ବାତ୍ୟା ଅସାନିଙ୍କୁ ନେଇ ଚାଷୀ ଆତଙ୍କିତ : ଫସଲ ବ୍ୟାପକ କ୍ଷତି ହେବାର ଆଶଙ୍କା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନିକୁ ନେଇ ଚାଷୀକୂଳ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଚାଷୀ ଆତଙ୍କିତ ହୋଇପଡିଛନ୍ତି । ନାଉଗାଁ ବ୍ଳକରେ ଶତକଡା ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି । ଏହି ବ୍ଳକରେ ସମୁଦାୟ ୭ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ପାଖାପାଖି ୪ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଜମିରେ ଚାଷୀ ରବି ଜାତୀୟ ଫସଲ, ଚିନା ବାଦାମ ଓ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ସାଧାରଣତଃ ଦେବୀନଦୀ ପଠାରେ ଶିଖର, ରୋହିଆ, ଗଳଦାରୀ, ଓଷକଣା ଆଦି ପଂଚାୟତର ଚାଷୀ ପନିବାର ଓ ଚିନାବାଦାମ ଚାଷ କରିଥାନ୍ତି । ସେହିପରି ଡାବର, ଅଲଣା ପଂଚାୟତର ଚାଷୀ ଅଳକା ନଦୀ ପଠାରେ ପନିପରିବା ଚାଷ କରୁଥିବା ବେଳେ ବ୍ଳକର ୧୬ଟି ପଂଚାୟତର ଅଧିକାଂଶ ଚାଷୀ ବିରି, ମୁଗ ଆଦି ଚାଷ କରିଥାନ୍ତି । ବର୍ତମାନ ପନିପରିବା ଫଳ ଧରୁଥିବା ବେଳେ ଡାଲି ଜାତୀୟ ଫସଲ ମୁଗ,ବିରି ଅଧିକାଂଶ ଅମଳ ଉପଯୋଗୀ ହୋଇ ଥିବା ବେଳେ ଅନେକ କଂଚା ରହିଛି । ବାତ୍ୟା ଅସାନି ଯୋଗୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀ ତରବରିଆ ଭାବେ କଂଚା ମୁଗ ଓପାଡି ଆଣୁଥିବାଦେଖିବାକୁ ମିଳିଛି । ବର୍ଷା ହେଲେ ଚାଷ ଜମିରେ ଥିବା ମୁଗ ଓ ପନିପରିବା ନଷ୍ଟ ହେବାର ଆଶଙ୍କା ଥିବା ବେଳେ ଓପଡା ହୋଇ ଆସୁଥିବା କଂଚା ମୁଗ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି । ଗତ ଖରିଫ ଋତୁରେ ଧାନ ଚାଷ ସମୟରେ ଧାନ ଅମଳ ହେବାକୁ ବସିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଧାନ ଚାଷ ବେଶ ପ୍ରଭାବିତ ହୋଇଥିଲା । ଚାଷ କରି ଚାଷୀ ଅମଳ ସମୟରେ ଧାନ ନଷ୍ଟ ହୋଇ ଯାଇଥିଲା । ସରକାରୀ ରିପୋର୍ଟ ଅନୁସାରେ ଉକ୍ତ ବ୍ଳକରେ ଶତକଡା ୭୦ଭାଗ ଧାନ ନଷ୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଚାଷୀଙ୍କୁ କୌଣସି କ୍ଷତିପୁରଣ ମିଳିନାହିଁ । ପୁନର୍ବାର ଧାର ଉଧାର କରି ଚାଷୀ ପନିପରିବା, ରବି ଚାଷ କରିଥିବା ବେଳେ ତାହା ଏବେ ଉଜୁଡିବାକୁ ବସିଛି । ଥରକୁ ଥର ଚାଷୀ ଋଣ ଆଣି ଚାଷ କରୁଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ହେଉଛି । ଏହାକୁ ଗୁରୁତର ସହ ସରକାର ଗ୍ରହଣ କରିବା ସହ ଚାଷୀକୁ କ୍ଷତି ପୁରଣ ଦେବାକୁ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହସଂଯୋଜକ ଅଶୋକ ସ୍ୱାଇଁ, ଏଆଇକେକେମେଏସ ଜିଲ୍ଲା ସଦସ୍ୟ ସୁବାସ ସ୍ୱାଇଁ, ଚାଷୀ ଦିଲ୍ଲିପ ପାଢୀ, ହରପ୍ରସାଦ ମହାନ୍ତି, ଚତୁଭୂଜ ମହାନ୍ତି ଆଦି ଦାବି କରିଛନ୍ତି ।