର ମିଳିତ ଉଦ୍ୟମ ଓ ପ୍ରଚେଷ୍ଟା କରିବାକୁ ପଡିବ, ଯେପରିକି ଭବିଷ୍ୟତରେ ରେଳ ଦୁର୍ଘଟଣା ରୋକାଯାଇପାରିବ | ସମ୍ପୂର୍ଣଭାବେ ଦୁର୍ଘଟଣାକୁ ରୋକାଯାଇ ନପାରିଲେ ମଧ୍ୟ୍ୟ ଏହାକୁ କମ କରାଯାଇ ପାରିବ | ଆଣ୍ଟିକଲିଜନ ଡିଭାଇସି ବା କବଚ ସିଷ୍ଟମ ବହୁଳମାତ୍ରରେ ବ୍ୟବହାର କରାଯାଇ ଅନେକାଂଶରେ ରେଳ ଦୁର୍ଘଟଣାକୁ ରୋକାଯାଇ ପାରିବ | ଟ୍ରେନ ଲୋକପାଇଲଟଙ୍କ ଟାରୁ ଆରମ୍ଭ କରି ସିଗନାଲ ମ୍ୟାନ, ଇଞ୍ଜିନିୟର ପ୍ରଯ୍ୟନ୍ତ ସମସ୍ତ ରେଳବାଇ କର୍ମଚାରୀ ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ | ସମସ୍ତଙ୍କର ମିଳିତ ସହଯୋଗରେ ରେଳ ଦୁର୍ଘଟଣାକୁ ନିଶ୍ଚିତ ଭାବେ ରୋକାଯାଇପାରିବ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ