ବାତ୍ୟା ଦାନାର ପ୍ରଭାବରେ ହାଟଡିହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ହାଟଡିହି, (ବିକାଶ ବିଶ୍ୱାଳ):ବାତ୍ୟା “ଦାନା”ର ପ୍ରଭାବରେ ହାଟଡିହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟୁଛି। ଗତକାଲି ରାତିରେ ଏହା ଲ୍ୟାଣ୍ଡଫଲ କରିବା ପରେ ଆଜି ଉତ୍ତର ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଆଜି ସକାଳ ଠାରୁ କେନ୍ଦୁଝର ଜିଲା ସିମାନ୍ତ ହାଟଡିହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହୁଥିବାରୁ ଅନେକ ସ୍ଥାନରେ ବିରାଟ ବିରାଟ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । କେଉଁଠି ଘର ଉପରେ ଗଛ ଭାଙ୍ଗି ପଡିଛି ତ ଆଉ କେଉଁଠି ରାସ୍ଥା ଉପରେ ଭାଙ୍ଗିପଡି ରାସ୍ତା ବନ୍ଦ ହୋଇଯାଇଛି। ଛେନାପଦି- ହଦଗଡ଼ ରାସ୍ତାର ଛେନାପଦି ଛକ ନିକଟରେ ଦୁଇଟି ସ୍ଥାନରେ ଦୁଇଟି ଗଛ ଉପୁଡି ପଡିଥିବା ବେଳେ ବୈଦାଖିଆ ଓ ପୁରୁଣାପାଣି ନିକଟରେ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ଘଟିଥିଲା। ଅଗ୍ନିଶମ ବିଭାଗ ଓ ଓଡ୍ରାପ୍ଟ ଟିମ ପକ୍ଷରୁ ଗଛ କଟାଯାଇ ରାସ୍ତା ସଫା କରାଯାଇଛି। ସେହିପରି ସୋସୋ ମେତିକାଲ ଛକ ନିକଟରେ ଏକ ଗଛ ରାସ୍ତା ଉପରେ ପଡିଥିବା ବେଳେ ହାଟଡିହି ଅଗ୍ନିଶମ ବିଭାଗ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା। ସେହିପରି ପଞ୍ଚୁଗୋଛିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କଘର ଉପରେ ଏକ ଗଛ ଭାଙ୍ଗି ପଡିବାରୁ ଘରଟି ଭାଙ୍ଗି ପଡିଛି। ଓଡ୍ରାଫ ଟିମ ପହଞ୍ଚି ଗଛକୁ କାଟି ସଫା କରିଛି। ସେହିପରି ଅଁରା, ମରୈଗାଁ, ବେତୀରା, ସମଣା, କପୁଣ୍ଡି, ଅସନଗଡିଆ ଆଦି ଅନେକ ଗ୍ରାମରେ ଦୁଇଶହରୁ ଉର୍ଦ୍ଧ୍ଵ ଗଛ ଭାଙ୍ଗିପଡିଥିବା ଜଣାଯାଇଛି। ଅନେକ ଲୋକଙ୍କ ଚାଳ ଘରର ଛପର ଉଡିଯାଇଥିବା ବେଳେ ଶହ ଶହ ଅମୃତ ଭଣ୍ଡା, ସଜନା ଗଛ ଭାଙ୍ଗି ପଡିଛି। କଳିଗାଁ ପଞ୍ଚାୟତ ତାମ୍ପଳା ଗ୍ରାମରେ ସୁନାରାମ ସୋରେନଙ୍କ ଛାତଘର ଭୂଷୁଡି ପଡ଼ିବାରୁ ଗୋଟିଏ ଗାଈ ଛାତ ତଳେ ଚାପିହୋଇ ମୃତ୍ୟୁ ବରଣ କରିଛି। ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ହାବିଲ ଖାଖା ପ୍ରମୁଖ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତିି। ଆଜି ସମଗ୍ର ବ୍ଲକ ଅଞ୍ଚଳରେ ଦେକାନ ବଜାର ବନ୍ଦ ହୋଇଯାଇଥିବା ବେଳେ ଆନନ୍ଦପୁର-ଭଦ୍ରକ ରାସ୍ତାରେ ବସ ଚ଼ଳାଚ଼ଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି। ଆସନ୍ତା କାଲି ସକାଳ ସୁଧା ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ସୁଚନା ଦେଉଥିବାରୁ ଲୋକେ ବନ୍ୟା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ