ବାଡ଼ାସୁରୁ ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣା
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବାଡ଼ାସୁରୁ ଜଙ୍ଗଲରୁ ଚଳିତ ମାସ ତିନି ତାରିଖ ବୁଧବାର ଦିନ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ବ୍ରାହ୍ମଣୀଗାଁ ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଉକ୍ତ ଘଟଣାର ବାର ଦିନ ବିତିଯାଇଥିଲେ ବି ପ୍ରକୃତ ସତ୍ୟତା ସାମ୍ନାକୁ ଆସିପାରୁ ନାହିଁ। ଏହାକୁ କେନ୍ଦ୍ରକରି ଗତ ୬ ତାରିଖରେ ଝିଞ୍ଜିରିଗୁଡ଼ା ଓ ବ୍ରାହ୍ମଣୀଗାଁ ପଞ୍ଚାୟତର ମହିଳା ସଂଗଠନ, ଗ୍ରାମ୍ୟ ଭଦ୍ର ଓ ବୁଦ୍ଧିଜୀବୀଙ୍କୁ ନେଇ କିରାମହା ଚର୍ଚ୍ଚ ପରିସରରେ ଏକ ବୈଠକ କରି ଉକ୍ତ ଘଟଣାର ସତ୍ୟାସତ୍ୟ ପ୍ରକାଶ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ସମୟରେ ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଣୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଏଣୁ ଆଜି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆରନ ନାୟକ ଓ ପୂର୍ବତନ ସରପଞ୍ଚ ଦିବ୍ୟସିଂହ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଥାନାକୁ ଆସି ତଦନ୍ତ କାରୀ ଅଧିକାରୀ ଦୀପକ ସାମନ୍ତ ସିଂହାରଙ୍କୁ ଉକ୍ତ ରିପୋର୍ଟ ମାଗିଥିଲେ । କିନ୍ତୁ ଆସନ୍ତା ୧୮ ତାରିଖ ସୁଦ୍ଧା ଉକ୍ତ ରିପୋର୍ଟ ମିଳିବ ବୋଲି କହିବାରୁ ଜନ ଅସନ୍ତୋଷ ଦେଖା ଦେଇଥିଲା। ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ , ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଏଣୁ ପୋଲିସ ପ୍ରଶାସନର କହିବା ଅନୁଯାୟୀ ଆଗାମୀ ୧୮ ତାରିଖ ସୁଦ୍ଧା ସତ୍ୟାସତ୍ୟ ରିପୋର୍ଟ ନମିଳେ ତେବେ ୧୯ ତାରିଖରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ନିଷ୍ପତ ନଇଥିବା ପ୍ରକାଶ ପାଇଛି।


