ବାଣୀ ଜୟରାମଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ପାଇଁ ଅପୂରଣୀୟ କ୍ଷତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷ।। ଅଭିଯାନ ପକ୍ଷରୁ ମହାନ୍ କଣ୍ଠଶିଳ୍ପୀ, ସଂଗୀତଜ୍ଞ, ପଦ୍ମଭୂଷଣ ବାଣୀ ଜୟରାମଙ୍କ ବିୟୋଗରେ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ସେ ଥିଲେ ଓଡ଼ିଶା ତଥା ସମଗ୍ର ଭାରତବର୍ଷର ଏକ ଉଜ୍ଜ୍ୱଳ ତାରା । ଓଡ଼ିଆ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଆଦି ୧୮ଟି ଭାଷାରେ ହଜାର ହଜାର ସଙ୍ଗୀତରେ କଣ୍ଠଦାନ କରି ନିଜ ପାଇଁ ସୃଷ୍ଟି କରିଥିଲେ ଏକ ସ୍ୱତନ୍ତ୍ର ସ୍ଥାନ । ୧୯୭୧ ମସିହାରେ, ବାଣୀ ଜୟରାମଙ୍କୁ ‘ଗୁଡ୍ଡି’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରର ଗୀତ ‘ବୋଲେରେ ପପିହରା’ ଖୁବ୍ ଲୋକପ୍ରିୟ ହୋଇଥିଲା ଓ ବାଣୀ ଜୟରାମଙ୍କୁ ସମଗ୍ର ଦେଶରେ ଖୁବ୍ ପରିଚିତ ଆଣି ଦେଇଥିଲା । ୧୯୭୮ ମସିହାରେ ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍ଖ ମହୁରୀ’ରେ ସେ ଗାଇବାର ସୁଯୋଗ ପାଇଥିଲେ ଓ ଓଡ଼ିଆ ଦର୍ଶକମାନଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲେ । ଏହାପରେ ‘ବଳିଦାନ’, ‘ତପସ୍ୟା’, ‘ଶଙ୍ଖା ସିନ୍ଦୂର’ ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି । ୧୯୮୧ରେ ନିର୍ମିତ ‘ଦେବଯାନୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ସଙ୍ଗୀତକୁ ତାଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।