ବାଣ ନୁହେଁ, ମିଠାରେ ପାଳିଲେ ଦୀପାବଳୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଯୁକ୍ତ ମିଠାରେ ମହକିଲା ଆଦିବାସୀ ପଲ୍ଲୀ । ବାଣ ଫୁଟାଇବା ପରିବର୍ତ୍ତେ ମିଠାରେ ଆଲୋକର ପର୍ବକୁ ଅତି ସୁନ୍ଦର ଓ ନିରାଡ଼ମ୍ବର ଭାବେ ପାଳନ କରି ଖୁସି ବାଣ୍ଟିଛନ୍ତି ରାଜଧାନୀ ଉପକଣ୍ଠରେ ଥିବା ଆଦିବାସୀ ପଲ୍ଲୀ କନ୍ଦଳେଇର ବାସିନ୍ଦା । ସୂଚନାଯୋଗ୍ୟ, ଭୁବନେଶ୍ୱରରେ ରହୁଥିବା ସାମାଜିକ କର୍ମୀ ସନ୍ତୋଷୀ ଜୈନ ପ୍ରତିବର୍ଷ ପରିବାର ସହ ମିଶି ଦୀପାବଳୀରେ ବାଣ ଫୁଟାଇଥାନ୍ତି । ଅନେକ ଟଙ୍କା ବି ଏଥିପାଇଁ ସେ ଖର୍ଚ୍ଚ କରିଥାନ୍ତି । ଚଳିତବର୍ଷ ପରିବାର ସଦସ୍ୟମାନଙ୍କ ନିଷ୍ପତ୍ତି କ୍ରମେ ସାରା ପରିବାର ସବୁଜ ଦୀପାବଳୀ ପାଳନ ପାଇଁ ସଂକଳ୍ପ କରି ଅଣ୍ଟା ଭିଡ଼ି ଆଗେଇ ଆସିଥିଲେ ଏହି ଆଦିବାସୀ ପଲ୍ଲୀକୁ । ଶ୍ରୀମତୀ ଜୈନ କୁହନ୍ତି କ୍ଷଣିକ ଖୁସି ପାଇଁ ଆମେ ସାଧାରଣତଃ ଦୀପାବଳୀରେ ବାଣ ଫୁଟାଇଥାଉ । କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଅନେକ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରିବା ସହ ପରିବେଶକୁ ଉଜାଡ଼ି ଦେଇଥାଉ । ପରିବେଶ ବଞ୍ôଚଲେ, ଆମେ ବଞ୍ôଚବା । ସଂପ୍ରତି ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ । ଏହି ଅବସରରେ ପଲ୍ଲୀରେ ଲଡୁ, ଜିଲାପି, ବିସ୍କୁଟ ଇତ୍ୟାଦି ବଣ୍ଟନ କରିବା ସହ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବିଦ୍ୟାର୍ଥୀମାନଙ୍କୁ ଖାତା, କଲମ, ପେନ୍ସିଲ୍ ଇତ୍ୟାଦି ପାଠ୍ୟ ଉପକରଣ ୧ବର୍ଷ ଲାଗି ଯୋଗାଇ ଦିଆଯାଇଥିଲା । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଲ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ପ୍ରମୁଖ ସହଯୋଗ କରିଥିଲେ । ସାମାଜିକ କର୍ମୀଙ୍କ ଏତାଦୃଶ କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶଂସା କରିବା ସହ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରସାଦ ଡେଙ୍ଗ ସାଧୁବାଦ ଜଣାଇଥିଲେ ।