ବାତ୍ୟା ଅସାନି ର ମୁକାବିଲା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ ଦାୟିତ୍ବ
ନିମାପଡା, (ସନ୍ତୋଷ ଦାଶ) :-ବାତ୍ୟା ଅସାନି ନିମନ୍ତେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଯୋରଦାର କରିଛି । ବାତ୍ୟା ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ କଚ୍ଚା ଘରେ କିମ୍ବା ପଲିଥିନ କୁଡିଆରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀରେ ଡିଜି ସେଟ ଓ ଆସ୍କା ଲାଇଟ ପ୍ରସ୍ରୁତ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଦିବ୍ୟାଙ୍ଗ ମାନଙ୍କୁ ସୁରକ୍ଷିତ ସ୍ଥାନ ଏବଂ ଆସନ୍ନ ପ୍ରସବା ମାନଙ୍କୁ ହସପିଟାଲକୁ ସ୍ଥାନାନ୍ତରଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବାତ୍ୟା ମୁକାବିଲା ପ୍ରସ୍ତୁତି, ଆବଶ୍ୟକ ସ୍ଥାଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ ଦାୟିତ୍ବ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ପୁରୀ ପୌରସଂସ୍ଥା, ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକଙ୍କୁ ଗୋପ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ, ପିଡି ଡିଆରଡିଏ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ ଅସ୍ତରଙ୍ଗ ଓ କାକଟପୁର ବ୍ଲକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଦିଲ୍ଲିପ କୁମାର ମହାପାତ୍ରଙ୍କୁ ନିମାପଡା ବ୍ଲକ,ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କୁ ବ୍ରହ୍ମଗିରି ବ୍ଲକ, ପିକେଡିଏ ସଚିବ ଶ୍ରୀ ଲଲାଟେନ୍ଦୁ ସାହୁଙ୍କୁ କୃଷ୍ଣପ୍ରସାଦ ବ୍ଲକ, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କରଙ୍କୁ ପୁରୀ ସଦର ଏବଂ ଭୂ ଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ ଜେନାଙ୍କୁ କଣାସ ବ୍ଲକ ନିମନ୍ତେ ଦାୟିତ୍ବ ଦିଆଯାଇଛି । ପ୍ରତି ଚାରି ଘଣ୍ଟାରେ ବୃଷ୍ଟିପାତ ତଥ୍ୟ ପ୍ରଦାନ କରିବାକୁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଅସାନି ପ୍ରଭାଵ ରେ ସମୁଦ୍ର ଅଶାନ୍ତ ହୋଇପଡିଛି ।


