ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ସହାୟତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାର ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ପଞ୍ଚାୟତର ଖସାପଡିଆ ଗ୍ରାମର ପିତୃମାତୃହୀନ ପିଲା ସରସ୍ୱତୀ ପାତ୍ର, ଜ୍ୟୋତି ପାତ୍ର ଓ କାହ୍ନୁ ଚରଣ ପାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ସେହି ବ୍ଲକର ଚାଟରାଚକଡାସ୍ଥିତ ବାସହୀନ ଧ୍ରୁବ ଚରଣ ବେହେରାଙ୍କ ପତ୍ନୀ ସଶ୍ମିତା ବେହେରାଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଏବଂ ସଦସ୍ୟ ଚିତ୍ତରଞ୍ଜନ ଦାସ ଉଭୟଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହି ପିଲାମାନଙ୍କୁ ପାଠପଢା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଟ୍ରଷ୍ଟ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଏଥିସହିତ ଖସାପଡିଆ ଗ୍ରାମର ପିତୃମାତୃହୀନ ପିଲାମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଏବଂ ଚାଟରାଚକଡା ଗ୍ରାମର ବାସହୀନଙ୍କୁ ଘରଡିହ ଜମି ଯୋଗାଇ ଦିଆଯିବାକୁ ଶ୍ରୀ ମହାନ୍ତି ଏବଂ ଶ୍ରୀ ଦାସ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।