ବାଡ ଭାଙ୍ଗିବା, ଗଛ ହାଣିବା ଘଟଣା, ଥାନାରେ ଅଭିଯୋଗ କଲେ ୪ପରିବାର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ କପୁଣ୍ଡି ଗ୍ରାମରେ କିଛି ଲୋକ ୪ଜଣ ଜଣ ବ୍ୟକ୍ତିଙ୍କ ଘରେ ପସି ତାଙ୍କ ବାଡ ଉପାଡିଦେବା ସହିତ ଅନେକ ମୁଲ୍ୟବାନ ଗଛକୁ ହାଣି ଦେଇଥିବା ନେଇ ୪ଟି ପରିବାର ଲୋକେ ନନ୍ଦିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାରାଣୀ ପାଢ଼ୀ, ପିଙ୍କି ଜେନା, ନାରାୟଣ ଜେନା, ବସନ୍ତ ଜେନା ପ୍ରମୁଖ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ସେମାନେ ଏଠାରେ ଘରଦ୍ୱାର କରି ତିରିଶ ବର୍ଷରୁ ଉର୍ଦ୍ଧ ସମୟ ହେଲା ରହି ଆସୁଛନ୍ତି । ଗତ ୨୬ତାରିଖ ଦିନ ୧୧ଟା ବେଳେ ଗ୍ରାମର କିଛି ବ୍ୟକ୍ତି ସଂଘ ବଦ୍ଧ ଭାବେ ହାତରେ କୁରାଢ଼ି, ଦାଆ, କତା ଆଦି ଧରି ଆସି ତାଙ୍କ ବାଡିରେ ପସି ବାଡକୁ ଉପାଡି ଦେବା ସହିତ ବାଡିରେ ଥିବା ବହୁ ମୁଲ୍ୟବାନ ଗଛ ସମେତ ଅନେକ ଫୁଲ ଗଛକୁ ମଧ୍ୟ କାଟି ସଫା କରିଦେଇଥିଲେ । ଏପରିକି ତୁରନ୍ତ ଏ ସ୍ଥାନ ଖାଲି କର ନଚେତ ଆମେ ଘରଦ୍ୱାର ଭାଙ୍ଗିୋଦବୁ ବୋଲି ସେମାନେ ଚେତାବନୀ ଦେଇଥିବା ଅଭିଯୋଗ କରିଛନ୍ତି । ବର୍ଷାରାଣୀ ସେହି ଲୋକମାନଙ୍କୁ ଯେତେ ଗୁହାରୀ କଲେ ବି ସେମାନେ ନଶୁଣି ଓଲଟା ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ବୋଲି ବର୍ଷା ଥାନାରେ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ସ୍ୱାମୀ ପୋଖରୀ କୁଳରେ ଏକ କ୍ୟାବିନ ପକାଇ ଦୋକାନ କରି ପରିବାର ଚଳାଉ ଥିବାବେଳେ ତାଙ୍କ ଦୋକାନ ସମ୍ମୁଖ ଭାଗକୁ ମଧ୍ୟ ଭାଙ୍ଗି ଦେଇଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ମଧ୍ୟ ଥାନା ଓ ତହସିଲର ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ କହିବାକଥା ଯେ ଏହା ଏକ ସରକାରୀ ଜମି ଥିବାବେଳେ କିଛି ପରିବାର ଏଠାରେ ଯୋର ଜବରଦସ୍ଥ ଦଖଲ କରିଆସୁଥିଲେ । ଏଠାରେ ପୁର୍ବରୁ ଗ୍ରେନଗୋଲା ଚାଲୁଥିବାବେଳେ ତାହାକୁ ସେ ଦଖଲ କରି ରହିଛନ୍ତି । କିନ୍ତୁ ଦିନକୁ ଦିନ ଅଧିକ ଜମି ଦଖଲ କରିନେବାରୁ ଆମ ଗୋରୁଗାଈ ଚରିବାକୁ ଆଉ ସ୍ଥାନ ମିଳୁନି । ସେଥିପାଇଁ ଆମେ ତହସିଲର ଦ୍ୱାରସ୍ଥ ହୋଇଛୁ । ତୁରନ୍ତ ଆମଗାଁର ସରକାରୀ ଜମି ଚିହ୍ନଟ କରାଯାଇ ଉଚ୍ଛେଦ କରାଯାଉ ବୋଲି ଆମେ ଜଣାଇଛୁ ବୋଲି କହିଛନ୍ତି ।