ବାଣୀବିହାରକୁ ବିଜୁ ଛାତ୍ରଜନତା ଦଳ ଅଶାନ୍ତ କରୁଛି : ୟାସିର ନୱାଜ, ପ୍ରଦେଶ ଛାତ୍ରକଂଗ୍ରେସ ସଭାପତି

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ବାଣୀବିହାରରେ ଛାତ୍ରବିଜେଡ଼ିର ଗୁଣ୍ଡାରାଜ ଚାଲିଛି ବୋଲି ପ୍ରଦେଶ ଛାକ୍ରକଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଅଭିଯୋଗ କରିଛନ୍ତି । ବାଣୀବିହାରକୁ ଅଶାନ୍ତ କରି ରଖିବା ପାଇଁ ଛାତ୍ରବିଜେଡ଼ିର ଚକ୍ରାନ୍ତକୁ ସଫଳ କରି ଦିଆଯିବ ନାହିଁ ବୋଲି ଶ୍ରୀ ନୱାଜ କହିଛନ୍ତି । ସେଠାରେ ଛାତ୍ର ବିଜେଡ଼ି, ଅଣଛାତ୍ର, ଗୁଣ୍ଡା ଓ ଅସାମାଜିକ ବ୍ୟକ୍ତିଙ୍କୁ ପୁରାଇ ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି ।ବାଣୀବିହାରର ପୂର୍ବତନ ଛାତ୍ରନେତା ଯେଉଁମାନେକି ଏବେ ବିଜୁ ଛାତ୍ରଜନତା ଦଳର ନେତୃତ୍ୱ ନେଉଛନ୍ତି ଏବଂ ପଦାଧିକାରୀ ଅଛନ୍ତି ସେମାନେ ବ୍ୟବସ୍ଥାକୁ ପ୍ରଭାବିତ କରି ବାଣୀବିହାରର ସମସ୍ତ କ୍ୟାଣ୍ଟିନକୁ ଠିକାରେ ନେଇଛନ୍ତି । ସେଠାରେ ନିମ୍ନମାନର ଖାଦ୍ୟ ପରିବେଷଣ ହେଉଛି, ଛାତ୍ରମାନଙ୍କୁ ଅଖାଦ୍ୟ ଦିଆଯାଉଛି । ଯଦି କେହି ଛାତ୍ର ଏହାର ପ୍ରତିବାଦ କରୁଛନ୍ତି, ତେବେ ଅଣଛାତ୍ର ବା ଗୁଣ୍ଡା ପୁରାଇ ଅଭିଯୋଗକାରୀ ଛାତ୍ରଙ୍କୁ ଆକ୍ରମଣ କରାଯାଉଛି । ଏହି ଅନ୍ୟାୟ ପ୍ରତିବାଦରେ ଯେଉଁ ଛାତ୍ରମାନେ ଆନ୍ଦୋଳନ କରିଥିଲେ, ଆଶ୍ଚର୍ଯ୍ୟର କଥା ଏହିକି ଯେ, ସେହିମାନଙ୍କ ଉପରେ ପୋଲିସ୍ ଏଫ.ଆଇ.ଆର ଦରଜ କରିଛି । ତାଙ୍କ ଘରେ ଯାଇ ଚଢାଉ କରୁଛି । ମାତ୍ର ବିଡ଼ମ୍ବନାର କଥା ଏହିକି ଯେ ବାଣୀବିହାରକୁ ଅଶାନ୍ତ କରୁଥିବା ଏବଂ ସେଠାରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ଛାତ୍ର ବିଜେଡ଼ିର କର୍ମକର୍ତ୍ତାଙ୍କୁ ପୋଲିସ୍ ଏ କ୍ଷେତ୍ରରେ ଉତ୍ସାହିତ ଓ ସହଯୋଗ କରୁଛି । ପୋଲିସ୍ ଅଭିଯୋଗକାରୀ ଛାତ୍ରଙ୍କ ନିବେଦନକୁ ଏଡ଼ାଇ ଦେଉଛି । ଛାତ୍ରବିଜେଡ଼ି-ପୋଲିସ୍ ମଧୁଚନ୍ଦ୍ରିକାକୁ ଛାତ୍ର କଂଗ୍ରେସ ବରଦାସ୍ତ କରିବ ନାହିଁ । ଗୁଣ୍ଡାରାଜ ଏବଂ ଦୁର୍ନୀତିକୁ ବିରୋଧ କରୁଥିବା ନିରୀହ ଛାତ୍ରଙ୍କୁ ଯଦି ନ୍ୟାୟ ନମିଳେ, ତେବେ ଛାତ୍ର କଂଗ୍ରେସ ବ୍ୟାପକ ଆନ୍ଦୋଳନ କରିବ ବୋଲି ଶ୍ରୀ ନୱାଜ ଚେତାବନୀ ଦେଇଛନ୍ତି । ସରକାର ବାଣୀବିହାରରେ ଶୃଙ୍ଖଳା ଏବଂ ସ୍ୱଚ୍ଛତା ରଖନ୍ତୁ ବୋଲି ଶ୍ରୀ ନୱାଜ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ