ବାତ୍ୟାର ସଫଳ ପରିଚାଳନା ଓ ସମ୍ଭାବ୍ୟ କ୍ଷୟକ୍ଷତିକୁ ଯଥେଷ୍ଟ ହ୍ରାସ କରିପାରିଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଲେ ମନ୍ତ୍ରୀ
ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ବାତ୍ୟା ‘ଦାନା’ ର ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଆକଳନ ଓ ପୁନରୁଦ୍ଧାର ସୁଦୃଢ଼ୀକରଣ ନିମନ୍ତେ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳର ମାନ୍ୟବର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବିଧାୟକ ନୀଳଗିରି ଶ୍ରୀ ସନ୍ତୋଷ ଖଟୁଆ, ମାନ୍ୟବର ବିଧାୟକ ସଦର ଶ୍ରୀ ମାନସ ଦତ୍ତଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ମଣ୍ଡଳୀୟ ବନ ଅଧିକାରୀ ଶ୍ରୀ ଖୁଶୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଉକ୍ତ ସମୀକ୍ଷାରେ ବାତ୍ୟା ପ୍ରଭାବିତ ଅଞ୍ଚଳର ସାମ୍ପ୍ରତିକ ସ୍ଥିତିର ଆକଳନ କରିବା ସହ ତ୍ୱରିତ ଥଇଥାନ ପାଇଁ ରଣନୈତିକ ପଦକ୍ଷେପ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବାତ୍ୟାର ସଫଳ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟାନ୍ତମୂଳକ ପଦକ୍ଷେପକୁ ମନ୍ତ୍ରୀ ଶ୍ରୀ ନାଏକ ପ୍ରଶଂସା କରିଥିଲେ। ସମ୍ଭାବ୍ୟ କ୍ଷୟକ୍ଷତିକୁ ଯଥେଷ୍ଟ ହ୍ରାସ କରିପାରିଥିବାରୁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଏବଂ ଦକ୍ଷ ସମନ୍ୱୟକୁ ମାନ୍ୟବର ମନ୍ତ୍ରୀ ଭୁରି ଭୁରି ପ୍ରସଂଶା କରିଥିଲେ କରିଥିଲେ। ବୈଠକରେ ପ୍ରଭାବିତ ଅଞ୍ଚଳର ବର୍ତ୍ତମାନର ସ୍ଥିତି ଏବଂ ଜାରି ରହିଥିବା ଥଇଥାନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରିଲିଫ୍ ପଦକ୍ଷେପର ତ୍ୱରିତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ରଣନୈତିକ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଫଳପ୍ରଦ ରିଲିଫ ବଣ୍ଟନ ପାଇଁ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ଦିନରେ ନୂତନ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ମାନ୍ୟବର ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ I
ମନ୍ତ୍ରୀ ଶ୍ରୀ ନାଏକ ଅଧିକାରୀମାନଙ୍କୁ ବ୍ୟାପକ ଥଇଥାନ ପ୍ରୟାସ ମାଧ୍ୟମରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରି ପ୍ରଭାବିତ ବାସିନ୍ଦାମାନଙ୍କୁ ସହାୟତା ଦେବା ପାଇଁ ଥଇଥାନ ପଦକ୍ଷେପର ତ୍ୱରିତ ଏବଂ ଦକ୍ଷ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ବୈଠକରେ ସମସ୍ତ ବିଡ଼ିଓ, ତହସିଲଦାର ଓ ସମ୍ମିଳିତ ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇ ଥିଲେ I