ବାତ୍ୟା ଅମ୍ଫାନ ମୁକାବିଲାଦରେ ହେମନ୍ତ,ଆଶିଷ ଓ ସମର୍ଥଙ୍କ ଯୋଡିଙ୍କୁ ପ୍ରସଂଶାର ସୁଅ ଛୁଟୁଛି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାତ୍ୟା ଅମ୍ଫାନ ମହାବାତ୍ୟାର ରୂପନେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିବା ଓ ଏଥିରେ କେନ୍ଦ୍ରାପଡା ଜିଲ୍ଲା ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ପରେ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଦେଇଥିଲା । ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅଧିକାରୀ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲାକୁ ପଠାଗଲା । ଏଥିସହିତ କେନ୍ଦ୍ରାଂଚଳ ପୋଲିସ ଡିଆଇଜି ଆଶିଷ କୁମାର ସିଂଙ୍କୁ ମଧ୍ୟ ବାତ୍ୟା ଅମ୍ଫାନର ମୁକାବିଲା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାକୁ ଯିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଲେ । ଉଭୟ ବରିଷ୍ଠ ଅଧିକାରୀ କେନ୍ଦ୍ରାପଡାରେ ପହଁଚି ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ସହିତ ସମୀକ୍ଷା ବୈଠକ କରାଇ କାର୍ଯ୍ୟ ଆରମ୍ଭ କରିଦେଲେ ଫଳରେ ଜିଲ୍ଲାରେ ବାତ୍ୟା ଜନିତ କାରଣରୁ କୈାଣସି ଲୋକଙ୍କ ଜୀବନ କ୍ଷତି ହେବାର ସମ୍ଭାବନା ଦୂର ହୋଇଗଲା । ଜିଲ୍ଲାରେ ଦାୟୀତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଭିତରେ ସମନ୍ୱୟ ରହିଥିବାରୁ ମହାବାତ୍ୟା ଭଳି ବଡ ବିପଦକୁ କିଭଳି ମୁକାବିଲା କରାଯାଇପାରେ ତାହାର ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖାଗଲା । ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଶର୍ମା ଓ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀ ସିଂ କେନ୍ଦ୍ରାପଡାରେ ପହଁଚି ଜିଲ୍ଲାପାଳ ଶ୍ରୀ ବର୍ମା ଓ ଏସପି ଶ୍ରୀ ଶେଖରଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାରୁ ଜିଲ୍ଲାରେ ଧନଜୀବନ ହାନି ନହେବା ସହ ଲୋକମାନେ ବିପଦରୁ ମୁକୁଳି ପାରିଲେ । ବାତ୍ୟାର ଏଭଳି ସଫଳ ମୁକାବିଲା ନେଇ ହେମନ୍ତ-ଆଶିଷ-ସମର୍ଥଙ୍କ ଯୋଡିର କାର୍ଯ୍ୟଦକ୍ଷତାକୁ ଜିଲ୍ଲାବାସୀ ପ୍ରଶଂସା କରୁଥିବା ଦେଖାଯାଇଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟା ଅମ୍ଫାନ ଦାନା ଧରିବା ପରଠାରୁ ଏହା ଓଡିଶା ଉପକୂଳ ମୁହାଁଇବା ସ୍ପଷ୍ଟ ହୋଇଯାଇଥିଲା । ସେବେଠାରୁ ରାଜ୍ୟ ସରକାର ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଏହି ବାତ୍ୟାରେ ସବୁଠୁଁ ବେଶି କ୍ଷତିଗ୍ରସ୍ତ ଜିଲ୍ଲା ଭାବେ କେନ୍ଦ୍ରାପଡା ଆଗରେ ଥିଲା । ବାତ୍ୟା କେନ୍ଦ୍ରାପଡାରେ ସ୍ଥଳ ଭାଗ ଛୁଇଁବାର ବିଶେଷଜ୍ଞମାନେ ମତଦେଇଥିଲେ । ଏହା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଥିଲା । ତେଣୁ ପୂର୍ବରୁ କେନ୍ଦ୍ରାପଡାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡାକୁ ପଠାଇଥିଲେ ରାଜ୍ୟ ସରକାର । ବରିଷ୍ଠ ଅଧିକାରୀ ଶ୍ରୀ ଶର୍ମା ଜିଲ୍ଲାପାଳ,ଏସପି ଓ ଜିଲ୍ଲାର ଅନ୍ୟ ଅଧିକାରୀଙ୍କୁ ନେଇ ପ୍ରସ୍ତୁତ କରିଥିଲେ ରଣନୀତି । କେନ୍ଦ୍ରାଚଂଳ ଡିଆଇଜି ଶ୍ରୀ ସିଂ ଏଠାରେ ପହଁଚି ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସମୁଦ୍ରକୁଳିଆ ଅଂଚଳ ରଙ୍ଗଣି, ତାଳଚୂଆ ପ୍ରଭୃତି ସମୁଦ୍ରକୁଳିଆ ଅଚଂଳକୁ ସ୍ଥାନକୁ ଯାଇ ଘରକୁ ଘର ବୁଲି ଲୋକମାନଙ୍କୁ ଘର ଛାଡି ସୁରକ୍ଷିତ ରହିବା ପାଇଁ ବାତ୍ୟା ଆଶ୍ରୟସ୍ଥଳିକୁ ଆସିବାକୁ ନିବେଦନ କରିଥିଲେ । ଫଳରେ ଲୋକମାନେ ଏଥିରେ ପ୍ରଭାବିତ ହୋଇ ଘରୁ ବାହାରି ବାତ୍ୟା ଆଶ୍ରୟସ୍ଥଳିକୁ ଚାଲି ଆସିଥିଲେ । ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳିରେ ପହଁଚୁଥିଲେ ସେମାନଙ୍କ ଖାଇବା ପିଇବା ପ୍ରଭୃତି ସମ୍ପର୍କରେ ତଦାରଖ କରୁଥିଲେ ଏହି ବରିଷ୍ଠ ଅଧିକାରୀମାନେ । ଜିଲ୍ଲାରେ ପ୍ରଶାସନ କେତେ ସଜାଗ ଥିଲା ତାହା ଜଣାପଡିଥିଲା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟୁଇଟକୁ ନେଇ । ଶ୍ରୀ ପଣ୍ଡା ଟୁଇଟ କରି ବାତ୍ୟାରେ କାନ୍ଥପଡି ଜଣେ ମୃତ୍ୟୁ ବରଣ କରିଥିବା ଦର୍ଶାଇ ଜିଲ୍ଲାପ୍ରଶାସନକୁ ଅଙ୍ଗୁଳି ନିର୍ଦେଶ କରିଥିଲେ । କିନ୍ତୁ ଜିଲ୍ଲାପାଳ ଶ୍ରୀ ବର୍ମା ସଙ୍ଗେ ସଙ୍ଗେ ସଂପୃକ୍ତ ମୃତକ ତାଙ୍କ କୋଠାଘରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଏବଂ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଇଥିବା ଜଣାଇ ଦେଇଥିଲେ । ଏହାପରେ ଶ୍ରୀ ପଣ୍ଡା ନିଜ ଟୁଇଟକୁ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ । ବାତ୍ୟା ଅମ୍ଫାନ ବୁଧବାର ଅପରାହ୍ନରେ କେନ୍ଦ୍ରାପଡା ଅତିକ୍ରମ କରିଯାଇଥିବା ବେଳେ ଲୋକମାନେ ବିପଦମୁକ୍ତ ହୋଇଛନ୍ତି । ହେଲେ ସବୁରି ମୁହଁରେ ଗୋଟିଏ କଥା ହେମନ୍ତ ଶର୍ମା,ଆଶିଷ ସିଂ,ସମର୍ଥ ବର୍ମା ଓ ନୀତି ଶେଖରଙ୍କ ପ୍ରସଂଶା ଶୁଣିବାକୁ ମିଳୁଛି । ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ବର୍ମା କରୋନାର ସଫଳ ମୁକାବିଲା କରି ପ୍ରସଂଶା ସାଉଁଟିବାରେ ଲାଗିଛନ୍ତି ।


