ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରସ୍ଥିତ ‘ପାୟଲ ମ୍ୟୁଜିକ ସ୍କୁଲ’ ପରିସରରେ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ପାୟଲ ମ୍ୟୁଜିକ ସ୍କୁଲର ମିଳିତ ସହଯୋଗରେ “ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ”ଙ୍କ ୧୨୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜୟନ୍ତୀ ସମାରୋହରେ ପାଲା ଗାୟକ ସମ୍ରାଟ ତଥା କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଲକ୍ଷ୍ମୀଧର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଣୀକଣ୍ଠଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ । ଇନ୍ଦୁପୁର ବିରୂପା ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡଃ. ସଂଗ୍ରାମ କେଶରୀ ରାଉତ ମୁଖ୍ୟ ବକ୍ତାଭାବେ ଯୋଗଦେଇ ବାଣୀକଣ୍ଠଙ୍କ ବାସସ୍ଥାନ ବଡକୋଠା ଓ ସଂଗୀତ ଜୀବନର ଅନେକ ଗବେଷଣାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଯୋଗଦେଇ ହରିଚନ୍ଦନଙ୍କ କାଳଜୟୀ ପ୍ରାଚୀନ ସଂଗୀତର କିପରି ବହୁଳ ପ୍ରଚାର ପ୍ରସାର ହୋଇପାରିବ ସେଥିପାଇଁ ସବୁ ବର୍ଗର ସହଯୋଗ କାମନା କରିବା ସହିତ ପାୟଲ ମ୍ୟୁଜିକ ସ୍କୁଲର ଉତ୍ତରୋତ୍ତୋର ଉନ୍ନତି କାମନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବାଣୀକଣ୍ଠଙ୍କ ଅଣନାତି ପ୍ରଣୟ କିଶୋର ହରିଚନ୍ଦନ ଯୋଗଦେଇ ସେତେବେଳର ସଂଗୀତମୟ ଜୀବନର ଉତ୍ଥାନ ପତନ ସମ୍ପର୍କରେ ଅବଗତ କରାଇବା ସହ ଠାକୁରଙ୍କ କରୁଣାରୁ ପୁରୀରେ ‘ଚାମର ସେବା ସମ୍ମାନ’ ଉପରେ ଆଲୋକପାତ କରି ଯଥା ଶକ୍ତି ସହଯୋଗ କରିବାକୁ ମତବ୍ୟକ୍ତ କରିଥିଲେ । ଉତ୍ସବର ମୁଖ୍ୟ ଆକର୍ଷଣ ଦି୍ୱତୀୟ ବାଣୀକଣ୍ଠ ଭାବେ ପରିଚିତ ବିଶିଷ୍ଠ ଗିତିକାର ଦୁଃଖିଶ୍ୟାମ ତ୍ରିପାଠୀ ବକ୍ତବ୍ୟ ପ୍ରଦାନ ସହ ହରିଚନ୍ଦନଙ୍କ ମଧୁର ସଂଗୀତ ଗାନ କରି ଉପସ୍ଥିତ ଶ୍ରୋତାଙ୍କ ମନମୁଗ୍ଧ କରିଥିଲେ । ତାଙ୍କ ସହିତ ପୁତ୍ର ଶିବାନନ୍ଦ ତ୍ରିପାଠୀ ମଧ୍ୟ ସହଯୋଗ କରିଥିଲେ । ଏହି ଅବସରରେ ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀଙ୍କୁ “ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ସ୍ମୃତି ସମ୍ମାନ-୨୦୨୨” ଏବଂ ଶିବାନନ୍ଦ ତ୍ରିପାଠୀଙ୍କୁ “ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ-୨୦୨୨” ରେ ସମ୍ବର୍ଦ୍ଧିତ କରାଯାଇ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଅତିଥିମାନେ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୂତାର, ସମିତି ସଭ୍ୟା ସୁନନ୍ଦା ମଳିକ ଯୋଗଦେଇ ବହୁ ଉପାଦେୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପର୍ଶୁରାମ ସ୍ୱାଇଁ ଓ ପ୍ରକାଶ କୁମାର ଜେନା ମାନପତ୍ର ପାଠ କରିଥିଲେ । ଅନୁଷ୍ଠାନର ସଭାପତି ନୀଳମାଧବ ପତି ଜୟନ୍ତୀ ସମାରୋହରେ ସଭାପତିତ୍ୱ କରିଥିବା ବେଳେ ଶିକ୍ଷାବିତ୍ ପ୍ରଣବ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂଗୀତ ଗୁରୁ ଭାସ୍କର ଚନ୍ଦ୍ର ଜେନା, ସରୋଜକାନ୍ତ ପଣ୍ଡା, ସୌମ୍ୟ ରଞ୍ଜନ ପତି, ସୁଶିଲ ସେନ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ବାଣୀକଣ୍ଠ ନିମାଇଁ ଚରଣଙ୍କ ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିପାରିଥିଲେ । ଶେଷରେ ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ