ବାତ୍ୟା ଓ ବନ୍ୟା ଅମ୍ଫାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ଅମ୍ଫାନ ଓ ବର୍ଷା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ୧୨ଜଣ ଜିଲ୍ଲାପାଳଙ୍କ ସହ ବାତ୍ୟାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ସମୟରେ ଜିରୋ କାଜୁଆଲିଟି ବା ବାତ୍ୟାରେ କେହି ଯେପରି ମୃତ୍ୟୁ ବରଣ ନକରନ୍ତି ତାହା ଉପରେ ଗୁରୁତ୍ୱାରୋପକରି ଜିଲ୍ଲାପାଳ ଏସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ସଚେତନ କରାଇଥିଲେ । ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ସ୍ୱରୂପ ଓଡ୍ରାଫଟିମ ମୃତୟନ ସହ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନେଇ ଉଦ୍ଧାର କାର୍ଯ୍ୟ କରାଯିବା ଓ ଭାଙ୍ଗପଡିଥିବା ଗଛ ଗୁଡିକୁ ରାସ୍ତାରୁ ହଟାଯାଇ ରାସ୍ତା ସଫା କରାଯିବା,ଜିଲ୍ଲାରେ ସୋମବାର ଠାରୁ ବର୍ଷା ଆରମ୍ଭ ହୋଇ ବୁଧବାର ୮୦କିମି.ବେଗରେ ପବନ ବହିବା ଓ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଖାଦ୍ୟ ଯୋଗାଣ ବିବାଗ ପକ୍ଷରୁ ପ୍ରତ୍ୟେକ ପଂଚାୟତ ମୁଖ୍ୟାଳୟରେ ଖାଦ୍ୟ ଓ କିରୋସିନ ଗଛିତ ରଖାଯାଇଛି । ପଶୁ ସମ୍ପଦ ବିଭାଗ ପକ୍ଷରୁ ଗୋରୁଗାଇଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ମତ୍ସ୍ୟ ବିଭାଗ ପକ୍ଷରୁ ରାଜନଗର,ମହାକାଳପଡା ସମୁଦ୍ର ଉପକୂଳ ଅଚଂଳର ଧିବରମାନେ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟ ବିଭାଗ ତଦାରଖ କରିବାକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ । କୃଷି ଓ ସମବାୟ ବିଭାଗ କୃଷକଙ୍କ ଶସ୍ୟର ସୁରକ୍ଷା ଓ ବିଲରେ ଥିବା ଫସଲ ଉଠାଇ ତୁରନ୍ତ ନିରାପଦ ସ୍ଥାନରେ ରଖିବାକୁ ସଂପୃକ୍ତ ବିଭାଗ ସୁପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବାତ୍ୟାରେ ଅଚଳ ହୋଇପଡିଥିବା ବିଦ୍ୟୁତ ଯୋଗାଣକୁ ତ୍ୱରିତ ପଦକ୍ଷେପରେ ସଚଳ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତି ସହ ସମୁଦ୍ର ଉପକୂଳରେ ଥିବା ସ୍କୁଲ ଓ ପକ୍କାଗୃହ ଗୁଡିକ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡିଲେ ବିଡିଓ ଏବଂ ତହସିଲଦାରମାନେ କଚାଘରେ ରହୁଥିବା ଲୋକମାନଙ୍କୁ ନିକଟତମ ନିରାପଦ ପକ୍କାଗୃହକୁ ଆଣିବେ । ଆସନ୍ନ ପ୍ରସବା ମହିଳାମାନଙ୍କୁ ନିକଟତମ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ବାତ୍ୟା ଓ ବର୍ଷାରେ ଅଚଳ ହୋଇପଡିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସଂପୃକ୍ତ ବିଭାଗ ସଚଳ ଓ ବିଶୋଧନ କରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଚଳ କରାଯିବା ସହ ଜୀବନରକ୍ଷାକାରୀ ଔଷଧ ସହ ସାପକାମୁଡା ଔଷଧ ଗଛିତ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ସଂପୃକ୍ତ ଅଚଂଳର ବିଡିଓ ଓ ତହସିଲଦାରମାନଙ୍କୁ ନୋଡାଲ ଅଫିସର,ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ନିୟୋଜିତ କରାଯାଇଛି ।