ବାତ୍ୟା ଓ ଷଣ୍ଢ

ବାତ୍ୟା ପାଇଁ ସମସ୍ତେ ସଜାଗ ରହିଥିବା ବେଳେ ପଣ୍ଡିତ ଦେଖିଲେ ଦାମବାବୁ ଛୋଟ ଛୋଟ ବାଛୁରୀ ଦୁଇଟିକୁ ବାଡେଇ ଘଉଡ଼େଇ ଚାଲିଛନ୍ତି. ପଣ୍ଡିତେ ଭାବିଲେ ବୋଧହୁଏ ବାଛୁରୀ ଦୁଇଟି ଅନ୍ୟ କେଉଁଠୁ ଚାଲି ଆସିଛନ୍ତି କିନ୍ତୁ ଯେତେବେଳେ ଜାଣିବାକୁ ପାଇଲେ ବାଛୁରୀ ଦୁଇଟି ଷଣ୍ଢ ଛୁଆ ମନରେ ଦୁଃଖ ଆସିଗଲା. ଦାମବାବୁଙ୍କ ଘରେ ବହୁତ ସାରା ଗାଈ ବଳଦ ଅଛନ୍ତି. ମଣିଷ ଘରେ ପୁଅ ଜନ୍ମ ହେଲେ ଯେତିକି ଖୁସି ଗାଈର ଝିଅ ଜନମ ହେଲେ ମଣିଷ ରୂପୀ ମାଲିକ ସେତିକି ଖୁସି. କେଵେ ଯଦି ଗାଇର ପୁଅ ଜନ୍ମ ହେଲା ତ ମାଲିକର ଦୁଃଖ. ବଳଦ ହେଲେ କେମିତି କେମିତି ବଡ଼ ହେଲେ ବିକ୍ରି ହୋଇଯିବ କିନ୍ତୁ ଷଣ୍ଢ ଛୁଆ ଜନ୍ମ ହେଲେ ଏକରେ ମାଆ ଥନରୁ କ୍ଷୀର ଟିକେ ପାଏନା, ଦୁଇରେ ବାତ୍ସଲ୍ୟ ମମତା ମିଳୁନଥିବା ଷଣ୍ଢକୁ ନିଜ ମାଆ ରହୁଥିବା ଗୁହାଳରେ ରହିବାକୁ ଦିଏନା ମାଲିକ. ଆଶ୍ଚର୍ଯ୍ୟ ହେଲେ ପଣ୍ଡିତ. ଅଜବ ଏ ମଣିଷ. ଭୁଲ ଠିକ ଜାଣିମଧ୍ୟ ଭୁଲ କରୁଥାଏ ସ୍ୱାର୍ଥ ପାଇଁ. ଆଜି ବାତ୍ୟା ଦାନା ଆସିବା ପୂର୍ବରୁ ଷଣ୍ଢ ଛୁଆ ଦୁଇଟାଙ୍କୁ ବାଡେଇ ତଡି ଦେଉଛନ୍ତି ଦାମ ବାବୁ. ରାମ ରାମ କହି ନିଜ ଗୃହ ଭିତରକୁ ଫେରିଆସି ବସିଗଲେ ପଣ୍ଡିତ ମହାଶୟ.ପଣ୍ଡିତିଆଣୀ ପଚାରିଲେ ଆଜି କଣ ତୋରାଣୀ ପେଜ ସବୁଦିନ ପରି ବାହାରେ ରଖିଥିବା ପଥର କୁଣ୍ଡରେ ଅଜାଡିବାକୁ ଯିବନି କି. ବାଲ୍ଟି ପୁରି ଗଲାଣି ପରା. ତୁମ ନିର୍ଦେଶ ଅନୁସାରେ ପରିବା ଚୋପା, ବିରି ମୁଗ କୋଳଥ ପାଣି ସହ ଚାଉଳ ଓ ଡାଲି ଧୁଆ ପାଣି ସାଇତି ସାଇତି ଦୁଇ ବାଲ୍ଟି ପୂର୍ଣ୍ଣ ହୋଇ ଉବୁଟୁବୁ ହେଲାଣି ପରା. ପଣ୍ଡିତ କହିଲେ ହେଉ ଉବୁଟୁବୁ କିନ୍ତୁ ଆଜି ବୁଲା ଗୋରୁ ଗାଈଙ୍କୁ ଦେଇହେବନି ପରା. କାହିଁକି ପଚାରି ପଣ୍ଡିତଙ୍କଠୁ ଉତ୍ତର ନପାଇ ଗରଗର ହୋଇ ଫେରିଗଲେ ପଣ୍ଡିତିଆଣୀ. ବୁଝିପାରୁନଥିଲେ ପଣ୍ଡିତଙ୍କର ହେଇଛି କଣ!ଥରକୁ ଥର ଯାଇ ଦାଣ୍ଡ ଦୁଆରେ ଦେଖି ଆସୁଥିଲେ ସେଇ ଷଣ୍ଡ ଛୁଆ ଦୁଇଟାଙ୍କୁ. ଗୋଟେ ଟିକେ ବଡ଼ ଅନ୍ୟଟି ତା ଠାରୁ ଟିକେ ଛୋଟ. ଦୁହେଁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଦାମ ବାବୁ ଆଜି ତାଙ୍କୁ ବାଡ଼ିରେ ପୁରାଇ ଦେଉନଥିଲେ ଯଦିଓ ବାଡ଼ି ଭିତରୁ ଦୁହିଁଙ୍କ ମାଆଙ୍କ ହମ୍ବା ରଡି ଶୁଣି ଦୁହେଁ କାକୁସ୍ଥ ହୋଇ ଚାହିଁରହିଥିଲେ. ଭୋକ ହେଉଥିଲେ ବି କୋଉଠି ଘାସ ଟିକେ ଉଠିନଥିଲା ଶୋଷ ହେଉଥିଲେ ବି ପଣ୍ଡିତଙ୍କ ଦୁଆରେ ଥିବା କୁଣ୍ଡରେ ତୋରାଣୀ ପେଜ ମୁନ୍ଦେ ନଥିଲା.ପଣ୍ଡିତେ ମଧ୍ୟ ଆଜି କି ମାନିଆଁ ତୋରାଣୀ ପେଜ ଅଜାଡି ପାରୁନଥିଲେ କୁଣ୍ଡରେ ଭାବୁଥିଲେ କେତେକଣ ତା ଭିତରୁ ଦାମବାବୁ କାଳେ ଖରାପ ଭାବିବେ. କିନ୍ତୁ ଛାତି ଭିତରଟା କରତି ହୋଇଯାଉଥିଲା ଯେବେ ଛୋଟ ଛୋଟ ଷଣ୍ଢ ଦୁଇଟି ବୋବାଳି ଛାଡୁଥିଲେ ବିକଳରେ.
ମାଡି ଆସୁଛି ବାତ୍ୟା ଦାନା. ତା ପ୍ରଭାବରେ ସକାଳୁ ଝିପି ଝିପି ବର୍ଷା ହେଉଛି ୟେଲୋ ୱାର୍ଣ୍ଣିଙ୍ଗ ସହରର ସେଇ ଗାଁରେ ପଣ୍ଡିତ ଦେଖୁଥିଲେ ବର୍ଷା ପବନ ଭିତରେ ଦୁଇ ନିରାଶ୍ରୟ ଖାଦ୍ୟ ବିହୀନ ଷଣ୍ଢ ଛୁଆ ଦୁଇଟିଙ୍କୁ ଓ ଡାକୁଥିଲେ ପ୍ରଭୁହେ ତୋ ବିନା ଗତି ମୁକ୍ତି କାହିଁ.. କରି କରାଉ ଥାଉ ତୁହି. ରାତିରେ ବାତ୍ୟା ଦାନା ଲାଣ୍ଡଫଲ କରିବତ ସମସ୍ତେ ସଜାଗ. ପଣ୍ଡିତିଆଣୀ ଦେଖିଲେ କଣ ଶବ୍ଦ ଶୁଭୁଛି ଅଜବ ଭାବେ. ପାଖରେ ଶୋଇଥିବା ପଣ୍ଡିତଙ୍କୁ ଡାକିବାକୁ ଯାଇ ଚମକି ପଡିଲେ କାରଣ ପଣ୍ଡିତ ନଥିଲେ ପାଖରେ ହାଉଳି ଖାଇ ଉଠିଲେ ପଣ୍ଡିତିଆଣୀ. ଦେଖିଲେ ଦାଣ୍ଡ କବାଟ ମେଲାଇ ପଣ୍ଡିତ ତୋରାଣୀ ବାଲ୍ଟି ବୋହି ନେଇ ଷଣ୍ଢ ଛୁଆ ଦୁଇଟିଙ୍କୁ ପିଆଇବାରେ ଲାଗିଛନ୍ତି ତ ଆଶ୍ଚର୍ଯ୍ୟ ଆଖିରେ ପଣ୍ଡିତିଆଣୀ ପଚାରିଲେ ଦିନରେ ନଦେଇ ରାତିରେ ଦେବା କଣ ଦରକାର ଯେ! ଗଛ ଭାଙ୍ଗି ବା ଡ଼ାଳ ଭାଙ୍ଗି ଉପରେ ପଡିଲେ କଣ ହେବ ଅବସ୍ଥା. ପଣ୍ଡିତ କହିଲେ ଆହେ ବାତ୍ୟା ଦାନା ବସା ବନ୍ଧୁଥିଲା ବେଳେ ଭୋକିଲା ପେଟକୁ ଦାନା ଦେଲେ ଶୁଭ ହେବା ସହ କନା ମିଳୁଥିବ ପରା. ସେ ସୁଯୋଗକୁ ହାତଛଡା କାହିଁ କରିବି. ସକାଳୁ ଜଣା ପଡିଲା ବାତ୍ୟା ଦୁର୍ବଳ ହୋଇଯାଇଛି କିନ୍ତୁ ଷଣ୍ଢଛୁଆ ଦୁଇଟି ପରସ୍ପର ମୁହଁ ଗୁଞ୍ଜି ଶୋଇଯାଇଛନ୍ତି ବରଗଛ ତଳେ. ପଣ୍ଡିତ କହୁଥିଲେ ଓଃ ରିଷ୍ଟ କଟିଗଲା ଠିକ ସେଇ ଏକା କଥା ଦାମବାବୁ ମଧ୍ୟ କହୁଥିଲେ କିନ୍ତୁ ପଣ୍ଡିତିଆଣୀ ତୋରାଣୀ ବାଲ୍ଟି ଟେକି ଆଣି ତଳେ ରଖୁଥିଲେ ଷଣ୍ଢ ଦୁହିଁଙ୍କ ପାଇଁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ