ବାତ୍ୟାରେ କ୍ଷତିଗ୍ରସ୍ତ ଗୃହ ନିର୍ମାଣକୁ ପୋଲିସର ବିରୋଧ: ଅଦାଲତର ଆଶ୍ରୟ ନେଲେ ବିପନ୍ନ ପରିବାର
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗୃହକୁ ନିର୍ମାଣ କରିବା ବେଳେ ପୋଲିସ ବିରୋଧ କରିବାରୁ ବିପନ୍ନ ପରିବାର ପକ୍ଷରୁ ମାନ୍ୟବର ଏସ.ଡି.ଜେ.ଏମ୍ କୋର୍ଟ, ଭଦ୍ରକରେ ଆଶ୍ରୟ ନିଆଯାଇଥିବାର ଜଣାଯାଇଛି । ପ୍ରକାଶ ଯେ, ବନ୍ତ ଥାନା ଅଧିନ ପଧାନପଡା ପଞ୍ଚାୟତ ପଦାକଣା ଗ୍ରାମର ପ୍ରଦୀପ୍ତ କୁମାର ଖଣ୍ଡେଇଙ୍କର ପଦାକଣା ମୌଜା ଖାତା ନଂ-୭୨, ପ୍ଲଟ ନଂ-୩୬୨ ଓ ୩୬୩ ଘରବାଡି ଉପରେ ନିଜର ଚାଳଛପର ଘର ରହିଛି । ଗତ ‘ଫନି’ବାତ୍ୟାରେ ଉକ୍ତ ଘରଟି ଭାଙ୍ଗି ଯାଇଥିବାରୁ ତାହାକୁ ସେ ମରାମତି କରୁଥିବା ବେଳେ ପୋଲିସ ପକ୍ଷରୁ ବନ୍ଦ କରାଯାଇଥିଲା । ପରେ ତାଙ୍କୁ ଥାନାକୁ ଡକା ଯାଇ ଉକ୍ତ ପ୍ଲଟରେ ଘର ନକରିବା ପାଇଁ କୁହାଯାଇଥିଲା । ଅପରପକ୍ଷେ ଉକ୍ତ ଗ୍ରାମର ଲଳିତା ସାହୁ ଓ ରଜନୀ ସାହୁ ଉକ୍ତ ମୌଜାର ଖାତା ନଂ-୧୨୯, ପ୍ଲଟ ନଂ-୩୬୪, ଏ୦-୦୧ଡି, ଘରବାଡି ଉପରେ ବିବାଦ ଥିବା ନେଇ ଭଦ୍ରକ ସିଭିଲଜଜ୍ ସିନିୟର ଡିଭିଜନଙ୍କ ଅଦାଲତରେ ସିଭିଲ କେସ ନଂ-୩୬୨/୨୦୧୮ ମୂଳେ ପ୍ରଦୀପ୍ତ ଖଣ୍ଡେଇ ଓ ଅନ୍ୟ ମାନଙ୍କ ନାମରେ ମୋକଦ୍ଦମା ଆଗତ କରିଥିଲେ । ମାନ୍ୟବର କୋର୍ଟ ଗତ ତା-୧୫-୧୨-୨୦୧୮ ରିଖରେ ଆଇ.ଏ.ନଂ-୪୦୦/୧୮ ମୂଳେ ଉକ୍ତ ଜମି ଉପରେ କୌଣସି ଘର ତିଆରି ନକରିବା ପାଇଁ ଆଦେଶ ଦେଇଥିଲେ । ଏପରିସ୍ଥଳେ ପ୍ରଦୀପ୍ତ ଖଣ୍ଡେଇ ଖାତା ନଂ-୭୨, ପ୍ଲଟ ନଂ-୩୬୨ ଓ ୩୬୩ ଘରବାଡି ଉପରେ ଥିବା ଚାଳ ଛପର ଘରକୁ ମରାମତି କରୁଥିବା ବେଳେ ପୋଲିସ କିଛି ନବୁଝି ବନ୍ଦ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିବା ନେଇ ସେ ଅଦାଲତରେ ଆଶ୍ରୟ ନେଇଛନ୍ତି । ଏନେଇ ମାନ୍ୟବର ଏସ.ଡି.ଜେ.ଏମ୍, ଭଦ୍ରକଙ୍କ ଅଦାଲତରେ ଆଇ.ସି.ସି ନଂ-୪୯/୧୯ ମୂଳେ ମକଦ୍ଦମା ରୁଜ୍ଜୁ ହୋଇଛି ।
ପ୍ରମାଣ ପତ୍ର ପ୍ରଦାନରେ ଟାଳଟୁଳ ନୀତି; ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ
ବନ୍ତ,୨୧/୫(ଯୁଗାଦ୍ଧ ନ୍ୟୁଜ୍) : ଗତ କିଛି ଦିନ ହେବ ବନ୍ତ ତହସିଲରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଓ ନାମଲେଖାରେ ଆବଶ୍ୟକ କରୁଥିବା ପ୍ରମାଣ ପତ୍ର ନପାଇ ନାନାଦି ସମସ୍ୟା ଭୋଗୁଥିବାର ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ନିମନ୍ତେ ନାମଲେଖାଇବା ସହ ବିଭିନ୍ନ ନିଯୁକ୍ତି ପାଇଁ ଆବେଦନ କରିଥାନ୍ତି । ଏପରିସ୍ଥଳେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାସିନ୍ଦା, ଜାତିଗତ ଓ ଆୟ ପ୍ରମାଣ ପତ୍ର ଜରୁରୀ ହୋଇଥାଏ । ଏପରିସ୍ଥଳେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବା ସହ ଆବଶ୍ୟକ ଦେୟ ପ୍ରଦାନ କରିଥାନ୍ତି । ମାତ୍ର ଦୀର୍ଘ ଦିନ ପରେ ମଧ୍ୟ ସେମାନଙ୍କୁ ପ୍ରମାଣ ପତ୍ର ମିଳିପାରୁନାହିଁ । ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଏପରିକି କେତେକ ଜନସେବା କେନ୍ଦ୍ରରେ ଗତ ଜାନୁଆରୀ ମାସରୁ ପ୍ରମାଣ ପତ୍ର ପାଇଁ ଆବେଦନ ହୋଇଥିଲେ ମଧ୍ୟ ଅଦ୍ୟାବଧି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ମିଳି ପାରିନାହିଁ । ଫଳରେ ଛାତ୍ରଛାତ୍ରୀ ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜିଲାପାଳ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଉପରୋକ୍ତ ସମସ୍ୟାର ସମାଧାନ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦାବୀ କରିଛନ୍ତି ।


